ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ପାଇଁ ସମ୍ମାନସ୍ପଦ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି। ୨୦୧୭ ମସିହାରେ ଓଡ଼ିଶୀ ଗୀତ ପାଇଁ ଓଡ଼ିଶାର କୋଇଲି ଶ୍ରୀମତୀ ଶ୍ୟାମାମଣୀ ଦେବୀ ଓ ନୃତ୍ୟ ପାଇଁ ଗୁରୁ ଧ୍ରୁବଚରଣ ବିଶ୍ୱାଳଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ କରାଯିବ। ଏହି ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷର ଟଙ୍କାର ମୁଦ୍ରା ରାଶି ତଥା ଉପଢୌକନ ଉପହାର ଦିଆଯିବ।

ଭୁବନେଶ୍ଵରସ୍ଥିତ ‘ସୃଜନ’ର ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ରଙ୍କ ସୁପୁତ୍ର ରତିକାନ୍ତ ମହାପାତ୍ର ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ସଂସ୍କୃତିପ୍ରେମୀ ଦର୍ଶକଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟକୁ ପ୍ରଦର୍ଶିତ କରାଇବା ସହିତ ଓଡ଼ିଶାର ଯୁବ କଳାକାରମାନଙ୍କୁ ଉତ୍ସାହିତ କରିବା।

ସେହିପରି ଓଡ଼ିଶୀ ନୃତ୍ୟ ପାଇଁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୧୭ ପାଇବେ ଶ୍ରୀ ଲିଙ୍ଗରାଜ ପ୍ରଧାନ ଓ ଶ୍ରୀମତୀ ନମ୍ରତା ମେହେତା, ଭାରତନାଟ୍ୟମ ପାଇଁ ଶ୍ରୀମତୀ ଜ୍ୟୋତ୍ସ୍ନା ଜଗନ୍ନାଥନ୍ ଓ ଓଡ଼ିଶୀ ସଙ୍ଗୀତ ପାଇଁ ଶ୍ରୀ ଯତିନ୍ କୁମାର ସାହୁ ଏହି ସମ୍ମାନ ପାଇବେ।

ଗୁରୁ କେଳୁଚରଣ ମହାପାତ୍ରଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଗତ ୨୨ ବର୍ଷ ଧରି ‘ସୃଜନ’ ଅନୁଷ୍ଠାନ ଏହି ଉତ୍ସବକୁ ଆୟୋଜନ କରିଆସୁଛି। ୨୦୦୪ ମସିହାରେ ଗୁରୁଜୀଙ୍କ ଦେହାନ୍ତ ପରେ ବିଶ୍ଵବ୍ୟାପୀ ତାଙ୍କ ଛାତ୍ର, ଛାତ୍ରୀ ଓ ଅନୁଗାମୀମାନଙ୍କ ଦ୍ୱାରା ଏହି ଉତ୍ସବଟି ଏକ ସ୍ୱତନ୍ତ୍ର ପରିଚୟ ଗ୍ରହଣ କରିଥିଲା। ୧୯୯୫ ମସିହାରେ ଗୋଟିଏ ଦିନ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଏବେ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବା ସହିତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ପରିବେଷିତ ହେଉଛି ।

ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ଉକ୍ତ ଉତ୍ସବରେ ଦେଶର ସ୍ୱନାମଧନ୍ୟ କଳାକାରମାନଙ୍କ ଦ୍ୱାରା ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ। ଚଳିତ ବର୍ଷ ‘ସୃଜନ’ ଅନୁଷ୍ଠାନ ଦ୍ୱାରା ମହାନାୟକ ବିଜୁ ପଟ୍ଟନାୟକଙ୍କ କାର୍ଯ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଶୀ ନୃତ୍ୟାଭିନୟ ମଧ୍ୟ ଉପସ୍ଥାପନ କରାଯିବ।

Tags: Kelucharan Mohapatra, Guru Kelucharan Mohapatra Award, Srjan, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment