ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ ଖେଳିଲେ ଗ୍ୟାରେଣ୍ଟି କାର୍ଡ। ରବିବାର ଆମ୍‌ ଆଦମୀ ପାର୍ଟି ‘କେଜରିଓ୍ଵାଲଙ୍କ ୧୦ ଗ୍ୟାରେଣ୍ଟି’ ଜାରି କରିଛି। ଏହି କାର୍ଡ ଅନୁସାରେ ୧୦ଟି ସୁବିଧା ଉଲ୍ଲେଖ କରାଯାଇଛି। ଆପ୍‌ ଏହି ନିର୍ବାଚନ ଜିତିଲେ ୫ ବର୍ଷ ପାଇଁ ଜନତା ଏହାର ସୁବିଧା ଉଠାଇବେ ବୋଲି କୁହାଯାଇଛି।

ଏହା ଜାରି ହେବା ପରେ ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି, “ମୋ ତରଫରୁ ଦିଲ୍ଲୀ ଜନତାମାନଙ୍କୁ ୧୦ ଗ୍ୟାରେଣ୍ଟି କାର୍ଡ ଦିଆଯାଉଛି। ଆଗାମୀ କିଛି ଦିନ ମଧ୍ୟରେ ଆପର ମାନିଫେଷ୍ଟୋ ମଧ୍ୟ ଜାରି କରାଯିବ। ଏଥିରେ ଡାକ୍ତର, ଶିକ୍ଷକ ଓ ସଫେଇ କର୍ମଚାରୀଙ୍କୁ ଗୁରୁତ୍ଵ ଦିଆଯିବ। ବର୍ତ୍ତମାନ ଦିଲ୍ଲୀବାସୀ ଏହି ଗ୍ୟାରେଣ୍ଟି କାର୍ଡର ଫାଇଦା ଉଠାଇ ପାରିବେ।”

କେଜରିଓ୍ଵାଲ ଜାରି କରିଥିବା ଗ୍ୟାରେଣ୍ଟି କାର୍ଡରେ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍‌ ସେବା ଓ ଦିଲ୍ଲୀବାସୀଙ୍କୁ ୨୪ ଘଣ୍ଟା ପାଣି ଓ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କାର୍ଡରେ ଉଲ୍ଲେଖ ଅଛି। ଏହି କାର୍ଡ ଦ୍ଵାରା କେଜରିଓ୍ଵାଲ ଦିଲ୍ଲୀବାସୀଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରୁଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଫେବ୍ରୁଆରି ୮ରେ ସମସ୍ତ ୭୦ଟି ଆସନରେ ଭୋଟ୍‌ ଗ୍ରହଣ କରାଯିବ। ପରେ ଫେବ୍ରୁଆରି ୧୧ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ।

Comment