ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ସ୍ୱାଧୀନତା ପାଇବା ପରେ ନିର୍ମଳା ସୀତାରମଣ ଦ୍ୱିତୀୟ ଅର୍ଥମନ୍ତ୍ରୀ ଯିଏ ଲଗାତାର ଦୁଇ ଥର ବଜେଟ ଆଣିଛନ୍ତି। ଶନିବାର ଦିନ ସେ ୨୦୨୦ ଯେଉଁ ବଜେଟ ଉପସ୍ଥାପନ କରିଥିଲେ ତାହାର ୨୦ଟି ମୁଖ୍ୟ ବିଷୟ ହେଲା:
୧- ବ୍ୟକ୍ତିଗତ ଆୟକରରେ କୌଣସି ପରିବର୍ତ୍ତନ ନାହିଁ। ଧନୀଙ୍କ ଉପରେ ଲାଗିଲା ସରଚାର୍ଜ। ଦୁଇ କୋଟି ପର୍ଯ୍ୟନ୍ତ ୩ ପ୍ରତିଶତ ଓ ୫କୋଟି ଟଙ୍କା ଆୟ ପର୍ଯ୍ୟନ୍ତ ୭ ପ୍ରତିଶତ ସରଚାର୍ଜ।
୨- ପାଞ୍ଚ କୋଟିରୁ କମ ଆୟ କରୁଥିବା ଲୋକେ ଏବେ ତିନି ମାସରେ ଥରେ ରିଟର୍ଣ୍ଣି ଦାଖଲ କରିବେ।
୩- ଘର ଋଣ ପାଇଁ ଆଉ ଦେଢ଼ ଲକ୍ଷ ଟଙ୍କା ଟିକସ ଛାଡ଼।ଯେଉଁମାନେ ପ୍ୟାନ କାର୍ଡ କରିନାହାନ୍ତି ରିଟର୍ଣ୍ଣି ଦାଖଲ କରିବା ବେଳେ ଆଧାର କାର୍ଡ ବ୍ୟବହାର କରିପାରିବେ।
୪ – ବ୍ୟବସାୟିକ ଦେଣନେଣ ପାଇଁ କୋଟିଏ ଟଙ୍କା ବ୍ୟାଙ୍କରୁ ଉଠାଇଲେ ୨ ପ୍ରତିଶତ ଟିଡିଏସ ଲାଗିବ। କ୍ୟାସଲେଶ ପେମେଣ୍ଟ ପାଇଁ ଏମଡ଼ିଆର ଚାର୍ଜ ଉଠିଲା।
୫- ୨୦୨୦ ଆର୍ଥିକ ବର୍ଷ ସୁଦ୍ଧା ଭାରତ ତିନି ଟ୍ରିଲିୟନ ଅର୍ଥନୀତି ହେବାର ଲକ୍ଷ୍ୟ, ୫ ବର୍ଷ ମଧ୍ୟରେ ୫ ଟ୍ରିଲିୟନ। ଘରୋଇ ଓ ବିଦେଶୀ ପୁଞ୍ଜି ନିବେଶ ପାଇଁ ନୂଆ ନୂଆ ପଦକ୍ଷେପ।
୬- ଗ୍ୟାସ,ପାଣିଗ୍ରୀଡ଼ ଓ ଆଞ୍ଚଳିକ ବିମାନ ବନ୍ଦର ପାଇଁ ନକ୍ସା ତିଆରି ହେବ। ବେସାମରିକ ବିମାନ ଚଳାଚଳ,ମିଡ଼ିଆ ଓ ଇଂସୁରାନ୍ସ ମିଡ଼ିଏଟରି କ୍ଷେତ୍ରରେ ବିଦେଶୀ ପୁଞ୍ଜିକୁ କୋହଳ କରାଯିବ।
୭- ଆନ୍ତର୍ଜାତିକ ଆର୍ଥିକ ସେବା କେନ୍ଦ୍ର ବା ଆଇଏଫଏସସିକୁ ମଜବୁତ କରିବା ପାଇଁ ପଦକ୍ଷେପ ନିଆଯିବ। କ୍ରେଡିଟ ଗ୍ୟାରେଣ୍ଟି ଏନ୍ହାନ୍ସ ମେଣ୍ଟ କର୍ପୋରେସନ ଗଠନ ହେବ।
୮- ସାମାଜିକ ସଂସ୍ଥା ଓ ଏନଜିଓମାନଙ୍କର ଷ୍ଟକ ମାର୍କେଟ ଲିଷ୍ଟିଙ୍ଗ ହେବ। ଏଥିପାଇଁ ଇଲେକ୍ଟ୍ରୋନିକ ଫଣ୍ଡ ରେଜିଂ କାର୍ଯ୍ୟକ୍ରମ ଆରମ୍ଭ ହେବ।
୯- ବାର୍ଷିକ ଦେଢ଼ କୋଟିରୁ କମ କାରବାର କରୁଥିବା ୩ କୋଟି ଖୁଚୁରା ବ୍ୟବସାୟୀଙ୍କୁ ପେନସନ ସୁବିଧା ମିଳିବ। ଏମଏସଏମଇ ପେମେଣ୍ଟ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ ବା ବ୍ୟବସ୍ଥା ତିଆରି ହେବ।
