ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ନିର୍ଭୟା ପୀଡ଼ିତାଙ୍କୁ ନ୍ୟାୟ ମିଳିଛି।

୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ନିର୍ଭୟର ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିଛି। ଜାନୁଆରି ୨୨ରେ ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ବୋଲି ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିବା ପରେ ସାରା ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

ଜାନୁଆରି ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍‌ରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ଏହି ୪ ଦୋଷୀ ହେଲେ ମୁକେଶ, ବିନୟ ଶର୍ମା, ଅକ୍ଷୟ ସିଂ ଏବଂ ପବନ ଗୁପ୍ତା।

୭ ବର୍ଷର ସଂଘର୍ଷ କେମିତି ଥିଲା?

୨୦୧୨, ଡିସେମ୍ବର ୧୬: ଦିଲ୍ଲୀରେ ଏକ ଚଳନ୍ତା ବସ୍‌ରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ଆସିଲା।  ବସ୍‌ ଡ୍ରାଇଭର ରାମ ସିଂ, ମୁକେଶ ସିଂ, ଅକ୍ଷୟ ଠାକୁର, ବିନୟ ଶର୍ମା, ପବନ ଗୁପ୍ତା ଏବଂ ଜଣେ ନାବାଳକ ଏହି ନୃଶଂସା ଘଟଣାରେ ସାମିଲ ଥିବା ଅଭିଯୋଗ ଆସିଲା।

୨୦୧୩ରେ ଚାର୍ଜସିଟ୍‌ ଦାଖଲ, ଦିଲ୍ଲୀ ହାଇକୋର୍ଟ ଗଲା ମାମଲା

ଜାନୁଆରି ୩ରେ ୫ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଦିଲ୍ଲୀ ପୋଲିସ। ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ଦଣ୍ଡବିଧାନ କୋହଳ ହୋଇଥିଲା ଏବଂ ଅନ୍ୟ ୫ ଜଣଙ୍କୁ ୧୩ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ମାର୍ଚ୍ଚ ୧୧ରେ ଜେଲ୍‌ ଭିତରେ ବସ୍‌ ଡ୍ରାଇଭର ରାମ ସିଂହ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ଆସିଲା।  ସେପ୍ଟେମ୍ବର ୧୦ରେ ଫାଷ୍ଟଟ୍ରାକ୍‌ କୋର୍ଟରେ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାର ଆରମ୍ଭ ହେଲା। ସେପ୍ଟେମ୍ବର ୧୩ରେ ୪ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ସହ ଦିଲ୍ଲୀ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଥିଲା।

ନଭେମ୍ବର ୧ରୁ ଦିଲ୍ଲୀ ହାଇକୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ୨୦୧୪ ମାର୍ଚ୍ଚ ୧୩ରେ ଫାଷ୍ଟଟ୍ରାକ୍‌ କୋର୍ଟଙ୍କ ରାୟକୁ କାଏମ ରଖିଲେ ଦିଲ୍ଲୀ ହାଇକୋର୍ଟ।

୨୦୧୬ରେ ସୁପ୍ରିମକୋର୍ଟ ଗଲା ମାମଲା

ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ୨୦୧୬ ଏପ୍ରିଲ ୩ରୁ ଶୁଣାଣି ଆରମ୍ଭ ହେଲା। ୨୦୧୭ ମେ’ ୫ରେ ୫ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ।  ଅଭିଯୁକ୍ତ ପବନ, ମୁକେଶ ଏବଂ ବିନୟର ପୁନର୍ବିଚାର ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ଡିସେମ୍ବର ୧୩ରେ ନିର୍ଭୟାଙ୍କ ବାପା, ମା’ ପଟିଆଲ ହାଉସ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

୨୦୧୯ରେ ନୂଆ ମୋଡ଼

ନିର୍ଭୟା ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଳମ୍ବ ହେଉଥିବାରୁ ବିଭିନ୍ନ ଆଡୁ ଚାପ ପଡୁଥିଲା। ୨୦୧୯ରେ ହିଁ ଏହି ମାମଲା ନୂଆ ମୋଡ଼ ନେବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ବାଟ ଫିଟିଥିଲା। ଦିଲ୍ଲୀ ସରକାରଙ୍କ ପାଖରେ ଅଭିଯୁକ୍ତ ବିନୟ ଶର୍ମା ପ୍ରଥମେ ରାଜକ୍ଷମା ଆବେଦନ କରିଥିଲେ। ହେଲେ ଦିଲ୍ଲୀ ସରକାର ଏହି ଆବେଦନ ଖାରଜ କରିଥିଲେ।

ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ମାମଲାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଡିସେମ୍ବର ୧୮ରେ ପଟିଆଲ ହାଉସ୍‌ କୋର୍ଟ ୪ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ପୁଣି ସମୟ ଦେଇଥିଲେ। ଜାନୁଆରି ୭ ଯାଏଁ ସମୟ ଥିଲା। ହେଲେ କୌଣସି ଆବେଦନ ନହେବାରୁ ୪ ଦୋଷୀଙ୍କ ବିରୋଧରେ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି।

Comment