ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଷଷ୍ଠ ଦିନ। ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା ଓ ବସ୍ତ୍ରହରଣ। କୃଷ୍ଣବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କ ରଙ୍ଗସଭା।

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ମହାରାଜା କଂସଙ୍କ ଦ୍ୱାରା ବେନିଭାଇଙ୍କୁ ହତ୍ୟା କରିବା ପାଇଁ ଆୟୋଜିତ ହୋଇଥିଲା ରଙ୍ଗସଭା। କରଦ ରାଜାମାନେ ରଙ୍ଗସଭାରେ ଯୋଗ ଦେଇ କିପରି କୃଷ୍ଣବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କୁ ସାହାଯ୍ୟ କରିବେ ସେ ନେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ।

ଛଳନାରେ ବେନିଭାଇଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଧନୁଯାତ୍ରା ଆୟୋଜନ କରିବାକୁ ନାରଦ ପରାମର୍ଶ ଦେଇଥିଲେ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିବସରେ। ଅପରପକ୍ଷେ ଗୋପପୁରରେ କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା ଏବଂ ଗୋପାଙ୍ଗନାମାନଙ୍କ ବସ୍ତ୍ରହରଣ ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ହୋଇପାରିଥିଲା।

ରବିବାର ଥିଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିବସ। ଗୋପପୁରରେ ଚନ୍ଦ୍ରକଳା ପରି ବଢ଼ୁଥିବା କୃଷ୍ଣବଳରାମ ବେନୀଭାଇଙ୍କୁ ହତ୍ୟା କରିବା ପାଇଁ ମହରାଜା କଂସ ଚିନ୍ତିତ ହୋଇପଡ଼ିଛନ୍ତି। ମହାରାଜା କଂସ ଦ୍ୱାରା ପ୍ରେରିତ ଷଣ୍ଢା, ବକା, ଧେନୁକା, ସକଟା, ଅଘା, ତୃଣାବର୍ତ ପରି ରାକ୍ଷସ ଏବଂ ପୁତୁନା ରାକ୍ଷସୀ କୃଷ୍ଣ ବଲରାମଙ୍କ ହାତରେ ବଧ ହେବା ପରେ କଂସ ମର୍ମାହତ ହୋଇ ରଙ୍ଗସଭାର ଆୟୋଜନ କରିଛନ୍ତି।

Baragarh Dhanu Jatra

ଏହି ରଙ୍ଗସଭାକୁ ସମସ୍ତ କରଦ ରାଜାମାନଙ୍କୁ ନିମନ୍ତ୍ରୀତ କରିଥିବା ବେଳେ ଏଥିରେ ଶୋଣିତପୁରର ରାଜା ବାଣାସୁର, କରୀନ୍ଦ୍ର ରାଜ ପୌଣ୍ଡିକ, ମଣିକୁଣ୍ଡଳ ରାଜ ସୌଦାଶ, ଜ୍ୟୋତିଷପୁର ରାଜା ନାରାକସୁର , ମଗଧର ରାଜା ଜରାସନ୍ଧ, ଉଡଙ୍ଗ ରାଜ ବଜ୍ରନାଭ, କଠ୍ୱାର ରାଜା ମର୍କଟ ଦ୍ୱିବିନ୍ଦ, ସାକଲ୍ୟ ରାଜା ସାଲ୍ୱ, କଳିଙ୍ଗ ରାଜା ବଜ୍ରସେନ ତଥା ଚେଦି ରାଜା ଶିଶୁପାଳ ପରି ବୀର ଯୋଦ୍ଧା ଉପସ୍ଥିତ ଥିଲେ।

ରଙ୍ଗସଭାରେ ଏହି ଯୋଦ୍ଧାମାନେ ଉପସ୍ଥିତ ରହି କୃଷ୍ଣ ବଳରାମ ପରି ସାମାନ୍ୟ ଶିଶୁକୁ ହତ୍ୟା କରିବା ପାଇଁ ନିଜ ନିଜର ସମର୍ଥନ ଘୋଷଣା କରିଥିଲେ। ଏଥିସହିତ ସାମର୍ଥ୍ୟ ଅନୁଯାୟୀ କିଏ କେତେ ସଂଖ୍ୟାରେ ଅଶ୍ୱାରୋହୀ, ଗଜାରୋହୀ, ପଦାତିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଯୋଗେଇ ପାରିବେ ସେ ସମ୍ବନ୍ଧରେ ସୂଚନା ଦେଇ ଚିନ୍ତିତ ନ ହେବା ପାଇଁ ରାଜାଧିରାଜ ମହାରାଜା କଂସଙ୍କୁ ନିବେଦନ କରିଥିଲେ।

