ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଯଶୋବନ୍ତ ନାରାୟଣ ପାଢ଼ୀ): କର୍ଣ୍ଣାଟକ ସରକାର ରାଜ୍ୟର ବ୍ରାହ୍ମଣ ପରିବାରଙ୍କ ପାଇଁ ଗୋଟିଏ ବଡ ଘୋଷଣା କରିଛନ୍ତି। କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ଏବେ ଅରୁନ୍ଧତୀ ଓ ମୈତ୍ରୀୟୀ ନାମରେ ୨ ଟି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି।

ଅରୁନ୍ଧତୀ ଯୋଜନାରେ ପ୍ରତି ବ୍ରାହ୍ମଣ ଯୁବତୀଙ୍କ ବିବାହ ସମୟରେ ତାଙ୍କୁ ବୋର୍ଡ ପକ୍ଷରୁ ୨୫୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେହିପରି ମୈତ୍ରୀୟୀ ଯୋଜନାରେ ଯଦି ଜଣେ ବ୍ରାହ୍ମଣ ଯୁବତୀ ନିଜ ସମୁଦାୟର ଜଣେ ପୁରୋହିତ ବା ମନ୍ଦିର ପୂଜାରୀଙ୍କୁ ବିବାହ କରନ୍ତି ତାହେଲେ ତାଙ୍କୁ ୩ ଲକ୍ଷ ଟଙ୍କାର ସହାୟତା ମିଳିବ। ଏଥିପାଇଁ ବୋର୍ଡ ତରଫରୁ କିଛି ସର୍ତ୍ତ ରଖାଯାଇଛି। ସର୍ତ୍ତ ଅନୁଯାୟୀ ପ୍ରଥମେ ଦମ୍ପତିଙ୍କୁ ବୋର୍ଡର ୱେବସାଇଟରେ ସମସ୍ତ ବିବରଣୀ ସହ ପଞ୍ଜିକରଣ କରିବାକୁ ହେବ ଏବଂ ବିବାହର ୫ ବର୍ଷ ପରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ। ଉଭୟ ଦମ୍ପତି ଆର୍ଥିକ ଅନଗ୍ରସର ଶ୍ରେଣୀର ବୋଲି ସେମାନଙ୍କୁ ସଠିକ ପ୍ରମାଣ ଦେବାକୁ ପଡ଼ିବ।

ବୋର୍ଡ କହିଛନ୍ତି ଯେ କର୍ଣ୍ଣାଟକ ରାଜ୍ୟର ଅନେକ ମନ୍ଦିରର ପୂଜାରୀ ଓ ପୁରୋହିତମାନେ ଅତି ଆର୍ଥିକ ଅଭାବ ଭିତରେ ଜୀବନଯାପନ କରୁଛନ୍ତି ଏଣୁ ସେମାନଙ୍କୁ ଆର୍ଥିକ ରୂପେ ଅଗ୍ରସର ଓ ସେମାନଙ୍କ ଭବିଷ୍ୟତ ଉଜ୍ୱଳମୟ କରିବା ପାଇଁ ଏହି ସହାୟତା ପ୍ରଦାନ ପାଇଁ ଯୋଜନା କରାଯାଇଛି।

ଏହି ଅର୍ଥର ବ୍ୟବହାର କରି ବ୍ରାହ୍ମଣ ଦମ୍ପତି ଛୋଟମୋଟ ବ୍ୟବସାୟ ଓ ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ବିନିଯୋଗ କରିପାରିବେ। ତେବେ କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳମାନେ ବିରୋଧ କରିକରିଛନ୍ତି। ବ୍ରାହ୍ମଣ ପରିବାରର ଝିଅମାନେ ଯେପରି ଉଚ୍ଚ ଶିକ୍ଷା ହାସଲ କରିପାରିବେ ଏବଂ ନିଜେ କିଛି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର କାହିଁକି ସହାୟତା କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି। ବିବାହ କ’ଣ ଜଣେ ବ୍ରାହ୍ମଣ ଯୁବକ ଓ ଯୁବତୀଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ କରି ଏହାର ଉତ୍ତର ଜାଣିବାକୁ ଚାହିଁଛନ୍ତି।

LEAVE A REPLY

Please enter your comment!
Please enter your name here