ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜ୍ୟର ଯେକୌଣସି ଆରଟିଓରେ ଗାଡ଼ି ମାଲିକମାନେ ନିଜ କାମ କରାଇପାରିବେ। ଗାଡ଼ି ସମ୍ପର୍କିତ ସମସ୍ତ କାର୍ଯ୍ୟ ପାଇଁ ଆଉ ନିର୍ଦ୍ଦିଷ୍ଟ ଆରଟିଓକୁ ଯିବାକୁ ପଡ଼ିବ ନାହିଁ। ଆପଣ ଯେଉଁ ଆରଟିଓରେ ଗାଡ଼ି ପଞ୍ଜିକରଣ କରିଥିଲେ ବି, ନବୀକରଣ ପାଇଁ ରାଜ୍ୟର ଯେକୌଣସି ଆରଟିଓର ସାହାଯ୍ୟ ନେଇପାରିବେ। ଗାଡ଼ି ମାଲିକଙ୍କ ସୁବିଧା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପୂର୍ବ ପ୍ରଚଳିତ ବ୍ୟବସ୍ଥାକୁ କୋହଳ କରିଛନ୍ତି।

ଆଗରୁ ଗାଡ଼ି ମାଲିକମାନେ ଯେଉଁ ଆରଟିଓରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ି ପଞ୍ଜୀକରଣ ଆଦି କାର୍ଯ୍ୟ କରାଉଥିଲେ, ଲାଇସେନ୍ସ ଅବଧି ଶେଷ ହେବା ପରେ ସମାନ ଆରଟିଓ ଉପରେ ନିର୍ଭର କରିବାକୁ ପଡୁଥିଲା। କିନ୍ତୁ ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କୌଣସି ନିର୍ଦ୍ଦିଷ୍ଟ ସୀମା ରହିବ ନାହିଁ।

ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆର୍‌ସି) ନବୀକରଣ, ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଗାଡ଼ି ମାଲିକାନା ହସ୍ତାନ୍ତର, ଠିକଣା ପରିବର୍ତ୍ତନ ଆଦି କାର୍ଯ୍ୟଗୁଡ଼ିକୁ ଗାଡ଼ିମାଲିକମାନେ ଅନଲାଇନ ଜରିଆରେ ରାଜ୍ୟର ଯେକୌଣସି ଆରଟିଓରେ କରାଇ ପାରିବେ। ଏଥିସହିତ ଆର୍‌ସି ନବୀକରଣ ପାଇଁ ଗାଡ଼ିମାଲିକମାନଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ।

ସେହିପରି ଅବଧି ସରିବା ପୂର୍ବରୁ ଯଦି ଡିଏଲ୍ ଆବେଦନ କରାଯାଏ ତେବେ ଆଉ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଅବଧି ସରିବାର ବର୍ଷକ ପରେ ଯଦି ଡିଏଲ୍ ନବୀକରଣ ପାଇଁ ଆବେଦନ କରିବେ ତେବେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।

Comment