ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଆଇଏମ୍‌ସି ଢେଙ୍କାନାଳରେ ‘ପ୍ରଯୁକ୍ତି ବିଦ୍ୟା ଯୁଗରେ ଲୋକସମ୍ପର୍କ’ ଉପରେ ରାଉଣ୍ଡ ଟେବୁଲ ବୈଠକ।  

ଢେଙ୍କାନାଳ: “ପ୍ରଯୁକ୍ତି ବିଦ୍ୟା ବା ଟେକ୍ନଲୋଜି କେବେ ବି ସୃଜନଶୀଳତାର ସ୍ଥାନ ନେଇପାରିବନି। ମଣିଷର ଆଭ୍ୟନ୍ତରୀଣ ସୃଜନାତ୍ମକ କଳାର କୌଣସି ବିକଳ୍ପ ନାହିଁ। ଏଣୁ ଜଣେ ଉତ୍ତମ ଲୋକସମ୍ପର୍କ ଅଧିକାରୀଙ୍କ ସ୍ଥାନ କଦାପି ଟେକ୍ନଲୋଜି ପୂରଣ କରିପାରିବନି” କହିଛନ୍ତି ନାଲ୍‍କୋର ଡେପୁଟି ଜେନେରାଲ୍‍ ମ୍ୟାନେଜର ଆଶୁତୋଷ ରଥ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି)ରେ ଭାରତୀୟ ଲୋକସମ୍ପର୍କ ସମାଜ (ପିଆର୍‍ଏସ୍‍ଆଇ) ସହଯୋଗରେ ଅନୁଷ୍ଠିତ ହୋଇଛି ‘ପ୍ରଯୁକ୍ତି ବିଦ୍ୟା ଯୁଗରେ ଲୋକସମ୍ପର୍କ’ ଶୀର୍ଷକ ରାଉଣ୍ଡ ଟେବୁଲ୍‍। ଏହି ବୈଠକରେ ଅତିଥିମାନେ ଯୋଗ ଦେଇ ପ୍ରଯୁକ୍ତି ବିଦ୍ୟା ଯୁଗରେ ଲୋକସମ୍ପର୍କର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ।

ଏଥିରେ ବକ୍ତାଭାବେ ଯୋଗଦେଇ ଆଶୁତୋଷ ରଥ କହିଛନ୍ତି ଯେ ଦିନକୁ ଦିନ ଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି। ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ(ଏଆଇ) ବୈଷୟିକ ଜ୍ଞାନ କୌଶଳକୁ ଆଉ ପାଦେ ଆଗେଇନେଇଛି। ଏଆଇ ମାଧ୍ୟମରେ ଖବର ଉପସ୍ଥାପନା ସମ୍ଭବ ହୋଇପାରୁଛି। ଏସବୁ ସତ୍ତ୍ୱେ ବି ଲୋକଙ୍କ ଭିତରେ ଥିବା ଦକ୍ଷତା ସବୁଠୁ ଶ୍ରେଷ୍ଠ। କାରଣ, ସୃଜନଶୀଳତାର ଶକ୍ତି ଢେର ଉପରେ। ତା’ର କୌଣସି ଅନୁକୃତି ସମ୍ଭବ ନୁହେଁ। ବର୍ତ୍ତମାନର ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପ୍ରଗତି ହେତୁ ଲୋକସମ୍ପର୍କ ଅଧିକାରୀଙ୍କ ଆଗରେ ଅନେକ ଆହ୍ୱାନ ରହିଛି।

କାର୍ଯ୍ୟକ୍ରମର ଅନ୍ୟତମ ବକ୍ତାଭାବେ ଯୋଗଦେଇ ରିଲାଏନ୍ସ ଜିଓ କର୍ପୋରେଟ୍‍ କମ୍ୟୁନିକେଶନର ଉପସଭାପତି ରୋହିତ ଦୁବେ କହିଛନ୍ତି, “ଲୋକସମ୍ପର୍କ ଏକ ଚତୁର କାର୍ଯ୍ୟ। ବର୍ତ୍ତମାନ ବିଷୟବସ୍ତୁର ଉପସ୍ଥାପନା ଶୈଳୀ ବଦଳିବାରେ ଲାଗିଛି। ଅନେକ ସଂସ୍ଥା ଷ୍ଟୋରି ଟେଲିଂ ବା ନିଜ ବ୍ରାଣ୍ଡ୍‍ ତଥା ବାସ୍ତବ ଜୀବନର କାହାଣୀ କହିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଅର୍ଥାତ୍‍ ଭିଜୁଆଲ୍‍ କ୍ୟାମ୍ପେନ୍‍ର ସବୁଠୁ ଅଧିକ ଚାହିଦା ରହିଛି। ଏହାର ସଫଳତା ଲୋକସମ୍ପର୍କ ଅଧିକାରୀଙ୍କ ଉପରେ ନିର୍ଭର କରୁଛି। ଏଣୁ ଏ କଳା ଲୋକସମ୍ପର୍କ ଅଧିକାରୀଙ୍କୁ ଜାଣିବା ଆବଶ୍ୟକ।

