ଓଡ଼ିଶାଲାଇଭ୍ ବ୍ୟୁରୋ

ଛାତ୍ର ସଙ୍ଗଠନ ଏବିଭିପିରୁ କ୍ୟାରିଅର ଆରମ୍ଭ କରିଥିବା ସମୀର ମହାନ୍ତି ଏବେ ରାଜ୍ୟ ବିଜେପିର ସଭାପତି ହୋଇଛନ୍ତି।

ରାଜ୍ୟ ବିଜେପିର ମୁଖିଆ ହୋଇଛନ୍ତି ବରିଷ୍ଠ ନେତା ସମୀର ମହାନ୍ତି। ବହୁ ଦିନପରେ ପୁଣି ଉପକୂଳ ଓଡ଼ିଶାର ନେତାଙ୍କ ପାଖକୁ ଆସିଛି ରାଜ୍ୟ ବିଜେପିର ମଙ୍ଗ। ଜଣେ ଏବିଭିପି କର୍ମୀଭାବେ ରାଜନୀତି କ୍ୟାରିଅର ଆରମ୍ଭ କରିଥିବା ଥିବା ସମୀର ଏବେ ରାଜ୍ୟ ବିଜେପିର ମୁଖ୍ୟ ପଦରେ ବସିଛନ୍ତି।୧୯୭୭ ମସିହାରୁ ଏବିଭିପି ଜରିଆରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ସମୀର। ଏହାପରେ ପରେ ସେ ୧୯୮୪ ମସିହାରେ ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବାର ଗୋଟିଏ ବର୍ଷ ପରେ ସେ ବିଡିଏର ଉପ-ସୂଚନା ଅଧିକାରୀ ଭାବେ ନିଜର ସରକାରୀ କାର୍ଯ୍ୟରେ ଯୋଗଦେଇଥିଲେ। ମାତ୍ର ୧୦ ବର୍ଷ ସରକାରୀ ଚାକିରିରେ କରିବା ପରେ ସେ ସରକାରୀ ଚାକିରିରୁ ଅବସର ନେଇଯାଇଥିଲେ। ସେହିବର୍ଷ ଅର୍ଥାତ୍ ୧୯୯୫ ମସିହାରେ ହିଁ ସେ ଭୁବନେଶ୍ୱର ଜିଲ୍ଲା ବିଜେପିର ଉପ-ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ।ସେହି ସମୟରେ ସେ ଭୁବନେଶ୍ୱରରେ ବିଜେପିର ସଂଗଠନକୁ ସୁଦୃଢ଼ କରିବାକୁ ବେଶ୍ ଚେଷ୍ଟା କରିଥିଲେ। ସାଙ୍ଗଠନିକ ସ୍ତରରେ ଦଳକୁ ମଜଭୁତ୍ କରିବା ସହ ରାଜ୍ୟ ବିଜେପିକୁ ସୁଦୃଢ଼ କରି ଗଢ଼ି ତୋଳିବାକୁ ସେ ପ୍ରୟାସ କରିଥିଲେ। ଏହାପରେ ପରେ ସେ ୨୦୦୦ ମସିହାରେ ବିଜେପିର ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ। ସେପର୍ଯ୍ୟନ୍ତ କୌଣସି ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନଥିବା ସମୀର ପ୍ରଥମ କରି ୨୦୦୯ ମସିହାରେ ନିର୍ବାଚନ ଲଢ଼ିଥିଲେ। ଭୁବନେଶ୍ୱର ଏକ୍ରାମ ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟରେ ଲଢ଼ି ସେ ତାଙ୍କର ପ୍ରଥମ ନିର୍ବାଚନରେ ପରାସ୍ତ ହୋଇଯାଇଥିଲେ।

୨୦୧୬ ମସିହାରେ ସମୀରଙ୍କୁ ରାଜ୍ୟ ବିଜେପି ଦେଇଥିଲା ନୂଆ ଦାୟିତ୍ୱ। ରାଜ୍ୟ ବିଜେପି ତାଙ୍କୁ ଦଳର ଉପ-ସଭାପତି ପଦରେ ବସାଇଥିଲା। ଏହାପରଠାରୁ ସେ ଏହି ପଦରେ ହିଁ ରହିଆସିଥିଲେ। ବର୍ତ୍ତମାନ ଦଳ ତାଙ୍କୁ ସଭାପତି ଆସନରେ ବସାଇଛି।

Comment