ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ: ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି) ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ଉନ୍ମୋଚିତ ହୋଇଛି। ସଂସ୍ଥାନର ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର, ସମ୍ବିତ ପାଲ ଓ ଏକାଡେମିକ୍‍ କୋର୍ଡିନେଟର ଜିତେନ୍ଦ୍ର ପତି ମନୋଗ୍ରାଫ୍‍ଟିକୁ ସଂସ୍ଥାନର ଟେଲିଭିଜନ୍‍ ଷ୍ଟୁଡିଓରୁ ପ୍ରସାରିତ ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଥିଲେ।

ଏଥିରେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଅରୁଣ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଦେଶର ବିଶିଷ୍ଟ ଲେଖକ, ଶିକ୍ଷାବିତ, ସାମ୍ବାଦିକ, ଐତିହାସିକଙ୍କ ୨୬ଟି ନିବନ୍ଧ ସ୍ଥାନ ପାଇଛି। ସାମ୍ବାଦିକତା ତଥା ସମ୍ପାଦନା କ୍ଷେତ୍ରରେ ଗାନ୍ଧୀଙ୍କ ଅବଦାନ ତଥା ବିଭିନ୍ନ ଭୂମିକା ନିବନ୍ଧଗୁଡ଼ିକରେ ଆଲୋଚିତ ହୋଇଛି।

ମନୋଗ୍ରାଫ୍‍ର ସମ୍ପାଦନା କରିଛନ୍ତି ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଓ କୋଲ୍‍କାତା ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ସ୍ନେହାଶିଷ ସୁର। ନିବନ୍ଧଗୁଡ଼ିକୁ ମୂଳ ଇଂରାଜୀରୁ ଓଡ଼ିଆରେ ଅନୁବାଦ କରିଛନ୍ତି ଏକାଡେମିକ ଆସିଷ୍ଟାଣ୍ଟ ପଦ୍ମଲୋଚନ ପ୍ରଧାନ।

ମନୋଗ୍ରାଫ୍‍ରେ କୋଲକାତାର ଲେଖକ ତଥା ସାମ୍ବାଦିକତା ଶିକ୍ଷକ ସୁବୀର ଘୋଷଙ୍କ ଅଭିଭାଷଣକୁ ରଖାଯାଇଛି। ସେ ଗାନ୍ଧୀଙ୍କ ଯୋଗାଯୋଗର ପ୍ରକ୍ରିୟାକୁ ଦୃଷ୍ଟିପାତ କରିଛନ୍ତି। ପ୍ରଫେସର ବି.ପି. ସଞ୍ଜୟ ତାଙ୍କ ନିବନ୍ଧରେ ଗାନ୍ଧୀଙ୍କ ସାମ୍ବାଦିକତାର ମହତ୍ତ୍ୱପୂର୍ଣ୍ଣ ଗୁଣଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଐତିହାସିକ ରାମଚନ୍ଦ୍ର ଗୁହା, ଡକ୍ଟର ଅରୁଲ ଆରାମ ଓ ଡକ୍ଟର ଉମା ଶଙ୍କର ପାଣ୍ଡେ ଗାନ୍ଧୀଙ୍କୁ ତିଆରି କରିବାରେ ‘ଇଣ୍ଡିଆନ ଓପିନିୟନ’ର ମହତ୍ତ୍ୱ ସମ୍ପର୍କରେ ଲେଖିଛନ୍ତି।

