ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଜେପି ହାତରୁ ଖସିଯିବା ପରେ ଦିଲ୍ଲୀକୁ ନେଇ ଚାଲେଞ୍ଜ ବଢ଼ିଛି।

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ହାତରୁ ଖସିଯିବା ପରେ ଏବେ ଦିଲ୍ଲୀ ଦଖଲ ପାଇଁ ବଳ ଗୋଟାଉଛି ବିଜେପି। କେଜରିୱାଲ ସରକାରକୁ ହଟାଇ ବିଜେପି ଦିଲ୍ଲୀ ସିଂହାସନ ପାଇଁ ଜୋରଦାର ଗୋଟି ଚଳାଉଛି। ହେଲେ ବର୍ତ୍ତମାନର ରାଜନୀତି ପାଣିପାଗ ଯାହା କହୁଛି ବିଜେପି ପାଇଁ ଏହା ଏତେ ସହଜ ନୁହେଁ। କେଜରିୱାଲଙ୍କୁ ହଟାବା ପାଇଁ ବିଜେପିକୁ ଦିଲ୍ଲୀରେ ବଡ଼ ପରୀକ୍ଷା ଦେବାକୁ ପଡ଼ିବ ବୋଲି କୁହାଯାଉଛି।

ସାରା ଭାରତରେ ପଦ୍ମ ଫୁଟାଇବାର ଲକ୍ଷ୍ୟ ନେଇ ୨୦୧୪ରୁ ପୂର୍ବତନ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଅଭିଯାନ ଆରମ୍ଭ କରିଥିଲେ। ଶାହଙ୍କ ନେତୃତ୍ୱରେ ବିଜେପି ବିଭିନ୍ନ ସ୍ଥାନରେ ସଙ୍ଗଠନ ମଜଭୁତ କରିଥିଲା। ହେଲେ ସବୁ ରାଜ୍ୟରେ ସରକାର ଗଠନ କରିବାକୁ ସମର୍ଥ ହୋଇ ନଥିଲା।

୨୦୧୭ ଡିସେମ୍ବର ସୁଦ୍ଧା ମାତ୍ର ୧୯ଟି ରାଜ୍ୟରେ ବିଜେପି ସରକାର ରହିଥିଲା। ଏହି ସଂଖ୍ୟା ଅଧିକ କରିବାକୁ ଅମିତ ଶାହ ସେତେବେଳେ ରଣନୀତି ପ୍ରସ୍ତୁତ କରିଥିଲେ। କିନ୍ତୁ ତାହା ସଫଳ ହେଲାନି। ଫଳରେ ବିଜେପି ଗୋଟିଏ ପରେ ଗୋଟିଏ ଝଟ୍‌କା ଖାଇ ଚାଲିଲା।

୨୦୧୭ ଶେଷ ବେଳକୁ ବିଜେପି ହାତରେ ୧୯ଟି ରାଜ୍ୟ ଥିବା ବେଳେ ୨୦୨୦ ବେଳକୁ ଏହା ଖସିଯାଇ ୧୬ରେ ପହଞ୍ଚିଛି। ଏଣୁ ଦିଲ୍ଲୀ ବିଧାନସଭା ନିର୍ବାଚନରୁ ବିଜେପି ପୁଣି ସାରା ଭାରତରେ ପଦ୍ମ ଫୁଟାଇବାର ଅଭିଯାନ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛି।

