ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଅରବିନ୍ଦ କେଜରିଓ୍ଵାଲଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ, ପୁଅ ଓ ଝିଅ।

ଦିଲ୍ଲୀ ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ବିଭିନ୍ନ ଦଳ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରି ସାରିଲେଣି। ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତାଙ୍କ ସ୍ତ୍ରୀ ସୁନୀତା, ପୁଅ ପୁଲିକତ ଓ ଝିଅ ହର୍ଷିତା। ସେମାନେ ଡୋର ଟୁ ଡୋର ଯାଇ କ୍ୟାମ୍ପେନ କରୁଛନ୍ତି। ଏହାସହ ଆପ୍‌କୁ ଭୋଟ ଦେବା ପାଇଁ ଲୋକମାନଙ୍କୁ କହୁଛନ୍ତି।

ବାପାଙ୍କ ପାଇଁ ଗତ ୪ ମାସ ହେବ କଡ଼ା ପରିଶ୍ରମ କରୁଛନ୍ତି ଝିଅ ହର୍ଷିତା। ଛୋଟ ଛୋଟ ସଭା ଓ ଡୋରୁ ଟୁ ଡୋର କ୍ୟାମ୍ପେନ କରି ଆପ୍‌କୁ ଭୋଟ ଦେବାକୁ ଲୋକଙ୍କୁ କହୁଛନ୍ତି। ହର୍ଷିତା ଦିଲ୍ଲୀ ଆଇଆଇଟିରୁ ଗ୍ରାଜୁଏସନ ପାସ୍‌ କରିବା ପରେ ଏବେ ଗ୍ଲୋବାଲ ମ୍ୟାନେଜମେଣ୍ଟ କନ୍‌ସଲଟେଣ୍ଟରେ କାର୍ଯ୍ୟରତ ଅଛନ୍ତି। ସେ ଅକ୍ଟୋବରରୁ ଛୁଟିରେ ଆସି ତାଙ୍କ ବାପାଙ୍କ ପାଇଁ ପ୍ରଚାର କରୁଛନ୍ତି।

ଏନେଇ ହର୍ଷିତା କହିଛନ୍ତି, “ଆମ କମ୍ପାନିର ୧୦୦ରୁ ୨୦୦ ଲୋକ ଲମ୍ଵା ଛୁଟି ନେଇ ଆମ ପାଇଁ କ୍ୟାମ୍ପେନ କରୁଛନ୍ତି। ଆପ୍‌ ଏଭଳି ଏକ ଦଳ ଯିଏକି ନିଜ କାମ ପାଇଁ ନିର୍ବାଚନ ଲଢୁଛି। ସାପ୍ତାହିକ ଛୁଟିରେ ମଧ୍ୟ ମୋତ କିଛି ଜୁନିୟର ଓ ସାଙ୍ଗମାନେ ଆସି ପ୍ରଚାର କରୁଛନ୍ତି।”

ଅନ୍ୟପକ୍ଷରେ ସ୍ଵାମୀ ପାଇଁ ନିଜ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇ ପ୍ରଚାର କରୁଛନ୍ତି କେଜରିଓ୍ଵାଲଙ୍କ ସ୍ତ୍ରୀ ସୁନିତା। ସେହିପରି ତାଙ୍କ ପୁଅ ପୁଲକିତ ଦିଲ୍ଲୀ ଆଇଆଇଟିରେ ଗ୍ରାଜୁଏସନ୍‌ ପଢୁଛନ୍ତି। ଏହି ସମୟରେ କଲେଜ ଛୁଟି ଥିବାରୁ ସେ ମଧ୍ୟ ପ୍ରଚାର କାମରେ ଜୋରଦାର ଲାଗିଛନ୍ତି।

ଏନେଇ କେଜରିଓ୍ଵାଲଙ୍କ ସ୍ତ୍ରୀ ସୁନିତା କହିଛନ୍ତି, “୫ ବର୍ଷ କାମକୁ ନେଇ ଲୋକମାନେ ଆପ୍‌ ସରକାର ଉପରେ ବହୁତ ଖୁସି ଅଛନ୍ତି। ଆଗାମୀ ୫ ବର୍ଷରେ ପ୍ରଦୂଷଣ ଓ ସ୍ଵଚ୍ଛତା ଉପରେ ଅଧିକ ଗୁରୁତ୍ଵ ଦେବାକୁ ଆମକୁ ଲୋକମାନେ କହୁଛନ୍ତି। ଲୋକମାନଙ୍କ ବ୍ୟବହାରରୁ ଲାଗୁଛି ପୂରା ଦିଲ୍ଲୀ ଆମ ସହ ଅଛି।”

କେବଳ ଏଥର ନୁହେଁ ଗତ ନିର୍ବାଚନରେ ମଧ୍ୟ ପୂରା ପରିବାର ଅରବିନ୍ଦ କେଜରିଓ୍ଵାଲଙ୍କ ପାଇଁ ପ୍ରଚାର କରିଥିଲେ। ଏଥର ଡୋର ଟୁ ଡୋର କ୍ୟାମ୍ପେନ କରିବା ସହ ଗତ ୫ ବର୍ଷରେ କେଜରିଓ୍ଵାଲ ସରକାର ଦିଲ୍ଲୀ ପାଇଁ କରିଥିବା କାମ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି ପରିବାର ଲୋକ।

ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀର ସମସ୍ତ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ। ପ୍ରାର୍ଥୀମାନଙ୍କ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ଜାନୁଆରି ୨୧ ତାରିଖ ଧାର୍ଯ୍ୟ କରାଯାଇଛି। ଏହାପରେ ୮ ତାରିଖରେ ଭୋଟ କରାଯାଇ ଫେବ୍ରୁଆରି ୧୧ରେ ଦିଲ୍ଲୀ ବିଧାନସଭା ରେଜଲ୍ଟ ଆସିବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

Comment