ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତି ବର୍ଷ ଜାନୁଆରି ୧୨କୁ ଦେଶବ୍ୟାପି ଯୁବ ଦିବସ ଭାବେ ପାଳନ କରାଯାଏ। ଆଧୁନିକ ଭାରତର ନିର୍ମାତା କୁହାଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ। ବିବେକାନନ୍ଦଙ୍କ ଦର୍ଶନ ଓ ଆଦର୍ଶ ଆଡ଼କୁ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ ସରକାର ତାଙ୍କ ଜନ୍ମ ଦିବସକୁ ଯୁବ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ।

ବିବେକାନନ୍ଦଙ୍କ ବିଚାର ଧାରା ଓ ଜୀବନଶୈଳୀ ଦ୍ୱାରା ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଏପରି ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ  ସାରା ଦେଶ ବିବେକାନନ୍ଦଙ୍କ ୧୫୭ତମ ଜନ୍ମ ଦିବସ ପାଳନ କରୁଛି। ଏହି ଅବସରରେ ସ୍କୁଲ, କଲେଜମାନଙ୍କରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

୧୮୬୩ରେ କୋଲକାତାରେ ଜନ୍ମ ହୋଇଥିଲେ ବିବେକାନନ୍ଦ। ବିବେକାନନ୍ଦଙ୍କ ପିଲାବେଳର ନାଁ ଥିଲା ନରେନ୍ଦ୍ର ନାଥ ଦତ୍ତ। କେହି କେହି ତାଙ୍କୁ ବିଲେ ବି ଡାକୁଥିଲେ।

ପିଲା ବେଳେ ବିଲେ ବଡ଼ ଅଶାନ୍ତ ଥିଲେ। ଏଥିପାଇଁ ତାଙ୍କ ମା’ କହୁଥିଲେ ଯେ, ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି, ସେ ଗୋଟିଏ ଭୂତ ପଠାଇ ଦେଲେ। ମା’ଙ୍କଠାରୁ ରାମାୟଣ ମହାଭାରତ ଗଳ୍ପ ଶୁଣିବା ମାଧ୍ୟମରେ ବିବେକାନ୍ଦଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ରାମସୀତାଙ୍କର ମୂର୍ତ୍ତିକୁ ପୁଷ୍ପମାଲ୍ୟରେ ସଜ୍ଜିତ କରିବାକୁ ବିଲେ ଖୁବ୍‌ ଭଲ ପାଉଥିଲେ। ସାଙ୍ଗମାନଙ୍କ ସହ ଶିବମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରିବା ଥିଲା ବିଲେର ଅନ୍ୟତମ ପ୍ରିୟ ଖେଳ।

ଦିନେ ଛାତଘରେ ବିଲେଙ୍କ ସାଙ୍ଗମାନଙ୍କ ସହ ଏହି ଧ୍ୟାନର ଖେଳ ଖେଳୁଥିଲେ, ଏପରି ସମୟରେ ଗୋଟିଏ ଗୋଖର ସାପ ସେଠାରେ ଦେଖାଗଲା। ସାଙ୍ଗମାନେ ସମସ୍ତେ ଦୌଡ଼ି ପଳାଇଲେ। କିନ୍ତୁ ବିଲେ ଗଭୀର ଧ୍ୟାନମଗ୍ନ ଥିଲେ। ଚାରିଆଡ଼େ ଚହଳ ପଡ଼ିଗଲା। ସାପଟି ଚାଲିଯିବା ପରେ ଧ୍ୟାନସ୍ଥ ବିଲେକୁ ସେଠାରୁ ଅଣାଯାଇଥିଲା।

ବିବେକାନନ୍ଦଙ୍କ ବାପା ବିଶ୍ୱନାଥ ଦତ୍ତ କୋଲକାତା ହାଇକୋର୍ଟର ଓକିଲ ଥିଲେ। ତାଙ୍କ ମା’ ଭୁବେନଶ୍ୱରୀ ଦେବୀ ଆଧ୍ୟାତ୍ମିକ ବିଚାର ରଖୁଥିବା ମହିଳା ଥିଲେ। ୧୮୮୧ ମସିହାର ନଭେମ୍ବର ମାସରେ ଗୁରୁ ରାମକୃଷ୍ଣ ପରମହଂସଙ୍କ ସହିତ ସାକ୍ଷାତ ବିବେକାନନ୍ଦ ଜୀବନ ଧାରାଟିକୁ ପରିବର୍ତ୍ତିତ କରିଦେଇଥିଲା।

ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ।

ମାତ୍ର ୨୫ ବର୍ଷ ବୟସରେ ସେ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ।

ବିବେକାନନ୍ଦ ନିଜର ଶେଷ ଜୀବନ ବେଲୁଡ଼ ମଠରେ ଅତିବାହିତ କରିଥିଲେ। ସନ୍ଧ୍ୟାରେ ବେଲୁଡ ମଠର ଧ୍ୟାନ କଲାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେତେବେଳେ ତାଙ୍କର ବୟସ ଥିଲା ୩୯ ବର୍ଷ।

Comment