ଏହି ସମୟରେ ଦରବାରରେ ଦେବର୍ଷି ନାରଦ ପ୍ରବେଶ କରି ବଳରେ ଶ୍ରୀକୃଷ୍ଣଙ୍କୁ ପରାସ୍ତ ନ କରି ଛଳରେ ମଥୁରା ନିମନ୍ତ୍ରଣ କରିବା ପାଇଁ ପରାମର୍ଶ ଦେବା ପରେ କଂସାସୁର ଧନୁଯାତ୍ରା ମହୋତ୍ସବର ଷଡ଼ଯନ୍ତ୍ର ଘୋଷଣା କରିଥିଲେ। ସୁସଜ୍ଜିତ ରଙ୍ଗସଭା ଆଜି ପଡ଼ୋଶୀ ରାଜାମାନଙ୍କ ଉପସ୍ଥିତି ଓ ଅଟ୍ଟହାସ୍ୟରେ ଉଛୁଳି ପଡ଼ୁଥିବା ବେଳେ ଅହଙ୍କାରରେ ଚୁର କଂସାସୁର ରାଜାମାନଙ୍କ ସମ୍ମାନାର୍ଥେ ସୁରା ଓ ସାକୀର ବନ୍ଦୋବସ୍ତ ପାଇଁ ମହାମନ୍ତ୍ରୀ ଶକ୍ରାଜୀତଙ୍କୁ ନିର୍ଦ୍ଦେଶ ଦେଇ କରଦ ରାଜାମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ ବିପଣୀ ଖୋଲି ଦେଇଥିଲେ।

ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା

ଅନ୍ୟପଟେ ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା, ଗୋପାଙ୍ଗନାମାନଙ୍କ ବସ୍ତ୍ରହରଣ ତଥା ମା’ ଯଶୋଦାଙ୍କ ହାତରେ ଦଧି ଖାଉଥିବା ଦୃଶ୍ୟ ଦର୍ଶକଙ୍କ ମଧ୍ୟରେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଥିଲା। ଧିରେ ଧିରେ ଭଗବାନ ଶ୍ରୀକୃଷ୍ଣ  ଗୋପାଳ ବାଳକଙ୍କ ସହ ମିଶି ଗୋପପୁରରେ ଦୁଷ୍ଟାମୀ କରିବାକୁ ଲାଗିଛନ୍ତି। ଗୋପାଙ୍ଗନାମାନେ ପ୍ରସ୍ତୁତ କରିଥିବା ଦହି, ଲହୁଣି ଆଦି ଚୋରି କରି ସାଙ୍ଗସାଥିମାନଙ୍କ ସହିତ ବେନିଭ୍ରାତା ଚୋରୀ କରୁଥିବା ସମୟରେ ତାଙ୍କୁ ଆକଟ କରିବାକୁ ଯାଇ ହଟହଟା ହେଉଥିବା ଗୋପୀମାନଙ୍କ ଦୂରାବସ୍ଥା ଏକ ଅଦ୍ଭୁତପୂର୍ବ ସ୍ନେହ ବନ୍ଧନକୁ ଉଜାଗର କରିଛି।

Baragarh Dhanu Jatra

ଧନୁଯାତ୍ରାର ଷଷ୍ଠ ଦିନରେ ମଥୁରାରୁ ଦଧି ବିକ୍ରି କରି ଫେରି ଯମୁନା ନଦୀରେ ଗାଧୋଉଥିବା ରାଧା ଓ ଗୋପାଙ୍ଗନାଙ୍କ ବସ୍ତ୍ର ଚୋରି କରିନେଇଛନ୍ତି ନଟଖଟିଆ କାହ୍ନା। ଆଉ ବହୁତ କାକୁତି ମିନତି ପରେ ଗୋପାଙ୍ଗନାମାନଙ୍କୁ ବସ୍ତ୍ର ଫେରେଇଛନ୍ତି ଭଗବାନ ଶ୍ରୀକୃଷ୍ଣ।

ଧନୁଯାତ୍ରାର ସପ୍ତମ ଦିନ ସୋମବାର ମଥୁରାରେ ଛଳନାର ଯାତ୍ରା ଧନୁଯାତ୍ରା ଆୟୋଜନ ପାଇଁ କୃଷ୍ଣବଳରାମଙ୍କୁ ନିମନ୍ତ୍ରଣ କରିବା ସକାଶେ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜା କଂସ ଚିଟାଉ ପ୍ରସ୍ତୁତ, ଗୋପାଙ୍ଗନାମାନଙ୍କ ଦଧି ବିକ୍ରି, ନାଉରିଆ ବେଶରେ କୃଷ୍ଣ ରାଧାଙ୍କୁ ଯମୁନା ନଦୀ ପାରି କରିବା ସହ ରାଧାକୃଷ୍ଣଙ୍କ ନାବକେଳୀ ଦୃଶ୍ୟ ଅଭିନୀତ ହେବ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment