ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଧନୁଯାତ୍ରାରେ କେବଳ କଳାକାରମାନେ ଉପକୃତ ହୁଅନ୍ତି ନାହିଁ, ବରଗଡ଼ ସହରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ। ରାସ୍ତା କଡ଼ର ଛୋଟ ଦୋକାନୀଙ୍କଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀମାନେ ଧନୁଯାତ୍ରାରେ ଭଲ ଦି ପଇସା ରୋଜଗାର କରନ୍ତି। ଏଥିପାଇଁ ସମସ୍ତେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି।

୧୧ ଦିନ ଧରି ଚାଲେ ବରଗଡ଼ର ଧନୁଯାତ୍ରା। ଚଳଚଞ୍ଚଳ ହୋଇ ଉଠେ ବରଗଡ଼ ସହର। ଧନୁଯାତ୍ରା ଦେଖିବା ପାଇଁ ସମସ୍ତେ ଆଧୁନିକ ମଥୁରା ନଗରୀ ଏବଂ ଗୋପୁରରେ ଭିଡ଼ ଜମାଇଥାନ୍ତି। ଏହି ଭିଡ଼କୁ ନଜରରେ ରଖି ବିଭିନ୍ନ ଦୋକନୀମାନେ ଷ୍ଟଲ ଖୋଲିଥାନ୍ତି। ବରଗଡ଼ ଜିଲ୍ଲା ତଥା ବାହାରୁ ବହୁ ଦୋକାନୀ ଆସି ଏଠାରେ ପସରା ମେଲାଇଥାନ୍ତି। ଆଉ ଯାତ୍ରା ଦେଖିବାକୁ ଆସୁଥିବା ଲୋକମାନେ ବି ଆଗ୍ରହର ସହ ଅସ୍ଥାୟୀ ଷ୍ଟଲକୁ ଯାଇ ବିଭିନ୍ନ ସାମଗ୍ରୀ କିଣିବା ସହ ଚଟପଟି ଖାଦ୍ୟର ମଜା ନେଇଥାନ୍ତି।

କିଣାବିକା ପାଇଁ ଧନୁଯାତ୍ରାକୁ ଅପେକ୍ଷା କରିଥାନ୍ତି ଲୋକେ

ବରଗଡ଼ ଧନୁଯାତ୍ରା ସହିତ ମାର୍କେଟିଂ ଶବ୍ଦଟି ବହୁତ ଭଲ ଭାବେ ଯୋଡ଼ି ହୋଇରହିଛି। ନିମ୍ନ ମଧ୍ୟବିତ୍ତ ପରିବାର ଏବଂ ଧନୀକ ଶ୍ରେଣୀର ଲୋକ ଧନୁଯାତ୍ରାରେ କିଛି ନା କିଛି କିଣାକିଣି କରନ୍ତି।

ବରଗଡ଼ ଧନୁଯାତ୍ରା ବିଶ୍ୱପ୍ରସିଦ୍ଧ ହେବା ସହିତ ଏକ ଜାତୀୟ ଉତ୍ସବରେ ପରିଣତ ହୋଇସାରିଛି। ବରଗଡ଼ରେ ମଧ୍ୟ ଅନେକ ଉତ୍ସବ ଆୟୋଜନ ହେଉଛି। ହେଲେ ବରଗଡ଼ ଅଞ୍ଚଳର ଲୋକେ ନିର୍ଦ୍ଦିଷ୍ଟ ଭାବେ ଧନୁଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି।

ଧନୁଯାତ୍ରା ଅବସରରେ ଲୋକେ ନୂଆ ଲୁଗାପଟା କିଣିଥାନ୍ତି। ସୁନାଦୋକାନରୁ ଅଳଙ୍କାର କିଣିବା ସହ ଅନ୍ୟ ଘରକରଣା ସାମଗ୍ରୀ ମଧ୍ୟ କିଣିଥାନ୍ତି। ଏଥିପାଇଁ ବିଭିନ୍ନ ଦୋକାନରେ ଭିଡ଼ ଜମିଥାଏ। ରିହାତିର ଲୋଭ ଦେଖାଇ ଦୋକାନୀମାନେ ଗ୍ରାହକମାନଙ୍କୁ ଆକୃଷ୍ଟ କରିଥାନ୍ତି। ଠେଲାଦୋକାନୀଙ୍କଠାରୁ ସହରର ଷ୍ଟାର୍ ହୋଟେଲ୍ ଯାଏ ନିଜକୁ ପ୍ରସ୍ତୁତ କରିଥାନ୍ତି ଧନୁଯାତ୍ରାରେ ଭଲ ଦି-ପଇସା ରୋଜଗାର କରିବା ପାଇଁ।

ଗାଡ଼ି ଚାଳକ ବି ଫୁରସତ୍‍ ପାଆନ୍ତି ନାହିଁ

ଧନୁଯାତ୍ରା ଅବସରରେ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ବିଭିନ୍ନ ମେଳାର ଆୟୋଜନ କରାଯାଇଥାଏ। ବ୍ୟବସାୟ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥାଏ। ଚଟପଟି ଖାଦ୍ୟ ଖାଇବା ପାଇଁ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ଆଗ୍ରହ ସୃଷ୍ଟି ହୋଇଥାଏ। ପ୍ରକୃତରେ ଏସବୁ ଦୃଶ୍ୟ ଦେଖିଲେ ମନେହୁଏ ଧନୁଯାତ୍ରା ଅବସରରେ ଯେପରି ‘ଖାଦ୍ୟମେଳା’ର ଆୟୋଜନ କରାଯାଇଛି।

