ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢ଼ ଲିଷ୍ଟରୁ ବାଦ୍ ପଡ଼ିଛନ୍ତି ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ।

“ମହାରାଷ୍ଟ୍ର, ପଶ୍ଚିମବଙ୍ଗରେ ବିଜେପି ସରକାର ନାହିଁ, ତେଣୁ ଏହି ଦୁଇ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ଗୃହ ମନ୍ତ୍ରାଳୟ ଖାରଜ କରିଦେଲା। ଯଦି ଏହି ଦୁଇ ରାଜ୍ୟରେ ବିଜେପିର ସରକାର ଥାଆନ୍ତା ତେବେ କଦାପି ଏହି ଦୁଇ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ବାଦ୍ କରାଯାଇନଥାନ୍ତା”, ମହାରାଷ୍ଟ୍ରର ପ୍ରଜ୍ଞାପନ ମେଢ଼କୁ ବାଦ୍ ଦେବା ପ୍ରସଙ୍ଗରେ ଉତ୍ତର ରଖି କେନ୍ଦ୍ର ସରକାରକୁ ଏପରି ଟାର୍ଗେଟ କରିଛନ୍ତି ଶିବସେନା ନେତା ସଞ୍ଜୟ ରାୱତ।

ଚଳିତ ଜାନୁଆରୀ ମାସ ୨୬ରେ ଦିଲ୍ଲୀ ପରେଡରେ ପ୍ରଦର୍ଶିତ ହେବାକୁ ଥିବା ରାଜ୍ୟମାନଙ୍କର ପ୍ରଜ୍ଞାପନ ମେଢ଼ ତାଲିକାରୁ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗକୁ ବାଦ୍ ଦେଇଛି ଗୃହ ମନ୍ତ୍ରାଳୟ। ଯାହାକୁ ନେଇ ଦୁଇ ରାଜ୍ୟର ନେତାମାନେ ପ୍ରବଳ ଖପ୍ପା ଥିବା ଦେଖିବାକୁ ମିଳିଛି। ବିଜେପି ଜାଣିଶୁଣି ଏହି ଦୁଇ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ବାଦ୍ ଦେଇଛି ବୋଲି ଦୁଇ ରାଜ୍ୟର ନେତାମାନେ ଅଭିଯୋଗ କରିବା ଆରମ୍ଭ କରିଦେଇଛନ୍ତି।ମହାରାଷ୍ଟ୍ରରେ ମନ୍ତ୍ରୀ ଥିବା ଜିତେନ୍ଦ୍ର ଅବଧ କହିଛନ୍ତି ଯେ, ମହାରାଷ୍ଟ୍ରର ପ୍ରଜ୍ଞାପନ ମେଢ଼କୁ ବାଦ୍ ଦେବା ବିଜେପିର ଏକ ହୀନ ଚକ୍ରାନ୍ତ। ଏଥିସହିତ ଏହାକୁ ନେଇ ମହାରାଷ୍ଟ୍ର ବିଜେପି ଚୁପ୍ ରହିବା ଅତ୍ୟନ୍ତ ଦୁଃଖର ବିଷୟ। ଯଦି ଏଭଳି ଘଟଣା କଂଗ୍ରେସ ସରକାର ହୋଇଥାନ୍ତା ତେବେ କ’ଣ ମହାରାଷ୍ଟ୍ର ବିଜେପି ଚୁପ୍ ରହିଥାନ୍ତା ବୋଲି ସେ ମହାରାଷ୍ଟ୍ର ବିଜେପିକୁ ପ୍ରଶ୍ନ କରିଛନ୍ତି।ଅନ୍ୟପଟେ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ବାଦ୍ ଦେବା ପରେ ଏହାକୁ ନେଇ ସରକାର ଉପରେ ବାକ୍ୟବାଣ ଛାଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟରେ ନାଗରିକତା ଆଇନକୁ ନେଇ ବିରୋଧ ହେଉଥିବାରୁ ବିଜେପି ଜାଣିଶୁଣି ଏଭଳି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଚଳିତ ବର୍ଷ ଗୃହ ମନ୍ତ୍ରାଳୟ ପାଖକୁ ମୋଟ୍ ୫୬ଟି ପ୍ରଜ୍ଞାପନ ମେଢ଼ର ଅନୁରୋଧ ଆସିଥିଲା। ଏଥିମଧ୍ୟରୁ ଗୃହମନ୍ତ୍ରାଳୟ କେବଳ ୨୨ଟି ପ୍ରଜ୍ଞାପନ ମେଢ଼କୁ ଚୟନ କରିଛି। ସେଥିମଧ୍ୟରେ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ଏବଂ ୬ଟି କେନ୍ଦ୍ରୀୟ ମନ୍ତ୍ରାଳୟର ମେଢ଼ ସାମିଲ ରହିଛି। ତେବେ ଏହି ଲିଷ୍ଟରୁ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ବାଦ୍ ଦିଆଯାଇଛି।

Comment