ଓଡ଼ିଶାଲାଇଭ୍ ବ୍ୟୁରୋ

ଗବ୍ବର ସିଂହ ଓ ଫୁଲନ ଦେବୀଙ୍କ ରାଜ୍ୟ ମଧ୍ୟପ୍ରଦେଶ ନୁହେଁ ଏବେ ଡକାୟତିରେ ଓଡ଼ିଶା ରହିଛି ଆଗରେ। ଅବଶ୍ୟ ଆମ ଉପରେ କେବଳ ମହାରାଷ୍ଟ୍ର ହିଁ ରହିଛି। ମହାରାଷ୍ଟ୍ର ଓ ଓଡ଼ିଶା ଡକାୟତି କ୍ଷେତ୍ରରେ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ରହିଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ନୂଆ ତଥ୍ୟରୁ ଏହା ଜଣାପଡ଼ିଛି।
ଏନ୍ସିଆରବିର ଡାଟା ଅନୁଯାୟୀ ୨୦୧୮ରେ ଓଡ଼ିଶାରେ ୪୧୮ଟି ଡକାୟତି ଘଟଣା ହୋଇଥିଲା। ବ୍ୟସ୍ତ ହେବାର କାରଣ ହେଉଛି ଏହା ଦିନକୁ ଦିନ ବଢ଼ି ଚାଲିଛି। ୨୦୧୫ରେ ୩୭୯ ଡକାୟତି ହୋଇଥିବା ବେଳେ ୨୦୧୮ରେ ଏହା ଚାରି ଶହ ଟପିଛି। ବିଶେଷକରି ଦୋକାନୀ, ଘର ମାଲିକ ଓ ହାଇୱେରେ ଲୋକମାନେ ଡକାୟତିର ଶିକାର ହେଉଥିବା ଜଣାପଡ଼ିଛି।
ମୋଟ୍ ଡକାୟତି ଭିତରୁ ଦୋକାନ ଓ ବ୍ୟାଙ୍କର ପରିମାଣ ହେଉଛି ୪୦ ପ୍ରତିଶତ। ତା’ ପଛକୁ ରହିଛନ୍ତି ରାଜପଥରେ ଯାଉଥିବା ଲୋକ। ସବା ପଛରେ ଅଛନ୍ତି ଘର ମାଲିକ। ଏହି ସବୁ ଡକାୟତିରେ ପ୍ରାୟ ୧୨୦ କୋଟି ଟଙ୍କା କ୍ଷତି ହୋଇଥିବା ବିଷୟ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ କୁହାଯାଇଛି। ତେବେ ଏହି ସମ୍ପତ୍ତି ଉଦ୍ଧାର କରିବା କ୍ଷେତ୍ରରେ ପୋଲିସର ଅପାରଗତା ମଧ୍ୟ ସାମ୍ନାକୁ ଆସିଛି। ମାତ୍ର ୨୮ ପ୍ରତିଶତ ସମ୍ପତ୍ତି ଉଦ୍ଧାର ହୋଇପାରିଛି।
ଦିନକୁ ଦିନ ବଢୁଥିବା ଡକାୟତି ଘଟଣା ପଛରେ ଡକାୟତି ଗ୍ୟାଙ୍ଗର ବୃଦ୍ଧି ଏକ ବଡ଼ କାରଣ। ତା’ ଛଡ଼ା ବିଭିନ୍ନ ସ୍ତରରେ ଡକାୟତମାନଙ୍କୁ ସୁରକ୍ଷା ଦେବା ମଧ୍ୟ ରାହାଜାନିର ଅନ୍ୟ ଏକ କାରଣ।

















