ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଜିଠାରୁ ଲାଗୁ ହୋଇଛି ନୂଆ ଗାଇଡଲାଇନ। ଏହି ଗାଇଡଲାଇନ ନଭେମ୍ବର ୧ ସକାଳ ଯାଏଁ ବଳବତ୍ତର ରହିବ। ତେବେ କରୋନା କଟକଣା ଭିତରେ ରାଜ୍ୟବାସୀ କେଉଁ ନିୟମ ମାନିବେ ଏବଂ ପାର୍ବଣ ଋତୁ କିଭଳି ପାଳନ କରିବେ ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।

ପାର୍ବଣ ପାଇଁ ସାରା ରାଜ୍ୟରେ କୋଭିଡ କଟକଣାକୁ କଡ଼ାକଡ଼ି କରାଯାଇଛି। କିନ୍ତୁ ଟୁଇନ ସିଟିରେ ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୫ ଯାଏଁ ନାଇଟ କର୍ଫ୍ୟୁ କଡ଼ାକଡ଼ି ହେବ। ରାଜ୍ୟର ଅନ୍ୟ ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏଁ ଜାରି ରହିବ।ତେବେ ଏହି ସମୟରେ ସମସ୍ତ ପ୍ରକାରର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। କିନ୍ତୁ ଜରୁରୀ ସେବାରେ କୌଣସି କଟକଣା ଲାଗିବ ନାହିଁ। ଏଥିସହ ଖାଦ୍ୟ ସାମଗ୍ରୀ ମଧ୍ୟ ଅନଲାଇନରେ ଅର୍ଡର କରିପାରିବେ। ଘରୋଇ ଯାନ ଚଳାଚଳ, ଅଟୋ ରିକ୍ସା ଓ କ୍ୟାବ ସେବା ଆଦିକୁ ବସଷ୍ଟାଣ୍ଡ, ରେଳଷ୍ଟେସନ, ଏୟାରପୋର୍ଟକୁ ନେବା ଆଣିବା ନିମନ୍ତେ ଅନୁମତି ମିଳିବ ବୋଲି କହିଛନ୍ତି ଏସଆରସି।

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣରେ ବାଣ ବିକ୍ରି ଉପରେ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ଫୁଟାଇବା ସମ୍ପୂର୍ଣ୍ଣ ବାରଣ କରିଛନ୍ତି ରାଜ୍ୟ ସରକାର। ଏଥି ସହିତ ପୂଜା ପାର୍ବଣରେ ବାହାରେ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି।

ନୂଆ ଗାଇଡଲାଇନ ଅନୁସାରେ କେଉଁଠାରେ ବି ସପ୍ତାହାନ୍ତ ସଟଡାଉନ ଲାଗୁ କରାଯାଇନାହିଁ। ତେବେ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ, ମଲ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ। ସମସ୍ତ ପ୍ରକାରର ଧାର୍ମିକ ସମାରୋହ, ଉତ୍ସବ ପାଳନ ଉପରେ କଟକଣା ପୂର୍ବଭଳି ବଳବତ୍ତର ରହିବ। ନଭେମ୍ବରରେ ଦୀପାବଳି ଆସୁଥିବାରୁ ସରକାର ଏବେଠାରୁ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। ବାହାରକୁ ବାହାରିଲେ ସାମାଜିକ ଦୂରତା, ମାସ୍କ ପିନ୍ଧିବାକୁ ଓ ସାନିଟାଇଜ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

Comment