ଓଡ଼ିଶାଲାଇଭ୍‌ ବ୍ୟୁରୋ

୯୧ ବର୍ଷ ବୟସରେ ପରଲୋକରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଡକ୍ଟର ମିନତୀ ମିଶ୍ର।

ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟୁଶିଳ୍ପୀ ମିନତୀ ମିଶ୍ରଙ୍କ ସୋମବାର ପରଲୋକ ଘଟିଛି। ୯୧ ବର୍ଷ ବୟସରେ ସ୍ୱିଜରଲାଣ୍ଡରେ ତାଙ୍କର ମୃତ୍ୟୁ ଘଟିଛି।

ଗତ କିଛି ମାସ ହେବ ମିନତୀ ଅସୁସ୍ଥ ଥିଲେ। କଥାବାର୍ତ୍ତା କରିବାରେ ତାଙ୍କୁ ଅସୁବିଧା ହେଉଥିଲା। ସ୍ୱିଜିରଲାଣ୍ଡର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଆଜି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

‘‘ସେ ଜଣେ ଭଲ ମଣିଷ ଥିଲେ। ସେ ସଙ୍ଗୀତ ମହାବିଦ୍ୟାଳୟରେ ବହୁଦିନ ଧରି ସେ ଅଧ୍ୟକ୍ଷା ରହିଥିଲେ। ତାଙ୍କୁ ସମସ୍ତେ ମା’ ବୋଲି ଡାକୁଥିଲେ। ତାଙ୍କୁ ସମସ୍ତେ ଖୁବ୍‌ ଭଲ ପାଆନ୍ତି। ସେ ମଧ୍ୟ ସମସ୍ତଙ୍କୁ ତାଙ୍କ ସ୍ନେହରେ ବାନ୍ଧି ରଖିଥିଲେ। ତାଙ୍କର ମୃତ୍ୟୁ ଓଡ଼ିଶୀ ନୃତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି’’, କହିଛନ୍ତି ଓଡ଼ିଶୀ ଗାୟିକା ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ସଙ୍ଗୀତା ଗୋସାଇଁ।

ବିଦେଶରେ ରହି ବି ତାଙ୍କର ଓଡ଼ିଶା ପ୍ରତି ଏକ ନିଆରା ଭଲ ପାଇବା ଥିଲା। ପାର୍ବଣ ଆସିଲେ ସେ ସ୍ୱିଜରଲାଣ୍ଡରୁ ଓଡ଼ିଶା ଆସୁଥିଲେ ଏବଂ ପୂଜା ପର୍ବର ମଜା ନେଉଥିଲେ ବୋଲି କହିଛନ୍ତି ସଙ୍ଗୀତା।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଜଣେ ନୃତ୍ୟଶିଳ୍ପୀ ଭାବେ ତାଙ୍କ ଭଳି କେହି ବି ହୋଇପାରିବେ ନାହିଁ। ତାଙ୍କ ନୃତ୍ୟ ଓ ତାଙ୍କ ଅଭିନୟ ତାଙ୍କୁ ସମସ୍ତଙ୍କଠୁ ଭିନ୍ନ କରିଛି। ୮୦ ବର୍ଷ ବୟସରେ ବି ମଞ୍ଚରେ ସେ ଯେଉଁ ନୃତ୍ୟ ପରିବେଷଣ କରିଥିଲେ ତାହା ସ୍ମରଣୀୟ।’’

‘‘ସବୁ କଳାକାରଙ୍କ ପାଇଁ ସେ ଥିଲେ ପ୍ରେରଣା। କଳାକାର ପରିବାରର ସେ ଥିଲେ ମୁଖିଆ। ସେ ଥିଲେ ଆମ ସମସ୍ତଙ୍କର ମା’। ତାଙ୍କ ମନ ଥିଲା କଳାକାରର ମନ। କଳା ପ୍ରତି ତାଙ୍କର ଭଲ ପାଇବା, ଉତ୍ସର୍ଗୀକୃତ ମନୋଭାବ ପାଇଁ ସେ ଚିର ନମସ୍ୟ’’, କହିଛନ୍ତି ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସଂପାଦିକା ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଅରୁଣା ମହାନ୍ତି।

କେବଳ ନୃତ୍ୟ ନୁହେଁ ଅଭିନୟ କ୍ଷେତ୍ରରେ ବି ତାଙ୍କର ବେଶ୍‌ ଅଭିଜ୍ଞତା ରହିଥିଲା। ଜୀବନ ସାଥୀ, ସୂର୍ଯ୍ୟମୁଖୀ, ଅରୁନ୍ଧତୀ ଆଦି  ଫିଲ୍ମରେ ନାୟିକା ଭାବେ ଅଭିନୟ କରିଥିଲେ ମିନତୀ।

୧୯୨୯ ମସିହାରେ ସେ କଟକରେ ଜନ୍ମଗ୍ରହଣ କରିଥିଲେ। ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ ମିନତୀ। ୨୦୧୨ ମସିହାରେ ସେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।

Comment