ଲୋକସମ୍ପର୍କ ଏକ ଚଳଚଞ୍ଚଳ କ୍ଷେତ୍ର। ଏ ବିଷୟଟି ବହୁତ ବଡ଼ ଓ ଏହାର ଅନେକ ଦିଗ ରହିଛି। ଜନତା, ସରକାର ଓ କର୍ପୋରେଟ୍‍ ମଧ୍ୟରେ ଏକ ସେତୁ ସ୍ଥାପନ କରିବା ଉପରେ ଲୋକସମ୍ପର୍କ ଏବେ ଅଧିକ ଗୁରୁତ୍ୱ ଦେଉଛି। ଲୋକସମ୍ପର୍କ ଅଧିକାରୀଙ୍କୁ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କ ସହ ଯୋଗଯୋଗ କରିବାକୁ ପଡୁଛି। ଏଣୁ ଲୋକସମ୍ପର୍କ ଅଧିକାରୀମାନେ ପ୍ରଥମେ ଜଣେ ଭଲ ଯୋଗାଯୋଗକାରୀ ହେବା ଉଚିତ। ଏହାସହ ସେମାନଙ୍କର ଉପସ୍ଥିତ ବୁଦ୍ଧି ସହ ଧୈର୍ଯ୍ୟଶକ୍ତି ରହିବା ଦରକାର ବୋଲି କହିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପ୍‍ର କର୍ପୋରେଟ୍‍ ଆଫେୟାର୍ସ ଏଭିପି ଶଶାଙ୍କ ପଟ୍ଟନାୟକ।

ରାଉଣ୍ଡ ଟେବୁଲ୍‍ର ବିଷୟବସ୍ତୁ ଉପରେ ଆଲୋକପାତ କରି ଲେଖକ ତଥା ହିନ୍ଦୁସ୍ଥାନ ଫର୍ଟିଲାଇଜର୍ସର ପୂର୍ବତନ କର୍ପୋରେଟ୍‍ କମ୍ୟୁନିକେଶନ ଜେନେରାଲ୍‍ ମ୍ୟାନେଜର ସୁବିର ଘୋଷ କହିଛନ୍ତି ଯେ ଗତ ୩୦ ବର୍ଷ ଭିତରେ ପ୍ରଯୁକ୍ତି ବିଦ୍ୟାର ବେଶ୍‍ ଅଗ୍ରଗତି ହୋଇଛି। ଏହାସହ ତାଳ ଦେଇ ଲୋକସମ୍ପର୍କର କୌଶଳରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ପୂର୍ବରୁ ଖବରଟିଏ ପାଇବା ପାଇଁ ଲୋକଙ୍କୁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା। ହେଲେ ଇଣ୍ଟରନେଟ୍‍ର ଆଗମନ ଏହାକୁ ଖୁବ୍‍ ସହଜ କରିଦେଇଛି। ଆଙ୍ଗୁଠି ଟିପରେ ଲୋକେ ଏବେ ଖବର ପାଇପାରୁଛନ୍ତି। ଏମିତି ସ୍ଥିତିରେ ଲୋକସମ୍ପର୍କ ଅଧିକାରୀଙ୍କୁ ଦିନରାତି ସକ୍ରିୟ ରହିବାକୁ ପଡୁଛି।

ଆରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପିଆର୍‍ଏସ୍‍ଆଇର ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସଞ୍ଜୟ ସାହୁ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ଜାନୁଆରି ୨୬ ତାରିଖରେ ହେବାକୁ ଥିବା ଓଡ଼ିଆ ନାଟକ ‘ବଳିଦାନ’ର ପୋଷ୍ଟର ଉନ୍ମୋଚିତ ହୋଇଛି। ଧନ୍ୟବାଦ ଦେଇଥିଲେ ସହାୟକ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର।

Comment