ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ତଥା ବିଶିଷ୍ଟ ଯାତ୍ରା ନିର୍ଦ୍ଦେଶକ ଡକ୍ଟର ସଚ୍ଚି ଦାସଙ୍କର ପରଲୋକ ଘଟିଛି। ଗୁରୁବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।

ଡକ୍ଟର ସଚ୍ଚି ଦାସଙ୍କ ବିୟୋଗରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନେ ଶୋକ ପ୍ରକାଶ କରିଛନ୍ତି। ଗୁରୁବାର ଅନନ୍ଦପୁରସ୍ଥିତ ପୈତୃକ ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଓଡ଼ିଶା କଳା ଜଗତରେ ନିଜକୁ ବେଶ୍ ପ୍ରତିଷ୍ଠିତ କରିଥିଲେ ଡକ୍ଟର ସଚ୍ଚି ଦାସ। ୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀଠାରେ ସେ ଜନ୍ମଗ୍ରହଣ କରିଥିଲେ। ପିଲା ବେଳୁ କଳା ପ୍ରତି ତାଙ୍କ ମନରେ ଅହେତୁକ ଉତ୍ସାହ ରହିଥିଲା।

ସେ ଅନେକ ଫିଲ୍ମ ଓ ଧାରାବାହିକରେ ଅଭିନୟ କରିବା ସହ ୫୦୦ରୁ ଊର୍ଦ୍ଧ୍ୱ ଯାତ୍ରା ଏବଂ ଶତାଧିକ ନାଟକର ନିର୍ଦ୍ଦେଶନା ଦେଇଥିଲେ। ଏହାସହ ନିଜ ଜୀବନରେ ପ୍ରାୟ ୪୦୦ରୁ ଅଧିକ ଯାତ୍ରା ଓ ନାଟକ ସେ ରଚନା କରିଥିଲେ।

ଡକ୍ଟର ସଚ୍ଚି ଦାସ ୧୯୫୮ ମସିହାରେ “ଜନତା ରଙ୍ଗମଞ୍ଚ” ସହିତ ଜଡ଼ିତ ହୋଇଥିଲେ। ଏହାସହ ସେ  “ଏବଂ ଆମେ” ନାମକ ନାଟ୍ୟ ଅନୁଷ୍ଠାନ ଗଠନ କରି ବହୁ ମଞ୍ଚନାଟକ ପ୍ରସ୍ତୁତ କରିଥିଲେ। ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ।

Tags: #DrSachiDas #Actor #Director #Odisha

LEAVE A REPLY

Please enter your comment!
Please enter your name here