ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ରାଜପଥର ୬୫ଟି ଟୋଲ ପ୍ଲାଜାରେ ବୁଧବାରଠାରୁ ଆସନ୍ତା ୩୦ ଦିନ ପାଇଁ ଫାସ୍‌ଟାଗ ନିୟମକୁ କୋହଳ କରାଯାଇଛି। ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୬୫ଟି ଟୋଲ ପ୍ଲାଜା ମଧ୍ୟରେ ଓଡ଼ିଶା ମଙ୍ଗୁଳି ଟୋଲ ପ୍ଲାଜା ସାମିଲ ଅଛି।

ଏହି ୩୦ ଦିନ ସମୟ ମଧ୍ୟରେ ଉପରୋକ୍ତ ୬୫ଟି ଟୋଲ ପ୍ଲାଜାରେ ଥିବା ଟୋଲ ଆଦାୟ ଲେନ ମଧ୍ୟରୁ ୨୫ ପ୍ରତିଶତ ଲେନକୁ ହାଇବ୍ରିଡ ଲେନ ଭାବେ ପରିବର୍ତ୍ତିତ କରିବା ଲାଗି କୁହାଯାଇଛି। ଏହି ସବୁ ଲେନରେ ଉଭୟ ନଗଦ ଏବଂ ଫାସ୍‌ଟାଗ ପଦ୍ଧତିରେ ଟୋଲ ଆଦାୟ କରାଯାଇପାରିବ।

ଏହି ୬୫ଟି ଟୋଲ ପ୍ଲାଜା ମଧ୍ୟରେ ଓଡ଼ିଶା ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥସ୍ଥିତ ମଙ୍ଗୁଳି ଟୋଲ ପ୍ଲାଜା ସାମିଲ ରହିଛି। ଏସବୁ ଟୋଲପ୍ଲାଜାରେ ଅଧିକ ନଗଦ କାରବାର ହେଉଥିବା ଏନଏଚଏଆଇ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା। ବିଶେଷକରି ଟୋଲ ପ୍ଲାଜାର ଦୁଇ ପାର୍ଶ୍ୱରେ ଥିବା ହାଇବ୍ରିଡ ଲେନଗୁଡ଼ିକରେ ଅଧିକ ଗାଡ଼ି ଭିଡ଼ ଜମୁଥିଲା। ଗାଡ଼ିଚାଳକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଏହି ୬୫ଟି ଟୋଲ ପ୍ଲାଜାର ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିବର୍ତ୍ତିତ କରାଯିବ। ଏ ସଂକ୍ରାନ୍ତରେ ମନ୍ତ୍ରାଳୟ ପକ୍ଷରୁ ଏନଏଚଏଆଇକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଚିହ୍ନଟ ହୋଇଥିବା ଟୋଲ ପ୍ଲାଜାରେ ହାଇବ୍ରିଡ ଲେନକୁ ଯଥାସମ୍ଭବ କମ୍‌ ରଖିବାକୁ ମନ୍ତ୍ରାଳୟ ପକ୍ଷରୁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଅତିକମରେ ୭୫% ଲେନକୁ ‘ଫାସ୍‌ଟାଗ ଲେନ ଫି ପ୍ଲାଜା’ ଭାବେ ଅପରିବର୍ତ୍ତିତ ରଖିବାକୁ କୁହାଯାଇଛି।

ଏହି ୬୫ଟି ଟୋଲ ପ୍ଲାଜାରେ ଉପରୋକ୍ତ ବ୍ୟବସ୍ଥା ଅସ୍ଥାୟୀ ଭାବେ ମାତ୍ର ୩୦ ଦିନ ପାଇଁ ଲାଗୁ ହେବ। ଫଳରେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏହି ସମୟରେ ମଧ୍ୟ ସମ୍ପୂର୍ଣ୍ଣ ଫାସ୍‌ଟାଗ ବ୍ୟବସ୍ଥାକୁ ଲାଗୁ କରିବା ଏବଂ ଗାଡ଼ି ଭିଡ଼ ଦୂର କରିବା ଦିଗରେ ଏନଏଚଏଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ।

Comment