ଧନୁଯାତ୍ରା ଅବସରରେ ଗାଡ଼ି ଚାଳକମାନେ ବି ଭଲ ବ୍ୟବସାୟ କରିଥାନ୍ତି। ଟ୍ରେନ୍ ଓ ବସରେ ବାହାରୁ ବହୁ ଯାତ୍ରୀ ବରଗଡ଼କୁ ଆସିଥାନ୍ତି। ଧନୁଯାତ୍ରାର ବିଭିନ୍ନ ଲେକେସନକୁ ଯିବା ପାଇଁ ଅଟୋରିକ୍ସା, ରିକ୍ସା ଓ ଅନ୍ୟାନ୍ୟ ଛୋଟ ଚାରିଚକିଆ ଗାଡ଼ି ଉପରେ ଯାତ୍ରୀମାନେ ନିର୍ଭର କରିଥାନ୍ତି। କେବଳ ଧନୁଯାତ୍ରା ଦେଖିବା ପାଇଁ ନୁହେଁ, ବରଗଡ଼ ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନରେ ବି ଲୋକଙ୍କର ଭିଡ଼ ଲାଗିଥାଏ।

ମୀନାବଜାର ଅନ୍ୟତମ ଆକର୍ଷଣ

‘ମୀନାବଜାର’ ହେଉଛି ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ। ମୀନାବଜାର ଧନୁଯାତ୍ରା ଆୟୋଜନ ପାଇଁ ବିଶେଷ ସହଯୋଗ କରି ଆସୁଛି। ଏଇ ମୀନାବଜାର ପାଇଁ ଧନୁଯାତ୍ରାରେ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଚାଲିଛି। ବିଭିନ୍ନ ରକମର ଦୋଳି ମଧ୍ୟ ଏଠାରେ ପଡ଼ିଥାଏ। ଲୋକେ ମୀନାବଜାରରୁ ବିଭିନ୍ନ ସାମଗ୍ରୀ କିଣିବା ସହ ଦୋଳିରେ ଝୁଲିଥାନ୍ତି।

ହସ୍ତତନ୍ତ ମେଳା, ହସ୍ତଶିଳ୍ପ ମେଳା, ଓରମାସ୍ ମେଳା, ବିଭିନ୍ନ ଅଟୋମୋବାଇଲ କମ୍ପାନି, ଇଲେକ୍ଟ୍ରୋନିକ୍ ଦ୍ରବ୍ୟ ଉତ୍ପାଦନକାରୀ କମ୍ପାନିମାନେ ଷ୍ଟଲ୍ ଖୋଲିଥାନ୍ତି। ଏଇ ଷ୍ଟଲଗୁଡ଼ିକରେ ସକାଳ ୧୦ରୁ ରାତ୍ରି ୧୦ଟା ଯାଏ ଲୋକଙ୍କ ଭିଡ଼ ଜମିଯାଇଥାଏ। ଆକର୍ଷଣୀୟ ରିହାତି ଏବଂ ଉପହାର ଦେଇ ଏମାନେ ମଧ୍ୟ ଗ୍ରାହକମାନଙ୍କୁ ନିଜ ଷ୍ଟଲ୍ ଆଡକୁ ଟାଣୁଥାନ୍ତି।

ପୁଣି ସହରର ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ପସରା ମେଲାଇ ଛୋଟ ଦୋକାନୀମାନେ ବସିଥାନ୍ତି। ଏହି ଦୋକାନରେ ମଧ୍ୟ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଥାଏ। ଲୁଗାପଟା, କସମେଟିକ୍, ଖେଳଣା, ମନୋହରୀ ଏମିତି ବିଭିନ୍ନ ରକମର ଜିନିଷ ଏଠାରେ ମିଳିଥାଏ। ବହୁ ଫେରିବାଲା ମଧ୍ୟ ଏଠାରେ ବେଲୁନ୍‌, ପେଁକାଳି ବିକ୍ରି କରିଥାନ୍ତି।

ବରଗଡ଼ ଧନୁଯାତ୍ରାରେ ‘ହୋଟେଲ୍ ଶିଳ୍ପ’ର ବେଶ୍ ଚାହିଦା ବୃଦ୍ଧି ପାଇଥାଏ। ଧନୁଯାତ୍ରା ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ, ରାଜ୍ୟ ବାହାରୁ ଏପରିକି ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି। ଏମାନଙ୍କ ରହଣି ପାଇଁ ହୋଟେଲ ମାଲିକମାନେ ବେଶ୍ ତତ୍ପରତା ଦେଖାଇଥାନ୍ତି। ଏହାବ୍ୟତୀତ ଛୋଟ ହୋଟେଲଗୁଡ଼ିକ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥାନ୍ତି। ସମାନ୍ତରାଳ ଭାବେ ଏହାର ବାଣିଜ୍ୟିକ ପ୍ରଭାବ ମଧ୍ୟ ଏ ଅଞ୍ଚଳର ଅର୍ଥନୈତିକ ବୃଦ୍ଧିରେ ସହାୟକ ହୋଇ ଆସୁଛି। ସେ ଗୁପଚୁପ୍ ଠେଲାବାଲା ହୁଅନ୍ତୁ କି ଷ୍ଟାର ହୋଟେଲ୍ ମାଲିକ ହୁଅନ୍ତୁ, ସମ୍ବଲପୁରୀ ଶାଢ଼ୀର ବିକ୍ରେତା ହୁଅନ୍ତୁ କି ରାଜସ୍ଥାନୀ ଶାଲ, ଫେରିବାଲା ହୁଅନ୍ତୁ, ସମସ୍ତେ ଧନୁଯାତ୍ରା ଅବସରରେ ଭଲ ରୋଜଗାର କରିଥାନ୍ତି।

Comment