ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡରେ ସରକାର ଗଢ଼ିବାକୁ ଯାଉଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌), କଂଗ୍ରେସ ଏବଂ ଆର୍‌ଜେଡି ମେଣ୍ଟ। ଆଜି ଜେଏମ୍‌ଏମ୍‌ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ରବିବାର ଦିନ ୨ଟାରେ ସ୍ଥାନୀୟ ମୋରହାବାଦୀ ମଇଦାନ୍‌ରେ ଆୟୋଜିତ ସଭାରେ ସୋରେନ୍‌ ଶପଥ ନେବେ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ହେମନ୍ତ ସୋରେନ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ବଡ଼ ବଡ଼ ନେତା ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଶପଥଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି।

ହେମନ୍ତଙ୍କ ସହିତ ୨ରୁ ୩ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇପାରନ୍ତି ବୋଲି ଜଣାପଡ଼ିଛି। ତେବେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିସାରିବା ପରେ ମନ୍ତ୍ରୀମଣ୍ଡଳକୁ ବିସ୍ତାର କରାଯିବ। ସରକାର ଗଢ଼ିବା ପାଇଁ ହୋଇଥିବା ଫର୍ମୁଲା ଅନୁଯାୟୀ, ସୋରେନ୍‌ ସରକାରରେ ଜେଏମ୍‌ଏମ୍‌ରୁ ୬ଜଣ, କଂଗ୍ରେସ ୪ ଏବଂ ଆର୍‌ଜେଡିର ଏକମାତ୍ର ବିଧାୟକଙ୍କୁ ମନ୍ତ୍ରୀପଦ ମିଳିବ।

ଚଳିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନ୍‌ଙ୍କ ମେଣ୍ଟ ୮୧ ସିଟ୍‌ରୁ ୪୭ରେ ଜିତି ବହୁମତ ହାସଲ କରିଛି। ଏଥିରେ ଜେଏମ୍‌ଏମ୍‌ ୩୦ଟି ସିଟ୍‌ ପାଇଥିବା ବେଳେ କଂଗ୍ରେସ ୧୬ ଏବଂ ଆର୍‌ଜେଡି ଗୋଟିଏ ସିଟ୍‌ ପାଇଛି। ସେହିପରି ଜେବିଏମ୍‌ର ୩, ଏନ୍‌ସିପି ଓ ସିପିଆଇ ଏମ୍‌ଏଲ୍‌ର ଜଣେ ଜଣେ ବିଧାୟକ ସୋରେନ୍‌ଙ୍କ ମେଣ୍ଟକୁ ସମର୍ଥନ କରିଛନ୍ତି। ଆଜି ହେମନ୍ତ ସୋରେନ୍‌ ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment