ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

“ମୁଁ ସବୁବେଳେ ପୁରୀ ଆସିବାକୁ ଭଲପାଏ। ଆଜି ପୁରୀ ଆସି ମୁଁ ବହୁତ ଖୁସି। ଓଡ଼ିଶାବାସୀଙ୍କ ମଙ୍ଗଳପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲି। ଆଗାମୀ ଦିନରେ ପୁରୀର ସୌନ୍ଦର୍ଯ୍ୟକରଣ ଆଗେଇବା ସହ ପୁରୀ ଏକ ଐତିହ୍ୟ ସହର ଭାବେ ପରିଗଣିତ ହେବ”, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି।ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସେଠାରେ ସେ ପ୍ରଥମେ ଅରୁଣ ସ୍ତମ୍ଭ ପାଖରେ ଦୀପ ଜଳାଇବା ସହିତ ପରେ ଶ୍ରୀମନ୍ଦିର ଭିତରକୁ ଯାଇ ସେଠାରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏଥିସହିତ ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୭ଟି ପ୍ରକଳ୍ପର ମଧ୍ୟ ଶିଳ୍ୟାନ୍ୟାସ କରିଛନ୍ତି। ଏହା ମଧ୍ୟରେ ଶ୍ରୀସେତୁ, ଶ୍ରୀ ଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ଶଶ୍ମାନର ସୌନ୍ଦର୍ଯ୍ୟକରଣ, ଜେଲ ରୋଡରେ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜୋନ୍ ନିର୍ମାଣ ଓ ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପ୍ଲେକ୍ସ ଭଳି ପ୍ରକଳ୍ପ ସାମିଲ ରହିଛି।

ଏଥିସହିତ ପୁରୀ ପାଇଁ ପ୍ରସ୍ତୁତ ହୋଇଥିବା ପ୍ଲାନର ମ୍ୟାପକୁ ମୁଖ୍ୟମନ୍ତ୍ରୀ ଦେଖିଥିଲେ। ପୁରୀ ମନ୍ଦିରର ଚତୁଃପାର୍ଶ୍ୱକୁ ଆହୁରି ସୁନ୍ଦର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ 5T ସଚିବ ଭି କେ ପାଣ୍ଡିଆନ୍, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment