ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।
ଓଡ଼ିଆ ଓ ଓଡ଼ିଶା (୨୧)
ଶୂନ୍ୟର ଅସ୍ତିତ୍ଵ ନାହିଁ ଏବଂ ବ୍ରହ୍ମର ଅସ୍ତିତ୍ଵ ସର୍ବତ୍ର। ଯଦି ଆମେ ଏହି ସର୍ବବ୍ୟାପୀ ବ୍ରହ୍ମକୁ ନିରାକାର ବୋଲି ସ୍ଵୀକାର କରିବା ତା’ ହେଲେ ବ୍ରହ୍ମକୁ ଆମେ ଶୂନ୍ୟ ବୋଲି କହିପାରିବା। ନିରାକାର ହେଲେ ମଧ୍ୟ ବ୍ରହ୍ମର ଇଚ୍ଛାଶକ୍ତି ବ୍ରହ୍ମଠାରେ ସ୍ଥିତ, ଅର୍ଥାତ୍ ଆମକୁ ଏପରି ଏକ ବ୍ରହ୍ମକୁ କଳ୍ପନା କରିବାକୁ ହେବ, ଯାହାର ରୂପରେଖ ନାହିଁ, କିନ୍ତୁ ଯାହାର ନିର୍ଦ୍ଦେଶରେ ଜଗତରେ ସୃଷ୍ଟି ଓ ବିଲୟ ଘଟୁଛି। ଏ’ ପ୍ରକାର ଆକୃତିହୀନ ନିରାକାର ବ୍ରହ୍ମର ବିଚାର ଓଡିଶା ଦେଶରେ ସୃଷ୍ଟି ହେଲା।
କୌଣସି ବସ୍ତୁର ଆକୃତି ଆମେ ଉପଲବ୍ଧି କରିଥାଉ। ଆକୃତି ଉପଲବ୍ଧି କରିବା ଆମର ମନର କାମ। ଇନ୍ଦ୍ରିୟମାନଙ୍କର ଉପଯୋଗରେ ମନ ବସ୍ତୁର ଆକୃତି ତିଆରି କରେ ଏବଂ ଆମକୁ ବୋଧ କରାଏ। ଆକୃତି ବୋଧ କରିବା ଆମର କାମନା। ଆମେ ଆମ ତରଫରୁ ଭଲ, ମନ୍ଦ, ନୀଳ, ଧଳା, ତିକ୍ତ ବା ମଧୁର ନୁରୂପଣ କରୁ। ଏ’ ସମସ୍ତ ବସ୍ତୁର ଗୁଣ ନୁହେଁ। ଆମେ ବସ୍ତୁ ଉପରେ ଆମ ମନ ମୁତାବିକ ଗୁଣକୁ ନେଇ ରଖୁ ଏବଂ ପ୍ରକାରାନ୍ତରେ ସଂସାର ସୃଷ୍ଟି କରୁ। ଏ’ ସମସ୍ତ ଆମର ସ୍ଵକୀୟ କାମନାର ଅଭିବ୍ୟକ୍ତି।
ଯଦି ଆମେ ଆମ ମନରୁ କାମନାକୁ ଦୂର କରିଦେଇ ପାରିବା, ତା’ ହେଲେ ସଂସାରରେ ଗୁଣର ସ୍ଥାନ ନାହିଁ। ସବୁ ବସ୍ତୁ ନିର୍ଗୁଣ ବୋଲି ଜଣାପଡିବେ , ବସ୍ତୁ ପାର୍ଥକ୍ୟ ରହିବ ନାହିଁ।ବସ୍ତୁ ପାର୍ଥକ୍ୟ ନ ହେଲା ଫଳରେ ଦ୍ରଷ୍ଟା ଓ ଦୃଶ୍ୟ ଭିତରେ ପାର୍ଥକ୍ୟ ରହିବ ନାହିଁ ଏବଂ ସମସ୍ତ ପଦାର୍ଥ ସମାନ ଜଣା ପଡିବେ। ଏ’ ସମାନତା ହେଲା ଶୂନ୍ୟ।
ସବୁ ପଦାର୍ଥ ସମାନ ହେବାର ଅର୍ଥ ନୁହେଁ ଯେ ସବୁ ପଦାର୍ଥ ସ୍ଥାୟୀ। ବସ୍ତୁର ଜୀବନକାଳ ରହିଛି , ସୃଷ୍ଟିର ବିନାଶ ରହିଛି। ଏହି ସୃଷ୍ଟି ଓ ବିଲୟ ପଛରେ ବ୍ରହ୍ମର ଇଚ୍ଛାଶକ୍ତି ଥାଇପାରେ, କିନ୍ତୁ ଶକ୍ତିର ଗୁଣ ଆବଶ୍ୟକ। ଶକ୍ତିର ମାପ ଅଛି, ପରିମାଣ ଅଛି। ତେଣୁ ଇଚ୍ଛା ବଦଳରେ କାଳର ସୂତ୍ରପାତ ହେଲା। ବ୍ରହ୍ମପରି କାଳ ସର୍ବବ୍ୟାପୀ। ସମସ୍ତଙ୍କୁ ଶକ୍ତି ଦେବା ପରିବର୍ତ୍ତେ ନିୟନ୍ତ୍ରଣ କରୁଛି। ନିୟନ୍ତ୍ରଣ ଲାଗି ଶକ୍ତିର ଆବଶ୍ୟକତା ନାହିଁ। କାଳ ଅଦୃଶ୍ୟ ଓ ଶୂନ୍ୟ, କିନ୍ତୁ ସେ ବସ୍ତୁର ବିନାଶ କରିପାରେ!
