ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରଲୋକରେ ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ର। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ମନମୋହନଙ୍କ ସାନ ପୁଅ ମନତୋଷ ମହାପାତ୍ର।

ମନମୋହନଙ୍କ ଦେହାନ୍ତ ପରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ମନମୋହନଙ୍କ ନିର୍ଦ୍ଦେଶିତ ‘ନିରବ ଝଡ଼’ ଜାତୀୟ ପୁରସ୍କାର ପାଇଥିଲା। ଏହାସହ ଭିଜା ମାଟିର ସ୍ଵର୍ଗ ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମଧ୍ୟ ପାଇଥିଲେ।

ମନମୋହନ ମହାପାତ୍ର ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ କଥାଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ। ତାଙ୍କ ନିର୍ଦ୍ଦେଶିତ ଆଠଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅନ୍ତର୍ଗତ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବରେ ପୁରସ୍କାର ଲାଭ କରିଛି। ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ମନମୋହନ ୧୯୭୫ ମସିହାରେ ପ୍ରଥମ କରି “ଆଣ୍ଟି-ମେମୋରିସ୍” ନାମକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରିଥିଲେ।

ପରେ ୧୯୮୧ ମସିହାରେ ଶୀତ ରାତିର ନିର୍ଦ୍ଦେଶନା ତାଙ୍କୁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା। ଏହାସହ ପ୍ରଥମ ଥର କୌଣସି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏକ ଓଡ଼ିଆ ଚଳଚ୍ଚିତ୍ର ଭାବରେ ପ୍ରଦର୍ଶିତ ହୋଇଥିଲା। ସେ ହିନ୍ଦୀ ଫିଲ୍ମ ‘ବିଟ୍‌ସ ଆଣ୍ଡ ପିସେସ୍‌’ରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ।

ଅଗ୍ନି ବୀଣା, ଅନ୍ଧ ଦିଗନ୍ତ, କିଛି ସ୍ମୃତି କିଛି ଅନୁଭୂତି, ନିଶିଥ’ ସ୍ଵପ୍ନ, ମଝି ପାହାଚ ଓ କ୍ଲାନ୍ତ ଅପରାହ୍‌ଣ ଭଳି ଚଳଚ୍ଚିତ୍ର ମନମୋହନଙ୍କ ଅବଦାନ ଥିଲା।

Comment