ଓଡ଼ିଶାଲାଇଭ୍ ବ୍ୟୁରୋ

  • ଶିଶିର ସରସ -୨୦୨୦ ଉଦ୍‌ଘାଟିତ
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ
  • ମେଳାରେ ୨୫ଟି ରାଜ୍ୟର ୩୦୦ ଷ୍ଟଲ
  • ଜାନୁଆରି ୧୪ ଯାଏଁ ଚାଲିବ ମେଳା
  • ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ, କିଣିଲେ ପାଛିଆ
  • ମେଳା ଆରମ୍ଭରୁ ଭିଡ଼

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓର୍‌ମାସ୍ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ଶିଶିର ସରସ-୨୦୨୦କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉଦଘାଟନ କରିଛନ୍ତି। ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାକୁ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ।

ଉଦଘାଟନୀ ଉତ୍ସବରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟଲ ବୁଲି ଦେଖିଥିଲେ। ଓଡ଼ିଶାର ୩୦ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ସାମଗ୍ରୀର ବିକ୍ରି,  ପ୍ରଚାର ଓ ପ୍ରସାର ପାଇଁ ଏହା ଏକ ବଡ଼ ମେଳା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଏହାଦ୍ୱାରା ମେଳାରେ ଉପଲବ୍ଧ ସାମଗ୍ରୀ ସଂପର୍କରେ ଲୋକମାନେ ଜାଣିବା ସହିତ ଗ୍ରାମୀଣ ଅର୍ଥନୀତିର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ।

ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଦେଓରଂଜନ କୁମାର ସିଂହ ଉପସ୍ଥିତ ଥିଲେ।

ଏହି ମେଳା ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ହସ୍ତ ଓ କୁଟୀର ଶିଳ୍ପ, ଖାଦ୍ୟ ଓ ଗ୍ରାମଦ୍ୟୋଗ ବୋର୍ଡ ଏବଂ ନାବାର୍ଡର ମିଳିତ ସହଯୋଗରେ ଆୟୋଜନ କରାଯାଇଛି।

ଆକର୍ଷଣ ସାଜିଛି ହସ୍ତତନ୍ତ ସାମଗ୍ରୀ ଓ ଶୀତ ପୋଷାକ

ଚଳିତବର୍ଷ ମେଳା ଜାନୁଆରି ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ମେଳାରେ ୨୫ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ମିନି ଇଣ୍ଡିଆ ଭଳି ଲାଗୁଥିବା ଏହି ମେଳାରେ ଉତ୍ତରପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସଜା ଫୁଲ, ଫୁଲଦାନୀ, ଶୀତ ପୋଷାକ ଏବଂ ଉତ୍ତରପ୍ରଦେଶର ହସ୍ତତନ୍ତ, ସିଲ୍କ ଏବଂ ରଟ୍ ଆଇରନ ସାମଗ୍ରୀ ମିଳୁଛି। ଏଥି ସହିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଟସର କପଡ଼ା ଓ ଲୁଗା, ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ରର ଖାଦ୍ୟ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ ଆକର୍ଷଣ ପାଲଟିଛି। ପଞ୍ଜାବର ପୋଷାକ ସହିତ ଜମ୍ମୁ କଶ୍ମୀରର ଶୀତ ପୋଷାକ ମଧ୍ୟ ପ୍ରମୁଖ ଅକର୍ଷଣ ସାଜିଛି।

ମେଳାରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ହାତ ତିଆରି ସାମଗ୍ରୀ ଧରି ସାମିଲ ହୋଇଛନ୍ତି।

ବିଶେଷକରି ବାଲେଶ୍ୱର, ବଲାଙ୍ଗିର, କେନ୍ଦୁଝର ଓ ସୁବର୍ଣ୍ଣପୁର ଟେରାକୋଟା ସାମଗ୍ରୀ ମେଳାରେ ଆକର୍ଷଣ ସାଜିଥିବା ବେଳେ ରାୟଗଡା, କନ୍ଧମାଳ, ବାଲେଶ୍ୱରର ପଥର ଖୋଦେଇ ସାମଗ୍ରୀ ଓ ନୂଆପଡ଼ାର ବିଭିନ୍ନ ଖାଦ୍ୟ ଓ ମସଲା, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିରର ହସ୍ତତନ୍ତ ସାମଗ୍ରୀ ଏହି ମେଳରେ ସାମିଲ ହୋଇଛି। କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି ଓ କଳାହାଣ୍ଡିର ବନଜାତ ଦ୍ରବ୍ୟ, କେନ୍ଦ୍ରାପଡ଼ାର କାଇଁଚରୁ ପ୍ରସ୍ତୁତ ସାମଗ୍ରୀ ଏବଂ ମୟୂରଭଞ୍ଜର ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଓ କାଠ ଜିନିଷ ମେଳାରେ ଉପଲବ୍ଧ ହେଉଛି।