ବସ୍ତୁର ଅସ୍ତିତ୍ଵ କାଳର ଅଧୀନ। କାଳର ଭାବନା ନାହିଁ କି ବିଚାର ନାହିଁ। ଯେ’ କୌଣସି ପଦାର୍ଥକୁ ଯେ’ କୌଣସି ଅବସ୍ଥାରେ କାଳ ବିନାଶ କରିପାରେ। କାଳ କିପରି କେଉଁଠି ଓ କାହିଁକି ପହଞ୍ଚେ – ତା’ ମନୁଷ୍ୟର ଜ୍ଞାନର ବାହାରେ। କାଳ ସର୍ବଜୟୀ। ଏପରି ଏକ ସର୍ବଜୟୀ କାଳର କଳ୍ପନା କରାଗଲା। ସଂସାରର ପ୍ରକ୍ରିୟା ଆଲୋଚନାରେ ଏପରି ଏକ ନିୟନ୍ତ୍ରଣକାରୀ ଥିବାର ଅନୁମାନ ସ୍ପଷ୍ଟ ହେଲା।
ବୈଦିକ ସଭ୍ୟତାରେ ମଣିଷର ପାପ ଓ ପୁଣ୍ୟର ବିଚାର ଏକ ମୌଳିକ ରୀତି। ଏ’ ବିଚାର ନିମିତ୍ତ ଏକ ମାପକାଠି ଦରକାର। ବୈଦିକ ରୀତିରେ ଏ’ ମାପକାଠି ହେଲା ବୈଦିକ ଧର୍ମ।ଯେଉଁମାନେ ବୈଦିକ ଧର୍ମ ପାଳନ କଲେ ସେମାନଙ୍କୁ ପୁଣ୍ୟବାନ୍ ବୋଲି କୁହାଗଲା ଏବଂ ଯଦି କିଏ ଅବଜ୍ଞା କଲା, ତା’କୁ ପାପୀ ବୋଲି ସାବ୍ୟସ୍ତ କରା ଗଲା। ଏ’ ପାପ ପୁଣ୍ୟର ଖାତା “ଯମ” ନାମରେ ଦେବତାଙ୍କ ପାଖରେ ରହିଲା। ଯମ ହେଲେ ଧର୍ମର ଦେବତା। ସଂସାରରେ ଧର୍ମ କ’ଣ ସେ ଜାଣନ୍ତି ଏବଂ ଯଦି କେହି ଧର୍ମକୁ ଅବଜ୍ଞା କଲା, ତା’କୁ ସେ ଶାସ୍ତି ଦିଅନ୍ତି। ଧର୍ମ ଖାତା ଫଳରେ ଏଥିରେ ଶାସନ କଳ ଅଛି – କାହାକୁ କ’ଣ କହିବ, କିପରି ଭାବରେ ବ୍ୟବହାର କରିବ, ଆକାଶ ମଣ୍ଡଳୀ ଦେଖି କାର୍ଯ୍ୟ କରିବ – ଇତ୍ୟାଦି ଏ’ ଖାତାରେ ଲେଖା ହେଲା। ସଂସାରରେ ଶୃଙ୍ଖଳା ଜାରି ରଖିବାରେ ଏ’ ଧର୍ମ ସହାୟକ ହେଲା।
କୃଷିଜୀବୀ ସମାଜରେ କିନ୍ତୁ ଏ ଶାସନ ଚଳେ ନାହିଁ। ବର୍ଷା ହୋଇପାରେ ବା ନ ହୋଇପାରେ, ବା କେବେ ବନ୍ୟାବାତ୍ୟା ହୋଇପାରେ, କେବେ ଫସଲ ପୋଡିଯାଇପାରେ, ବା ଆଉ କେବେ ସମାଜରେ ରୋଗବ୍ୟାଧି ଆକ୍ରମଣ କରିପାରେ। ମଣିଷର ସାଧୁ ସନ୍ଥ ଜୀବନରେ ଏ’ ସବୁର ସ୍ଥାନ ନାହିଁ , କିନ୍ତୁ ଏମାନେ ହିଁ ହେଲେ ସୃଷ୍ଟିର ଲକ୍ଷଣ। ତେଣୁ ସଂସାରର ନିୟନ୍ତା ମଣିଷର ଧର୍ମଗତ ପୁଣ୍ୟକୁ ଚିହ୍ନିବା ପରିବର୍ତ୍ତେ ତା’ର ଆପଣା ମନରେ କାମ କରେ ବୋଲି ବିଶ୍ଵାସ ହେଲା । ଏ’ ପ୍ରକାର ମନୁଆ ନିୟନ୍ତାକୁ “କାଳ” ବୋଲି କୁହାଗଲା।
