ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ: ନୂଆଦିଲ୍ଲୀର ପ୍ରଗତି ମୈଦାନଠାରେ ଚାଲିଥିବା ବିଶ୍ୱ ପୁସ୍ତକ ମେଳା ୨୦୨୦ରେ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ପୁସ୍ତକ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ ହୋଇଛି। ରବିବାର ଅନୁଷ୍ଠିତ ‘ପିଲାର ସାମଗ୍ରିକ ବିକାଶ ଲାଗି ମାତୃଭାଷା ଏକ ପ୍ରବେଶପଥ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ବକ୍ତାଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଧୁନିକ ଭାରତୀୟ ସାହିତ୍ୟ ବିଭାଗର ପ୍ରଫେସର ରବି ପ୍ରକାଶ ତେକ୍‍ଚାନ୍ଦ୍‍ନୀ ଯୋଗ ଦେଇଥିଲେ।

ସେହିପରି ସମ୍ମାନିତ ବକ୍ତାଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂ, ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ, ଜବାହାରଲାଲ୍‍ ବିଶ୍ୱବିଦ୍ୟାଳୟ ଆଦିକବି ସାରଳା ଦାସ ଚେୟାରର ପ୍ରଫେସର ଉଦୟନାଥ ସାହୁ ଓ ଭାରତୀୟ ଜନ ସଞ୍ଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଯୋଗଦେଇ ଆଲୋଚନା କରିଥିଲେ।

ଏହି ଅବସରରେ ଅତିଥିମାନେ ମୃଣାଳଙ୍କ ପୁସ୍ତକକୁ ଉନ୍ମୋଚିତ କରିଛନ୍ତି। ପୁସ୍ତକଟି ପ୍ରକାଶ କରିଛି ଢେଙ୍କାନାଳର ଶେଫାଳି କମ୍ୟୁନିକେଶନ। ଏହାର ଇ-ପୁସ୍ତକ ମଧ୍ୟ ଇଣ୍ଟରନେଟରେ ଉପଲବ୍ଧ ହେଉଛି।

୨୦୧୯ ବର୍ଷରେ ଏକ ଦୈନିକ ଖବରକାଗଜର ନିୟମିତ ସ୍ତମ୍ଭରେ ପ୍ରକାଶିତ ମୃଣାଳଙ୍କ ଲେଖାକୁ ନେଇ ସଙ୍କଳିତ ଏ ପୁସ୍ତକଟି ବେଶ୍‍ ପାଠକୀୟ ହୋଇପାରିଛି। ଏଥିରେ ଲେଖକ ଅତି ସାଧାରଣ କଥାକୁ ନିଜ ଅନନ୍ୟ ଉପସ୍ଥାପନ ଶୈଳୀ ମାଧ୍ୟମରେ ପାଠକଙ୍କୁ ପରଷିଛନ୍ତି। ଘରେ, କର୍ମକ୍ଷେତ୍ରରେ, ଖଟିରେ ହେଉଥିବା ଅନେକ ଆଲୋଚନାର ପ୍ରସଙ୍ଗ ମଧ୍ୟ ଏ ପୁସ୍ତକରେ ସ୍ଥାନ ପାଇଛି।

ଏଥିରେ କେଉଁ ଲେଖାରେ ଲେଖକ ଭଲ କଥାକୁ ପ୍ରଶଂସା କରିଛନ୍ତି ତ ଆଉ କେଉଁ ଲେଖାରେ ମନ୍ଦକୁ ନିନ୍ଦା କରିଛନ୍ତି। ପୁଣି କିଛି ଲେଖା ବିଚାର ପାଇଁ ପାଠକଙ୍କ ଉପରେ ଛାଡ଼ି ଦେଇଛନ୍ତି। ଲେଖକ ଏ ପୁସ୍ତକରେ ପ୍ରାସଙ୍ଗିକତାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଅର୍ଥାତ୍‍ ରାଜ୍ୟ, ଦେଶ ତଥା ବିଦେଶରେ ଘଟୁଥିବା ବିଭିନ୍ନ ଘଟଣାବଳୀ ସମୟରେ ହିଁ ଲେଖକ ତା’ ଉପରେ ଆଲୋଚନା କରିଛନ୍ତି।

ଯେମିତି କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ହୋଇଥିବା ନାଟକକୁ ଲେଖକ ନିଜସ୍ୱ ଢଙ୍ଗରେ ବିଶ୍ଳେଷଣ କରିଛନ୍ତି। ପୁସ୍ତକର ପ୍ରତ୍ୟେକଟି ନିବନ୍ଧ ପାଠକଙ୍କୁ ଭିନ୍ନ ମନେ ହେବ। ଲେଖକ ବିଭିନ୍ନ ବିଷୟରେ ଅନୁଧ୍ୟାନ କରି ନିଜର ମୌଳିକ ଛାପ ଛାଡ଼ିଛନ୍ତି। ଲୋକଙ୍କ ବିଭିନ୍ନ ମାନସିକତା କେତୋଟି ଲେଖାରେ ପ୍ରତିଫଳିତ ହୋଇଛି। ସେହିପରି ଐତିହାସିକ ଜାଲିଆନାଓ୍ଵାଲା ବାଗ୍‌ ହତ୍ୟାକାଣ୍ଡର ଶହେ ବର୍ଷ ପୂର୍ତ୍ତି, ଗଣମାଧ୍ୟମର ସ୍ୱାଧୀନତା ଜରୁରୀ କାହିଁକି? ୨୦୧୯ ନିର୍ବାଚନ, ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି।

ମୋଟାମୋଟି ଏ ପୁସ୍ତକଟିରେ ପାଠକ ନିଜ ଚରିତ୍ରକୁ ଖୋଜିବାକୁ ଚେଷ୍ଟା କରିବା ସହ ବିଭିନ୍ନ ଘଟଣା, ପ୍ରସଙ୍ଗ, ଦର୍ଶନ, ପରିବର୍ତ୍ତନର ଦିଗ ବିଷୟରେ ବେଶ୍‍ କିଛି ଧାରଣା ନେଇପାରିବେ। ବର୍ତ୍ତମାନ ସମାଜର ଏକ ୩୬୦ ଡିଗ୍ରୀ ଚିତ୍ର ନେଇପାରିବେ। ଅନେକ ଲେଖା ଲୋକଙ୍କୁ ସଚେତନ କରିପାରିବ। ଆଉ କିଛି ଲେଖା ବର୍ତ୍ତମାନର ସମାଜ ବ୍ୟବସ୍ଥାକୁ ସମୀକ୍ଷା ଓ ତର୍ଜମା କରିବାର ଖୋରାକ୍‍ ଯୋଗାଇଦେବ।

Comment