ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ବଢ଼ିବାର ଲାଗିଛି। ଗତ କିଛିଦିନ ହେବ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ରେସକ୍ୟୁ ଅପରେସନ କରାଯାଉଛି। ୪ ମାସରୁ ଲାଗିଥିବା ଏହି ନିଆଁରେ ପ୍ରାୟ ୪୮ କୋଟି ପଶୁ ପକ୍ଷୀ ପ୍ରାଣ ହରାଇ ସାରିଲେଣି। ଏହି ନିଆଁରେ ଅଧିକ ପ୍ରଭାବିତ ହୋଇଛନ୍ତି କୋଆଲା ପ୍ରଜାତିର ପଶୁମାନେ।

୪ମାସ ପୂର୍ବରୁ ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁକୁ ଏଯାଏଁ ଆୟତ୍ତ କରାଯାଇ ପାରିନାହିଁ। ସିଡନି ୟୁନିଭରସିଟିର ଇକୋଲୋଜିଷ୍ଟଙ୍କ ମତ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୮ କୋଟି ଜବଜନ୍ତୁ ପ୍ରାଣ ହରାଇଛନ୍ତି। ପଶୁ ପକ୍ଷୀଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କ ତରଫରୁ ରେସକ୍ୟୁ ଅପରେସନ କରାଯାଇଛି। ଅନ୍ୟପକ୍ଷରେ ନିଆଁର ପ୍ରଭାବରେ କଙ୍ଗାରୁମାନେ ସହର ମୁହାଁ ହେବାରୁ ଲାଗିଲେଣି।

ଅଧିକ ପ୍ରଭାବିତ ହୋଇଛନ୍ତି ଦୁର୍ଲଭ ପ୍ରଜାତିର କୋଆଲା ଭାଲୁ

କୋଆଲା ଭାଲୁ ଅଷ୍ଟ୍ରେଲିଆ ଜଙ୍ଗଲରେ ଗଛ ଉପରେ ବସବାସ କରୁଥିବା ଏକ ଦୁର୍ଲଭ ପ୍ରଜାତିର ପଶୁ। ମୁଖତଃ ଏମାନେ ପୂର୍ବ ଓ ଦକ୍ଷିଣ ଅଷ୍ଟ୍ରେଲିଆରେ ଦେଖାଯାନ୍ତି। ଅନେକ ବର୍ଷ ତଳେ ଏମାନଙ୍କୁ ମାରି ଦିଆଯାଉଥିଲା। ହେଲେ ପରେ ଏମାନଙ୍କୁ ସଂରକ୍ଷିତ ରଖିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ବର୍ତ୍ତମାନ କୋଆଲା ଭାଲୁକୁ ବଞ୍ଚାଇବା ପାଇଁ ଅଷ୍ଟ୍ରେଲିଆର ଅନେକ ସମାଜସେବୀ ସଂଗଠନ ଏନେଇ କାର୍ଯ୍ୟ କରୁଛନ୍ତି।

୨୦୦ରୁ ଅଧିକ ଘର ପୋଡ଼ି ପାଉଁଶ

ଏହି ନିଆଁର ପ୍ରଭାବ ଜନବସତି ଆଡ଼କୁ ମଧ୍ୟ ମୁହାଁଇବାରେ ଲାଗିଲାଣି। ଫଳରେ ୨୦୦ ଘର ପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ସରକାରଙ୍କ ତରଫରୁ ଲୋକମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି।

Comment