ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା କଟକଣା କୋହଳ ହେବାପରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। କିନ୍ତୁ କିଛି ଅମାନିଆ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଉଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଟୁଇନ ସିଟିରେ ଅମାନିଆଙ୍କଠାରୁ ୨୧ କୋଟି ୬୨ ଲକ୍ଷ ୯୯ ହଜାର ୧୦୦ ଟଙ୍କା ଫାଇନ ଆଦାୟ କରାଯାଇଛି। ଏନେଇ ବିଧାନସଭାରେ ସୂଚନା ଦେଇଥିଲେ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର।

“ଟୁଇନ ସିଟିରୁ ଅଗଷ୍ଟ ମାସ ଶେଷ ସୁଦ୍ଧା ବା ୮ ମାସ ମଧ୍ୟରେ କୋଟି କୋଟି ଟଙ୍କା କେବଳ ଫାଇନ ବାବଦକୁ ଆଦାୟ କରାଯାଇଛି। କେତେବେଳେ ବିନା ହେଲମେଟ୍ ପାଇଁ ପୁଣି କେତେବେଳେ ମାସ୍କ ପାଇଁ ଏବଂ ସିଟ୍ ବେଲ୍ଟ ନ ବାନ୍ଧିବା ଇତ୍ୟାଦି କାରଣରୁ ଫାଇନ ଆଦାୟ କରାଯାଇଛି”, କହିଛନ୍ତି ଗୃହମନ୍ତ୍ରୀ।

ସେ ଆଉ ମଧ୍ୟ କହିଛନ୍ତି, “ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ  ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଥିବାବେଳେ ବିନା ହେଲମେଟଧାରୀଙ୍କଠାରୁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଟଙ୍କା, ବିନା ସିଟ ବେଲ୍ଟରେ ଗାଡି ଚାଳନା କରୁଥିବା ଅଭିଯୋଗରେ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା, ବିନା ମାସ୍କଧାରୀଙ୍କଠାରୁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ କରାଯାଇଛି।”

ବିଧାନସଭା ଗୃହରେ ବିଧାୟକ ସୌଭିକ୍ ବିଶ୍ଵାଳ କମିସନରେଟ ପୋଲିସର ଜରିମାନା ଆଦାୟ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖିବାକୁ ଯାଇ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର ଏହି ତଥ୍ୟ ପ୍ରଦାନ କରିଥିଲେ।

ସେ ଆଉ ମଧ୍ୟ କହିଥିଲେ, “ପୋଲିସ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ କିଛି ଅମାନିଆ ତାହାକୁ ବେଖାତିର କରୁଛନ୍ତି। ଆଜି କାଲି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେବା ଏକ ସାଧାରଣ କଥା ହୋଇଗଲାଣି।”

ସେପଟେ ବିଗତ କିଛି ବର୍ଷ ମଧ୍ୟରେ ଟ୍ରାଫିକ ନିୟମକୁ ବହୁତ କଡାକଡି କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଆଇନ ପ୍ରଣୟନ କରାଯାଉଛି। କିନ୍ତୁ ଫାଇନର ମୂଲ୍ୟକୁ ଦେଖିଲେ ଅମାନିଆଙ୍କ ଉପରେ କିଛି ପ୍ରଭାବ ପଡ଼ୁଥିବା ମନେ ହେଉନାହିଁ। ସଡ଼କ ସୁରକ୍ଷା ଜୀବନ ରକ୍ଷା କେବଳ ଏକ ସ୍ଲୋଗାନରେ ରହି ନଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comment