ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ପାଇଁ ଏକ ନୂଆ ସହର ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। କଟକ ସହରର ଭିଡ଼କୁ ହ୍ରାସ କରିବା ସକାଶେ ନୂଆ ଯୋଜନା ହାତକୁ ନିଆଯିବ। ଏହି ଯୋଜନା ଅନୁଯାୟୀ ବର୍ତ୍ତମାନର ରିଙ୍ଗ ରୋଡକୁ ୬ ଲେନ ବିଶିଷ୍ଟ କରାଯିବ। ତା’ ଛଡ଼ା ଏକ ନୂଆ ଟାଉନସିପ ମଧ୍ୟ ନିର୍ମାଣ ହେବ।

ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନିକଟରେ କଟକ ଗସ୍ତରେ ଆସିଥିବା ବେଳେ ଏହି ଚିନ୍ତା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜମି ପୋତା କାମ କେତେଦୂର ଅଗ୍ରଗତି କରିଛି ତାହାର ସମୀକ୍ଷା କରିଥିଲେ।

ନୂଆ ପ୍ରସ୍ତାବ ଅନୁସାରେ ମହାନଦୀ ସାମ୍ନା ହାଡ଼ିଆପଠା ଓ ବାଲିଯାତ୍ରା ପଡ଼ିଆ ମଧ୍ୟରେ ଥିବା ୪୨୪ ଏକର ଜମିକୁ ନୂଆ ସହର ପାଇଁ ଉପଯୋଗ କରାଯିବ। ସିଡିଏ ଢାଞ୍ଚାରେ ନୂଆ ଟାଉନ ନିର୍ମାଣ କରିବାକୁ ସରକାର ସ୍ଥିର କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ଯେ ଆମର ଜୀବନରେଖା ମହାନଦୀ ବକ୍ଷରୁ ଯେଉଁ ୪୨୪ ଏକର ଜମି ନିଆଯିବ ତାହା ଆମ ପାଇଁ ଏକ ବଡ଼ ସୁଯୋଗ ହେବ ଓ ହଜାର ବର୍ଷର ସହରକୁ ଗଢ଼ି ତୋଳିବା ପାଇଁ ଏହା ଏକ ବଡ଼ ଅବସର। ଯେଉଁ ୪୨୪ ଏକର ଜମି ବାହାରିବ ତାର ପ୍ରତିଟି ଇଞ୍ଚକୁ ଠିକ୍ ଭାବେ ବ୍ୟବହାର କରି  ନୂଆ ସହରର ପରିବେଶ, ଖେଳ, ଅବସର ବିନୋଦନ, ବୈଷୟିକ ଉନ୍ନତି ପ୍ରତି ଧ୍ୟାନ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମର ଲକ୍ଷ୍ୟ ହେଉଛି କଟକକୁ ଭିଡ଼ ମୁକ୍ତ କରିବା। ଚଉଡ଼ା ରାସ୍ତା, ଗମନାଗମନ ସୁବିଧା, ଖୋଲା ସ୍ଥାନ, ବିଭିନ୍ନ ପ୍ରକାର ସହରି ସୁବିଧା, ପାର୍କ, ଗଛପତ୍ର ଆଦି ନୂଆ ସହରର ଲକ୍ଷ୍ୟ ରହିବ। ନୂଆ ସହରଟି ଏକ ବିଶ୍ୱ ସ୍ତରୀୟ ନଦୀଭିତ୍ତିକ ସହର ଭଳି ତିଆରି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଶ୍ୱର ନାମିଦାମୀ ଆର୍କିଟେକ୍ଟମାନଙ୍କୁ ନୂଆ ସହରର ନକ୍ସା ତିଆରି ଦାୟିତ୍ୱ ଦିଆଯିବ। ଏହି ନୂଆ ସହର ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଚୂଡ଼ାନ୍ତ ନକ୍ସା ପୂର୍ବରୁ ଲୋକଙ୍କ ମତାମତ ବି ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Comment