ବଡ଼ି, ପାମ୍ପଡ଼ କିଣିବାକୁ ଭିଡ଼

ମେଳାର ଉଦଘାଟନୀ ଦିବସରୁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବଡ଼ି, ପାମ୍ପଡ଼, ଘରକରଣା ସାମଗ୍ରୀ ନେବାକୁ ଗ୍ରାହକଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳିଥିଲା।

‘‘ଏଠାରେ ସବୁ ପ୍ରକାର ଘରକରଣା ମିଳୁଥିବାରୁ ମେଳା ବୁଲିବାକୁ ଭଲ ଲାଗୁଛି। ମନ ପସନ୍ଦର ଘରକରଣା ସାମ୍ରଗୀ ଆମେ ଏଠାରେ ବୁଲି ବୁଲି କିଣିବାର ସୁଯୋଗ ପାଉଛୁ’’, କହିଛନ୍ତି ମେଳା ବୁଲିବାକୁ ଆସିଥିବା ଭୁବନେଶ୍ୱରର ସାଗରିକା। ନୂଆବର୍ଷର ପ୍ରଥମ ସପ୍ତାହରୁ ମେଳା ଆରମ୍ଭ ହୋଇଥିବାରୁ ଲୋକମାନେ ଭଲ କିଣାକିଣି କରିବେ ବୋଲି ସାଗରିକା ଆଶା ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କିଣିଲେ ପାଛିଆ

ମୁଖ୍ୟମନ୍ତ୍ରୀ ଷ୍ଟଲ ବୁଲିବା ଅବସରରେ ମୟୂରଭଞ୍ଜରୁ ଆସିଥିବା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଷ୍ଟଲରୁ ଏକ ପାଛିଆ କିଣିଥିଲେ। ଏହା ଷ୍ଟଲରେ ଥିବା ସ୍ୱୟଂ ସହାୟିକାମାନଙ୍କୁ ବେଶ ଉତ୍ସାହିତ କରିଥିଲା। ଆଗକୁ ଭଲ ବିକ୍ରିବଟା ହେବ ବୋଲି ମୟୂରଭଞ୍ଜରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଟୀର ସଦସ୍ୟ ଜୟନ୍ତୀ ମହନ୍ତ କହିଛନ୍ତି।

ଏଥର ଶିଶିର ସରସ ମେଳାରେ ପ୍ରଥମଥର ଲାଗି ସ୍ୱୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ଉଦ୍ୟୋଗ ଆଧାର ଓ ଜିଇଏମ ପଞ୍ଜିକରଣ ପାଇଁ ସାଧନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି।

ମେଳାରେ ଫୁଡ୍‌ କୋର୍ଟ 

ଶିଶିର ସରସ ମେଳାରେ ୧୨ଟି ଷ୍ଟଲକୁ ନେଇ ଖୋଲାଯାଇଛି ଫୁଡ୍ କୋର୍ଟ। ଏଥିରେ ବିହାର, ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ହରିୟାଣା ଓ କେରଳର ଖାଦ୍ୟ ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସାମଗ୍ରୀ ମିଳୁଛି। ମେଳାରେ ବାରିପଦାର ମୁଢି-ମାଂସ, କେନ୍ଦ୍ରାପଡ଼ାର ରସାବଳି, ପାରମ୍ପରିକ ଓଡ଼ିଆ ଘରର ପିଠା ଓ ମିଲେଟ ମିଶନ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି।

ଏଥି ସହିତ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରଚଳିତ ପୋଷାକ ଓ ହସ୍ତଶିଳ୍ପ ସାମଗ୍ରୀକୁ ନେଇ ଏକ ଫ୍ୟାସନ ସୋ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।

କିଣାବିକା ସାଙ୍ଗକୁ ମେଳାକୁ ଆକର୍ଷଣୀୟ କରିବାକୁ ପ୍ରତିଦିନ ସଂଧ୍ୟାରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ।

Comment