ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସ୍ଥାନ ପାଇଲା ରାମକୃଷ୍ଣ କୁଟୀର, ମହାମାୟା ସ୍କୁଲ୍ ଫଟୋଚିତ୍ର
  • ଜୀବନକ୍ରମକୁ ନେଇ ହେବ କାନ୍ଥଚିତ୍ର

କଟକ: ଜାନୁଆରି ୨୩ରେ ନେତାଜୀ ଜୟନ୍ତୀ ପାଇଁ ଓଡ଼ିଆ ବଜାରସ୍ଥିତ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟରେ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ପ୍ରତିଥର ଭଳି ଏଥର ମଧ୍ୟ ନେତାଜୀ ଜୟନ୍ତୀରେ କିଛି ନୂଆ ଉପାଦାନ ଯୋଡ଼ିବାକୁ ସଂଗ୍ରହାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସଂଗ୍ରହାଳୟର ଗ୍ୟାଲେରୀ ନମ୍ବର-୨ରେ ରାମକୃଷ୍ଣ କୁଟୀର ଓ ମହାମାୟା ୟୁପିଏମ୍‌ଇ ସ୍କୁଲ୍‌ର ଫଟୋଚିତ୍ର ସ୍ଥାନ ପାଇବ।

ସେହିପରି ସଂଗ୍ରହାଳୟ ପାର୍କରେ ଥିବା କାନ୍ଥରେ ନେତାଜୀଙ୍କ ଜୀବନକ୍ରମକୁ ନେଇ ‘ୱାଲ୍ ପେଣ୍ଟିଂ’ କରାଯିବ, ଯାହା ଚଳିତବର୍ଷ ନେତାଜୀ ଜୟନ୍ତୀର ସ୍ୱତନ୍ତ୍ର ଆକର୍ଷଣ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ସହ ଜଡ଼ିତ ସବୁ ଉପାଦାନ ଏହି ସଂଗ୍ରହାଳୟରେ ସ୍ଥାନ ଦିଆଯାଇଛି। ଚଳିତବର୍ଷ ରାମକୃଷ୍ଣ କୁଟୀର ଓ ମୟାମୟା ୟୁପିଏମ୍‌ଇ ସ୍କୁଲ୍‌ର ଫଟୋଚିତ୍ର ସ୍ଥାନିତ ହୋଇଛି।

ଉଭୟ ସ୍ଥାନ ସହ ନେତାଜୀଙ୍କ ବେଶ୍ ନିବିଡ଼ ସମ୍ପର୍କ ରହିଥିଲା। ୧୮୯୭ ଜାନୁଆରି ୨୩ ତାରିଖରୁ ୧୯୧୩ ମସିହା ପର୍ଯ୍ୟନ୍ତ କଟକରେ ରହଣୀ ସମୟରେ ନେତାଜୀଙ୍କ ଏହି ଦୁଇ ସ୍ଥାନ ଥିଲା ବେଶ୍ ପ୍ରିୟ। ରାମକୃଷ୍ଣ ସେବକ ସମ୍ପ୍ରାଦାୟ ଦ୍ଵାରା ସ୍ଥାନୀୟ ବଙ୍ଗାଳି ସାହିରେ ପ୍ରତିଷ୍ଠିତ ତଥା ପରିଚାଳିତ ରାମକୃଷ୍ଣ କୁଟୀର ସେ ସମୟରେ ଛାତ୍ରାବାସ ଥିଲା। ଗରିବ ଛାତ୍ରଛାତ୍ରୀମାନେ ସେଠାରେ ରହି ପାଠ ପଢୁଥିଲେ। ଛାତ୍ର ଅବସ୍ଥାରେ ନେତାଜୀ ଏଠାକୁ ନିୟମିତ ଯାଉଥିଲେ।

ବାପା ଦେଉଥିବା ପକେଟ୍ ଖର୍ଚ୍ଚରୁ ସେଠାରେ ଥିବା ଅନ୍ତେବାସୀଙ୍କୁ ଖର୍ଚ୍ଚ ଦେଉଥିଲେ ନେତାଜୀ, ଯାହା ବାଲ୍ୟକାଳରୁ ତାଙ୍କର ବଦାନ୍ୟତାର ପ୍ରମାଣ ଦେଇଥିଲା। ତେଣୁ ନେତାଜୀଙ୍କ ଏହି ସ୍ମୃତିକୁ ସଂଗ୍ରହାଳୟରେ ସାଇତି ରଖିବାକୁ ରାମକୃଷ୍ଣ କୁଟୀର ଫଟୋ ଅଣାଯାଇଛି। ପକେଟ୍ ଖର୍ଚ୍ଚକୁ ଗରିବ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରୁଥିବା ନେଇ ମଧ୍ୟ ଫଟୋଚିତ୍ରରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ସ୍ଥାନୀୟ ମହାମାୟା ୟୁପିଏମ୍‌ଇ ସ୍କୁଲ୍‌ର ଫଟୋଚିତ୍ର ମଧ୍ୟ ସଂଗ୍ରହାଳୟକୁ ଅଣାଯାଇଛି। ନେତାଜୀଙ୍କ ପିତା ଜାନକୀ ନାଥ ବୋଷ ଏହି ସ୍କୁଲ୍‌ର ସଭାପତି ଥିଲେ। ଓଡ଼ିଶାର ପ୍ରଥମ ବେଙ୍ଗଲି ସ୍କୁଲ୍ ଭାବେ ଏହା ପରିଚିତ ଥିଲା। ଅନେକ ସମୟରେ ନେତାଜୀ ନିଜ ବାପାଙ୍କ ସହ ସ୍କୁଲ୍‌କୁ ଆସି ଏଠାରେ ସମୟ ବିତାଉଥିଲେ। ତେଣୁ ନେତାଜୀଙ୍କ ଏହି ସ୍ମୃତିକୁ ଚିରକାଳ ତାଜା ରଖିବା ପାଇଁ ସଂଗ୍ରହାଳୟ ତରଫରୁ ସ୍କୁଲ୍‌ର ଫଟୋଚିତ୍ର ଅଣାଯାଇଥିବା ତତ୍ତ୍ୱାବଧାରକ ଜ୍ୟୋତିରଞ୍ଜନ ଦାସ ପ୍ରକାଶ କରିଛନ୍ତି ।

କେବଳ ସେତିକି ନୁହେଁ, ସଂଗ୍ରହାଳୟ ଭିତରେ ଥିବା ପାର୍କର କାନ୍ଥରେ ୱାଲ୍ ପେଣ୍ଟିଂ ଶୋଭାପାଇବ। ନେତାଜୀଙ୍କ ଆଧ୍ୟାତ୍ମିକ ଜୀବନ ଓ ଓଡ଼ିଶା ସମ୍ପର୍କକୁ ଭିତ୍ତି କରି ଏହି କାନ୍ଥ ଚିତ୍ର କରାଯିବ। ବରିଷ୍ଠ ଚିତ୍ରକର ଲକ୍ଷ୍ମୀଧର ରଣା ଏବଂ ସାଥିମାନେ ଖୁବ୍ ଶୀଘ୍ର କାମ ଆରମ୍ଭ କରିବେ। ୨୩ ତାରିଖ ପୂର୍ବରୁ କାମ ଶେଷ ହେବ ବୋଲି ଜଣାପଡ଼ିଛି ।

Comment