ଏବେ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ସଭାପତି ନାହାନ୍ତି। ତାଙ୍କ ଜାଗାରେ ଜେ ପି ନଡ୍ଡା ହୋଇଛନ୍ତି ସଭାପତି। ସଭାପତି ଦାୟିତ୍ୱ ନେବା ପରେ ନଡ୍ଡା ଦିଲ୍ଲୀରେ ପ୍ରଥମ ଥର ପାଇଁ ପରୀକ୍ଷା ଦେବାକୁ ଯାଉଛନ୍ତି। ଏଣୁ ନଡ୍ଡାଙ୍କ ନେତୃତ୍ୱରେ ବିଜେପି କେମିତି ଦିଲ୍ଲୀରେ ସରକାର ଗଠନ କରିବ ତାହା ବଡ଼ ଚାଲେଞ୍ଜ ସୃଷ୍ଟି କରିଛି।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ହାତରୁ ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଚାଲି ଯାଇଥିଲା। ୨୦୧୯ ନିର୍ବାଚନ ପରେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଖସି ଯାଇଛି। ଏଣୁ ଦିଲ୍ଲୀରେ ସରକାର ଗଠନ କରି ବିଜେପି ସାରା ଦେଶରେ ପଦ୍ମ ଫୁଟାଇବା ଅଭିଯାନ ଆରମ୍ଭ କରିବାକୁ ଚାହୁଁଛି।

୨୦୧୪ ବିଧାନସଭା ନିର୍ବାଚନରେ ମୋଦୀ ମ୍ୟାଜିକରେ ସାରା ଦେଶରେ ପଦ୍ମ ଫୁଟିଥିଲା। ଏହାର ପ୍ରଭାବ ଦିଲ୍ଲୀ ବିଧାନସଭା ଫଳାଫଳ ଉପରେ ପଡ଼ିବ ବୋଲି ଆଶା ରହିଥିଲା। କିନ୍ତୁ ବିଜେପି ଏଠାରେ ଶକ୍ତ ଝଟ୍‌କା ଖାଇଥିଲା। ୭୦ ଆସନରୁ ବିଜେପି ୩ଟି ପାଇଥିଲା।

୨୦୧୫ ଫଳାଫଳର ଯେମିତି ପୁନରାବୃତ୍ତି ଏଥର ନହୁଏ ସେଥିପ୍ରତି ସଜାଗ ରହିଛି ବିଜେପି।

୨୦୧୯ ନିର୍ବାଚନରେ ବି ବିଜେପି କେନ୍ଦ୍ରରେ ସରକାର ଗଠନ କରିଛି। ଗତ ଥର ଅପେକ୍ଷା ବିଜେପି ଅଧିକ ଆସନ ପାଇଛି। ଭାରତର ରାଜଧାନୀ ଦିଲ୍ଲୀରେ ଯେହେତୁ ଏହି ନିର୍ବାଚନ ହେଉଛି ସମସ୍ତଙ୍କ ନଜର ଏହା ଉପରେ ରହିଛି। ବିଜେପି ସବୁଠୁ ବଡ଼ ଦଳ ଭାବେ ଛିଡ଼ା ହୋଇଥିବାରୁ ଦିଲ୍ଲୀ କେମିତି ଦଖଲ କରୁଛି ତାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି।

ଏପଟେ ପୁଣି ଥରେ ସରକାରକୁ ଫେରିବା ପାଇଁ କେଜରିୱାଲ ଉଦ୍ୟମ କରୁଛନ୍ତି। କେଜରିୱାଲଙ୍କ ପାଇଁ ତାଙ୍କ ସ୍ତ୍ରୀ, ପୁଅ ଏବଂ ଝିଅ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବର୍ତ୍ତମାନର ପାଣିପାଗ ଯାହା କହୁଛି ଦିଲ୍ଲୀରେ ଏବେ ବି କେଜରିୱାଲଙ୍କ କ୍ରେଜ୍‌ ରହିଛି। ଏହାର ପ୍ରମାଣ ପ୍ରାର୍ଥିପତ୍ର ଦାଖଲ ଦିନ ହିଁ ଜଣାପଡ଼ିଥିଲା। ରାଲିରେ ଏତେ ଭିଡ଼ ହୋଇଥିଲା ଯେ କେଜରିୱାଲ ବିଳମ୍ବରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିଥିଲେ। ଏଣୁ କେଜରିୱାଲଙ୍କ ଲୋକପ୍ରିୟତାକୁ କାଟି ବିଜେପିକୁ ଆଗକୁ ଆସିବାକୁ ହେଲେ ବଡ଼ ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ।

Comment