ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକାନବେ ବର୍ଷରେ ବିଶିଷ୍ଟ ନୃତ୍ୟଶିଳ୍ପୀ ମିନତୀ ମିଶ୍ରଙ୍କ ନିଧନ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିନତୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କହିଛନ୍ତି ଯେ ଓଡ଼ିଶୀ ନୃତ୍ୟକୁ ବାହାରେ ପରିଚିତ କରାଇବା ସହ ଏହାର ସମୃଦ୍ଧି ପାଇଁ ଯେତିକି ଅବଦାନ ସେ ରଖିଯାଇଛନ୍ତି ତାହା ଅବିସ୍ମରଣୀୟ।

ମିନତୀ ମିଶ୍ର ୧୯୨୯ରେ କଟକରେ ଜନ୍ମ ଗ୍ରହଣ କରିଥିଲେ। ଖୁବ୍ କମ ବୟସରୁ ସେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ସାଧନା ଆରମ୍ଭ କରିଥିଲେ। ତାଙ୍କ ଗୁରୁ ଥିଲେ କେଳୁଚରଣ ମହାପାତ୍ର। କିନ୍ତୁ କାଳୀଚରଣ ପଟ୍ଟନାୟକ ହିଁ ତାଙ୍କୁ ପ୍ରଥମେ ମାର୍ଗ ଦେଖାଇଥିଲେ। ୧୯୫୪ରେ ମିନତୀ ଯୋଗ ଦିଅନ୍ତି ଚେନ୍ନାଇର କଳାକ୍ଷେତ୍ରରେ। ସେଠି ସେ ନୃତ୍ୟ ଶିକ୍ଷା କରନ୍ତି ରୁକ୍ମିଣୀ ଦେବୀ ଅରୁଣ୍ଡେଲଙ୍କ ଠାରୁ। ପ୍ରାୟ ଏକ ବର୍ଷ ନୃତ୍ୟ ଶିକ୍ଷା ପରେ ସେ ଓଡ଼ିଶା ଫେରି ଆସନ୍ତି।
ମିନତୀ ମିଶ୍ରଙ୍କ ପାଣ୍ଡିତ୍ୟର ବି ପଟାନ୍ତର ନଥିଲା। ଇଣ୍ଡୋଲୋଜି ବା ଭାରତୀୟତତ୍ୱ ଉପରେ ସେ ଗବେଷଣା କରି ଜର୍ମାନୀରେ ଥିବା ମାରବର୍ଗ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ। ୧୯୬୪ରୁ ୧୯୮୯ ଦୀର୍ଘ ୨୫ ବର୍ଷ ଧରି ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସେ ଥିଲେ ଅଧ୍ୟକ୍ଷା।

ମିନତୀ ମିଶ୍ର ବେଶ୍ କିଛି ଓଡ଼ିଆ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଚଳଚିତ୍ର ‘ଅରୁନ୍ଧତୀ’ ୧୯୬୩ରେ ମୁକ୍ତି ଲାଭ କରିଥିଲା। ତା’ ପରେ ପରେ ସେ ଆଉ ତିନୋଟି ଫିଲ୍ମରେ ଅଭିନୟ କରିଥିଲେ। ଏଗୁଡ଼ିକ ହେଲା ‘ଜୀବନ ସାଥୀ, ସାଧନା ଓ ଭାଇ ଭାଉଜ’। ଉଲ୍ଲେଖ କରାଯାଇପାରେ ଯେ ଭାଇ ଭାଉଜ ବ୍ୟତୀତ ବାକି ତିନୋଟି ଚଳଚ୍ଚିତ୍ରରେ ମିନତୀ ମିଶ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। କେବଳ ନୃତ୍ୟ ଓ ଚଳଚିତ୍ର ନୁହେଁ ମିନତୀ ମିଶ୍ର ଆକାଶବାଣୀର ଏ ଗ୍ରେଡ୍ କଳାକାର ଭାବେ ପରିଚିତ ଥିଲେ। ହିନ୍ଦୁସ୍ଥାନୀ କଣ୍ଠସଂଗୀତ ପାଇଁ ତାଙ୍କୁ ସଙ୍ଗୀତ ପ୍ରଭାକର ପୁରସ୍କାର ମିଳିଥିଲା।

ମିନତୀ ମିଶ୍ରଙ୍କୁ ଅନ୍ୟ ବହୁ ପୁରସ୍କାର ମିଳିଛି। ଏଥି ମଧ୍ୟରୁ ପଦ୍ମଶ୍ରୀ ଅନ୍ୟତମ। ୨୦୧୨ରେ ସେ ପଦ୍ମଶ୍ରୀ ପାଇଥିଲେ।

Comment