ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠୁ ଆରମ୍ଭ ହେଉଛି। ମଙ୍ଗଳବାର ଦୁଇ ଦଳ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ।

ବର୍ଷର ପ୍ରଥମ ସିରିଜକୁ ୨-୦ରେ ଜିତିଥିବା ଭାରତୀୟ ଦଳ ପାଖରେ ଏବେ ଅଷ୍ଟ୍ରେଲିଆକୁ ହରେଇବା ଚ୍ୟାଲେଞ୍ଜପୂର୍ଣ୍ଣ ହେବ ବୋଲି କୁହାଯାଉଛି। ବିଶେଷକରି ଷ୍ଟିଭ୍ ସ୍ମିଥ୍ ଟିମ୍ ଇଣ୍ଡିଆ ପାଇଁ ବିପଦଜନକ ହେବେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହୁଛନ୍ତି।ଦୁଇ ଦଳକୁ ଲକ୍ଷ୍ୟ କଲେ ଉଭୟ ଦଳ ବର୍ତ୍ତମାନ ସମାନ ସ୍ଥିତିରେ ରହିଛନ୍ତି। ଦୁଇ ଦଳର ବ୍ୟାଟିଂ ବୋଲିଂ ଉଭୟ ବେଶ୍ ଶକ୍ତିଶାଳୀ ରହିବା ସହ ପରସ୍ପରକୁ ମାତ୍ ଦେବାକୁ ସକ୍ଷମ। ଭାରତୀୟ ଦଳର ବ୍ୟାଟିଂ ଅଧିନାୟକ ବିରାଟ କୋହଲିଙ୍କ ସହ ଓପନର ରୋହିତ ଶର୍ମା, କେ ଏଲ୍ ରାହୁଲ, ଶିଖର ଧାୱନଙ୍କ ଉପରେ ନିର୍ଭରଶୀଳ। କିନ୍ତୁ ଏମାନଙ୍କ ଭିତରୁ କେଉଁ ଦୁଇ ଖେଳାଳି ଓପନିଂ କରିବେ ଏବେ ତାକୁ ନେଇ ଚିନ୍ତା ବଢ଼ିଯାଇଛି। ସେହିପରି ମଧ୍ୟମକ୍ରମରେ ମନିଷ ପାଣ୍ଡେ, ଶ୍ରେୟାସ ଆୟାର, ଋଷଭ ପନ୍ଥ ବ୍ୟାଟିଂ ସମ୍ଭାଳିବେ। ବୋଲିଂରେ ମହମ୍ମଦ ସାମିଙ୍କ ସହ ଜଶପ୍ରୀତ ବୁମରା, ନବଦୀପ୍ ସୈନୀ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ ଟିମ୍ ଇଣ୍ଡିଆକୁ ଝଟକା ଦେବାକୁ ନିଜର ଗେମ୍ ପ୍ଲାନ କରିବାରେ ବ୍ୟସ୍ତ। ଦୁଇ ଦଳ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩୭ଟି ଦିନିକିଆ ମ୍ୟାଚ୍ ଖେଳାଯାଇଥିବାବେଳେ ଅଷ୍ଟ୍ରେଲିଆ ୭୭ଟି ମ୍ୟାଚରେ ବିଜୟୀ ହୋଇଛି। ଅନ୍ୟପଟେ ଟିମ୍ ଇଣ୍ଡିଆ ମାତ୍ର ୫୦ଟି ମ୍ୟାଚରେ ଜିତିଥିବାବେଳେ ୧୦ ମ୍ୟାଚର ଫଳାଫଳ ମିଳିନାହିଁ। ତେଣୁ ଟିମ୍ ଇଣ୍ଡିଆ ଏହି ତଥ୍ୟ ଭୁଲ୍ ପ୍ରମାଣିତ କରିବା ସହ ସିରିଜ୍ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି।

Comment