ସୃଷ୍ଟିରେ “ମନ”ର ଆବିଷ୍କାର ଏବଂ ସୃଷ୍ଟି ଉପରେ ମନର ଅଧିକାର ଓଡିଶା ଦର୍ଶନର ମୂଳତତ୍ତ୍ଵ। ମନର ଆକାର ନାହିଁ, ତେଣୁ ମନର ପାକ ନାହିଁ। କିନ୍ତୁ ମନର ବିପାକ ଅଛି। ମନ ଜୀବନ ସଞ୍ଚାର କରେ ନାହିଁ, କିନ୍ତୁ ଜୀବନକୁ ନଷ୍ଟ କରିପାରେ। ମନ ମଣିଷର ସବୁ ବିପତ୍ତିର କାରଣ, କିନ୍ତୁ ମନ ମଣିଷର ନିଜ ଆୟତ୍ତରେ ନ ଥାଏ। ଏ ତତ୍ତ୍ଵ ସଂପୂର୍ଣ୍ଣ ଦେଶଜ, ପୂରାପୂରି ପାରମ୍ପରିକ ଏବଂ ଅନୁଭୂତିଗତ। ମଣିଷର ଜୀବନ ଓ ମଣିଷର ମନ ଦୁଇଟା ଅଲଗା ପଦାର୍ଥ – ମନର ପ୍ରଭାବ ଜୀବନରେ। ମନ ସର୍ବବ୍ଯାପୀ ଏବଂ ମନର କିଛି ରୀତି ନାହିଁ। ମନର ନିୟନ୍ତ୍ରଣ କେବଳ କାଳ ହାତରେ।
ତେବେ ଏ ଦର୍ଶନରେ ମଣିଷ ହତଭାଗା ନୁହେଁ। ମଣିଷର ଜୀବନ ମଣିଷ ହାତରେ , ମଣିଷ ଜୀବନ ଉପରେ ମଣିଷର ପୂର୍ଣ୍ଣ ଅଧିକାର। ଜୀବନ ଐଶ୍ଵରିକ ଏବଂ ପ୍ରତ୍ୟେକ ଜୀବନ ଅମୂଲ୍ୟ। କେହି ଛୋଟ ବଡ ନାହାଁନ୍ତି। ସବୁ ଜୀବନ ସମାନ। ଆଗରୁ କୁହାଯାଉଥିବା ଇଚ୍ଛାଶକ୍ତି ଏହି ଜୀବନ ମାଧ୍ୟମରେ ମଣିଷ ପାଖରେ ଅଛି। ଇଚ୍ଛାଶକ୍ତି ହେଉଛି ଜୀବନ ଓ ମନ ମଧ୍ୟରେ ସୂତ୍ରଧର।
ମଣିଷର ଶରୀର ଅଛି ଓ ପ୍ରକୃତି ଅଛି। ଏ’ ଉଭୟ କାଳର ଅଧୀନ। କାଳର ମନ ଅଛି, କିନ୍ତୁ ଇଚ୍ଛାଶକ୍ତି ସ୍ଵତନ୍ତ୍ର। ଇଚ୍ଛାଶକ୍ତି ଫଳରେ ମଣିଷ ଉଡିପାରେ, ଚଢିପାରେ, ଲେଖିପାରେ ବା ଶତ୍ରୁ ଜୟ କରିପାରେ। ଇଚ୍ଛାଶକ୍ତି ନୈସର୍ଗିକ, ଅନନ୍ତ। ଇଚ୍ଛାଶକ୍ତି ଫଳରେ ମଣିଷର ଦୃଷ୍ଟିରେ ଶକ୍ତି ଆସିପାରେ, ହାତ ଗୋଡରେ ବଳ ଆସିପାରେ , ହୃଦୟରେ ଭାବ ଆସିପାରେ , ବିଶ୍ୱ ବ୍ରହ୍ମାଣ୍ଡ ମଣିଷ ଶରୀର ଭିତରେ ପ୍ରବେଶ କରିପାରେ। କାଳ ନଷ୍ଟ କରେ, ଇଚ୍ଛାଶକ୍ତି ଉଦ୍ଧାର କରେ। ବଳ ଦିଏ, ବୁଦ୍ଧି ଦିଏ ଏବଂ ଆରୋଗ୍ୟ କରେ। ଇଚ୍ଛାଶକ୍ତି କାଳକୁ ଉପଶମ କରେ।
ଶରୀର, ପ୍ରକୃତି, କାଳ ଓ ଇଚ୍ଛାଶକ୍ତି ଏ ହେଲା ଓଡିଶାର ଚତୁର୍ଦ୍ଧା ଦର୍ଶନ। ଏହାର ସଠିକ ଇତିହାସ ଆମକୁ ଜଣାନାହିଁ, କିନ୍ତୁ ଏହା ଆମ ଦେଶର ଚଳନ୍ତି ଦର୍ଶନ। ଏହାର ପ୍ରଚଳନ ପ୍ରଥା ଆମେ ଆଗରେ ଆଲୋଚନା କରିବା।