ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ଇଟାଭାଟି ଭାଙ୍ଗିବାକୁ ବିରୋଧ କଲେ ଶ୍ରମିକ ସଂଗଠନ। ଏନେଇ ସୋମବାର ଜିଲ୍ଲାପାଳଙ୍କ ଅଫିସ ନିକଟରେ ଇଟାଭାଟି ମାଲିକ ଓ ଶ୍ରମିକମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ରାଜନେତା ତଥା ଶ୍ରମିକ ନେତା ଅରୁଣ ଦେଙ୍କ ନେତୃତ୍ଵରେ ହଜାର ହଜାର ଶ୍ରମିକ ଯୋଗ ଦେଇଥିଲେ।

ଏହି ସମାବେଶରେ ଅରୁଣ ଦେ ଉଦ୍‌ବୋଧନ ଦେଇ କହିଥିଲେ, “ଜିଲ୍ଲାପାଳ ତାଙ୍କ ମନୋଭାବ ପରିବର୍ତ୍ତନ କରିବା ଆବଶ୍ୟକ। ବାଲେଶ୍ୱର ସଦର, ରେମୁଣା, ବାଲିଆପାଳ, ବସ୍ତା, ଜଳେଶ୍ୱର, ନୀଳଗିରି ସମେତ ସମଗ୍ର ଜିଲ୍ଲାରେ ୧୪୦ରୁ ଅଧିକ ଇଟାଭାଟିରେ ପାଖାପାଖି ୪୫ହଜାରରୁ ଅଧିକ ପୁରୁଷ ଓ ମହିଳା ନିୟମିତ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଛନ୍ତି। ଏପରିସ୍ଥଳେ ଇଟାଭାଟି ପାଇଁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପାଇଁ ସଂଘ ପକ୍ଷରୁ ସମୟ ମଗା ଯାଇଥିବା ବେଳେ ଜିଲ୍ଲାପାଳ ଏଥିପ୍ରତି ବେଖାତିର କରି ଯେଉଁଭଳି ଇଟାଭାଟିକୁ ନଷ୍ଟ କରୁଛନ୍ତି ତାହା ଅକ୍ଷମଣୀୟ ଅପରାଧ।“

ଶିଳ୍ପାନୁଷ୍ଠାନ ଯେତିକି ନିଯୁକ୍ତି ଦେଇପାରି ନାହିଁ ତାହା ଠାରୁ ଅଧିକ ସଂଖ୍ୟକ ଶ୍ରମିକ ଇଟାଭାଟିମାନଙ୍କରେ କାର୍ଯ୍ୟକରି ପେଟପାଟଣା କରି ଆସୁଛନ୍ତି ସେମାନଙ୍କ ଜୀବିକା ପ୍ରତି ଜିଲ୍ଲା ପ୍ରଶାସନ କୋହଳ ମନୋଭାବ ପ୍ରଦର୍ଶନ କରିବା ଅତ୍ୟନ୍ତ ଜରୁରୀ ଅଟେ। ନଚେତ୍ ଏହି ଆନ୍ଦୋଳନ ଆଗାମୀ ଦିନରେ ଉଗ୍ର ରୂପ ନେଇପାରେ। ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି।

ସର୍ବଶ୍ରୀ ଶତ୍ରୁଘ୍ନ ଚଣ୍ଡ, କାର୍ତ୍ତିକ ପ୍ରଧାନ, ଅଶୋକ ପ୍ରଧାନ, ସେକ୍‌ ହାଇଦର ଅଲ୍ଲୀ, ସୁକାନ୍ତ ନନ୍ଦୀ, ପ୍ରମୋଦ ଜେନା, ପ୍ରତାପ ରାଉତ, ରତିକାନ୍ତ ଗିରି, ଗଙ୍ଗାଧର ସାମଲ, ମୁକ୍ତେଶ୍ୱର ରାଉତ, ହେମନ୍ତ କୁମାର ଚଣ୍ଡ, ଚିତ୍ତରଂଜନ ବାଗ ପ୍ରମୁଖ ଏହି ବିକ୍ଷୋଭ ସମାବେଶରେ ନେତୃତ୍ୱ ନେଇଥିଲେ। ପ୍ରଥମେ ସହରସ୍ଥିତ ମିଶନ୍ ପଡ଼ିଆଠାରୁ ପ୍ରାୟ ୮ ହଜାର ଶ୍ରମିକ ଏକ ବିରାଟ ପଟୁଆରରେ ଆସି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ନିକଟରେ ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ।

Comment