ସେହିପରି ଗାନ୍ଧୀଙ୍କ ଯୋଗାଯୋଗ ରଣନୀତି ସମ୍ପର୍କରେ ଲେଖିଛନ୍ତି ବି.ଏନ୍‍. ପଟ୍ଟନାୟକ। କାଶ୍ମୀରରେ ରହୁଥିବା ମିଡିଆ ଶିକ୍ଷାବିତ୍‍ ଡକ୍ଟର ଜନ୍‍ ବାବୁ ଆରିଷ୍ଟୋଟଲଙ୍କ ଭାଷାତତ୍ତ୍ୱ ଅନୁସାରେ ଗାନ୍ଧୀଙ୍କ ଯୋଗାଯୋଗ ଓ ସାମ୍ବାଦିକତା ଉପରେ ବୁଝିବାକୁ ପ୍ରୟାସ କରିଛନ୍ତି। ପ୍ରଫେସର ଭି.ଏସ୍‍. ଗୁପ୍ତା ନିଜ ନିବନ୍ଧରେ, ଗାନ୍ଧୀ କିପରି ଗଣମାଧ୍ୟମ ସହ ସମ୍ପୃକ୍ତ ହେଲେ, ସାମାଜିକ କୁସଂସ୍କାର ଦୂରୀକରଣ ଓ ସ୍ୱାଧୀନତା ସଂଗ୍ରାମରେ କିପରି ତାକୁ ଗୋଟିଏ ଉପକରଣ ଭାବେ ବ୍ୟବହାର କଲେ? ସେ ବିଷୟରେ ଅନ୍ୱେଷଣ କରିବାକୁ ପ୍ରୟାସ କରିଛନ୍ତି।

ବରିଷ୍ଠ ସାମ୍ବାଦିକ ବରୁଣ ଦାସ ଗୁପ୍ତା ଗାନ୍ଧୀଙ୍କ ଯୋଗାଯୋଗର କୌଶଳ ଉପରେ ଆଲୋଚନା କରିଛନ୍ତି। ସେହିପରି ଗାନ୍ଧୀଙ୍କ ମୁଖ୍ୟ ସିଦ୍ଧାନ୍ତ ଅହିଂସାକୁ ସାମ୍ବାଦିକତାରେ କିପରି ଗାନ୍ଧୀ ରୂପ ଦେଇଥିଲେ, ସେ ସମ୍ପର୍କରେ ଗୁରୁତ୍ୱ ଦେଇ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ୟାମଲ ରାୟ। ବରିଷ୍ଠ ଆଇନ୍‍ଜୀବୀ ତଥା ମୁକ୍ତ ସାମ୍ବାଦିକ, ଆଇନ୍‍ ସହ ସାମ୍ବାଦିକ ଭାବେ ଗାନ୍ଧୀଙ୍କ ଲଢ଼େଇ ସମ୍ପର୍କରେ ଆଲୋଚନା କରିଛନ୍ତି ।

ସାମ୍ବାଦିକ ଅମିତ୍‍ ପାଠକ, ଆଗାମୀ ପିଢ଼ିକୁ ଗାନ୍ଧିଜୀ କିପରି ମାର୍ଗଦର୍ଶନ କରିଛନ୍ତି, ସେ ଉପରେ ଆଲୋଚନା କରିଛନ୍ତି। ସ୍ନେହାଶୀଷ ସୁର, ସାମ୍ବାଦିକତାକୁ ଗାନ୍ଧୀଙ୍କ ପ୍ରବେଶ କାଳର ଦିନଗୁଡ଼ିକ ଓ ବିଭିନ୍ନ ଖବରକାଗଜରେ ତାଙ୍କର ସମ୍ପୃକ୍ତି ଉପରେ ଦୃଷ୍ଟିନିକ୍ଷେପ କରିଛନ୍ତି। ଡକ୍ଟର ମୃଣାଳ ଚାଟାର୍ଜୀ ଓ ସମ୍ବିତ ପାଲଙ୍କ ନିବନ୍ଧ ‘ଜଣେ ଖାଦ୍ୟ ଲେଖକରୁ ସାମ୍ବାଦିକ ଓ ରାଜନୈତିକ ଦାର୍ଶନିକ: ଗାନ୍ଧୀରୁ ମହାତ୍ମାକୁ ରୂପାନ୍ତର’ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରେ।

Comment