ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅରୁନ୍ଧତୀକୁ ପଚାଶ ବର୍ଷ ହେଲା। ୧୯୬୭ରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଓଡ଼ିଆ ଚିତ୍ର ଇତିହାସରେ ଏକ ମାଇଲଖୁଣ୍ଟ। ଧୀରେନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଯୋଜିତ ଏହି ଚିତ୍ରକୁ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ ସେନଗୁପ୍ତ।

ଚିତ୍ରର କାହାଣୀ ଅବଶ୍ୟ ଟିକିଏ ଜଟିଳ।

ଅରୁ ଓ ମନୋଜ ପରସ୍ପରକୁ ନିବିଡ଼ ଭାବେ ଭଲପାଆନ୍ତି। ସେମାନେ ଏକ ଓଡ଼ିଶୀ ନୃତ୍ୟ ଗ୍ରୁପର କଳାକାର। ଦିନେ ପ୍ରେକ୍ଷାଳୟରେ ନୃତ୍ୟ ପରିବେଷଣ କରୁଥିବା ବେଳେ  ବିଶ୍ୱଜିତ୍ ନାମକ ଜଣେ ବ୍ୟକ୍ତି ଆସନ୍ତି ଓ ଦାବି କରନ୍ତି ଅରୁ ତାଙ୍କ ପତ୍ନୀ ମଧୁମତୀଙ୍କ ଛଡ଼ା ଆଉ କେହି ନୁହନ୍ତି।

ପ୍ରକୃତରେ ମଧୁମତୀଙ୍କ ଏକ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥାଏ। କିନ୍ତୁ ବିଶ୍ୱଜିତ ମାନିବାକୁ ପ୍ରସ୍ତୁତ ନୁହଁନ୍ତି।ଏ ହି  ବିବାଦ ପରେ ମନୋଜ ଅରୁଙ୍କୁ ଛାଡ଼ି ପଳାଇ ଯାଇଛନ୍ତି।

ଅରୁ ବିଶ୍ୱଜିତଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ସେ ମଧୁମତୀ ନୁହନ୍ତି ଓ ମନୋଜ ତଥା ତାଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି। ପରେ ବିଶ୍ୱଜିତ ଜାଣିପାରନ୍ତି ଯେ ମଧୁ ଓ ଅରୁ ଯାଆଁଳା ଭଉଣୀ ଓ ମଧୁ ପ୍ରକୃତରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିଶ୍ୱଜିତ ମନୋଜଙ୍କୁ ଖୋଜିବା ପାଇଁ ବାହାରନ୍ତି। କୌଣସି ଏକ ଛୋଟ ରେଳଷ୍ଟେସନରେ ତାଙ୍କ ସନ୍ଧାନ ମିଳେ ଓ ମନୋଜ ଓ ଅରୁ ଶେଷରେ ଏକାଠି ହୁଅନ୍ତି।

ଶରତ ପୂଜାରୀ (ବିଶ୍ୱଜିତ),ବ୍ରଜ(ମନୋଜ), ମିନତୀ ମିଶ୍ର (ଉଭୟ ମଧୁମତୀ ଓ ଅରୁନ୍ଧତୀ ), ଧୀର ବିଶ୍ୱାଳ(ରତିକାନ୍ତ ), ରାମଚନ୍ଦ୍ର ପ୍ରତିହାରୀ(ଗୁରୁଜୀ), ସୁଜାତା ଆନନ୍ଦ (ନିରୁ) ଓ ଲକ୍ଷ୍ମୀପ୍ରିୟା ମହାପାତ୍ର (ନୃତ୍ୟଶିଳ୍ପୀ) ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଚମତ୍କାର ଅଭିନୟ କରିଥିଲେ। କେବଳ ସେତିକି ନୁହେଁ, ଚଳଚ୍ଚିତ୍ରଟି ସେଇ ସମୟରେ ଏକ ଖୁବ୍ ସଫଳ ଚଳଚ୍ଚିତ୍ର ଥିଲା।

ସେହି ବର୍ଷ ଅରୁନ୍ଧତୀ ଜାତୀୟ ପୁରସ୍କାର ଲାଭ କରିଥିଲା। ତା’ ସହିତ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରପତି ମେଡାଲ ବି ପାଇଥିଲା।

ଅରୁନ୍ଧତୀର ବିଶେଷତ୍ୱ ହେଉଛି ପ୍ରଯୋଜକ କେବଳ ଓଡ଼ିଆ ଥିଲେ। ନିର୍ଦ୍ଦେଶନା, କ୍ୟାମେରା ଓ ସମ୍ପାଦନା ସବୁକିଛି କରିଥିଲେ ବଙ୍ଗାଳି। ହୁଏତ ଏଥିପାଇଁ ଚିତ୍ରଟି ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଦର୍ଶକଙ୍କୁ।

ତେବେ, ଅରୁନ୍ଧତୀର ଅସଲ ପରିଚୟ ଏହାର ସଂଗୀତ। ଶାନ୍ତନୁ ମହାପାତ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ ଅରୁନ୍ଧତୀର ଗୀତଗୁଡ଼ିକ ସର୍ବକାଳୀନ ରେକର୍ଡ। ଏଭଳି ଦରଦୀ ଗୀତ ବୋଧହୁଏ ଆଉ ସୃଷ୍ଟି ହୋଇନି ଏ ପର୍ଯ୍ୟନ୍ତ।

ଜୀବନାନନ୍ଦ ପାଣି ଓ ଗୁରୁକୃଷ୍ଣ ଗୋସ୍ୱାମୀ ଅରୁନ୍ଧତୀ ଚିତ୍ରର ଗୀତ ରଚନା କରିଥିଲେ। ଗୀତଗୁଡ଼ିକୁ ଗାଇଥିଲେ ସେତେବେଳର ନାମୀଦାମୀ ଗାୟକ: ମହମ୍ମଦ ରଫି, ଲତା ଓ ଉଷା ମଙ୍ଗେସକର ତଥା ରଘୁନାଥ ପାଣିଗ୍ରାହୀ।

ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ – ଲତା ମଙ୍ଗେସକର
ମୟୁରୀ ଗୋ ତୁମ ଅକାଶେ ମୁଁ – ମହମ୍ମଦ ରଫି
ତୁମକୁ ପାରୁନି ତ ଭୁଲି – ମହମ୍ମଦ ରଫି
ଏଇ ଛୋଟ କଥାଟିଏ  ଭୁଲନା – ଉଷା ମଙ୍ଗେସକର ଓ ପ୍ରଣବ
ଅଭିମାନିନୀ – ରଘୁନାଥ ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here