୧୦ – ଅର୍ଥନୈତିକ ବ୍ୟବସ୍ଥା ଭିତରକୁ ଆଣିବା ନିମନ୍ତେ ୫୦ ହଜାର କୌଳିକ ବୃତ୍ତିଧାରୀଙ୍କ ପାଇଁ ୧୦୦ କ୍ଳଷ୍ଟର ତିଆରି ହେବ। ଷ୍ଟାର୍ଟ ଅପ ମାନଙ୍କ ପାଇଁ ଟେଲିଭିଜନ କାର୍ଯ୍ୟକ୍ରମ ଆରମ୍ଭ ହେବ।
୧୧- ଛୋଟ ସହରରେ ରେଳ ନେଟୱର୍କ ବଢ଼ାଯିବ।ପିପିପି ମୋଡ଼ରେ ଅଧିକ ମେଟ୍ରୋ ରେଳ ଚାଲିବ।ରେଳ ଷ୍ଟେସନ ଆଧୁନିକୀକରଣ କାର୍ଯ୍ୟ ଏବର୍ଷଠାରୁ ଆରମ୍ଭ ହେବ।
୧୨- ସ୍କୁଲ ଓ କଲେଜ ଶିକ୍ଷାରେ ପରିବର୍ତ୍ତନ ଆଣିବାକୁ ଏକ ନୂଆ ଶିକ୍ଷା ନୀତି ଆସିବ। ଏକ ଜାତୀୟ ଗବେଷଣା ଫାଉଣ୍ଡେସନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି। ପାଣ୍ଠି ଯୋଗାଡ଼, ସମନ୍ୱୟ ରକ୍ଷା ଓ ବିକାଶ ପାଇଁ ଏହି ଫାଉଣ୍ଡେସନ କାର୍ଯ୍ୟ କରିବ। ବିଭିନ୍ନ ମନ୍ତ୍ରାଳୟର ଗବେଷଣା ପାଣ୍ଠିକୁ ଏହି ଫାଉଣ୍ଡେସନ ଏକାଠି କରି ତାହାର ପରିଚାଳନା କରିବ।
୧୩ – ଯୁବକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ସଚେତନ କରାଇବା ପାଇଁ ଏକ ଗାନ୍ଧୀପିଡ଼ିଆ କାମ ଆରମ୍ଭ ହେବ। ଦେଶର ଉଚ୍ଚ ଶିକ୍ଷା କମିଶନର ରୂପରେଖ ତିଆରି ପାଇଁ ଏକ ବିଲ ଅଣାଯିବ।
୧୪- ଖେଲୋ ଇଣ୍ଡିଆ ସ୍କିମ ଜରିଆରେ ଏକ ଜାତୀୟ ଖେଳ ଶିକ୍ଷା ବୋର୍ଡ଼ ଗଠନ ହେବ। ବିଶ୍ୱ ସ୍ତରୀୟ ଉଚ୍ଚ ଶିକ୍ଷା ଅନୁଷ୍ଠାନ ପାଇଁ ଆସନ୍ତା ଆର୍ଥିକ ବର୍ଷରେ ହିଁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
୧୫- ଦେଶର ବିଭିନ୍ନ ଶ୍ରମ ଆଇନକୁ ଏକାଠି କରି ସେସବୁକୁ ଏକ ଲେବର କୋଡ଼ ଭିତରକୁ ଅଣାଯିବ।ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ,ରୋବଟିକ୍ସ ଓ ୩ଡ଼ି ପ୍ରିଣ୍ଟିଂଗ ଉପରେ ଆଧୁନିକ ତାଲିମ ପ୍ରଦାନ କରାଯିବ।
୧୬-ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ବର୍ଷକୁ ୩ ହଜାର ଟଙ୍କା ପେନସନ ଦିଆଯିବ। ଦେଶରେ ପହଞ୍ଚୁ ପହଞ୍ଚୁ ପ୍ରବାସୀ ଭାରତୀୟମାନଙ୍କ ପାଇଁ ୧୮୦ ଦିନ ଅବଧି ବିଶିଷ୍ଟ ଆଧାର କାର୍ଡ ମିଳିବ। ଯେଉଁ ଦେଶରେ ଭାରତର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ନାହିଁ ସେଠି ଅଫିସ ଖୋଲିବ।
୧୭- ‘ନାରୀ ତୁ ନାରାୟଣୀ’ ନାମରେ ସବୁ ଜିଲ୍ଲାରେ ମହିଳା ଏସଏଚଜି ଇଣ୍ଟରେଷ୍ଟ ସବଭେନସନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏସଏଚଜି ସଦସ୍ୟାଙ୍କୁ ଏକ ଲକ୍ଷ ଋଣ ମିଳିବ। ଯାହାର ଜନଧନ ଆକାଉଣ୍ଟ ଅଛି ତାଙ୍କୁ ୫ ହଜାର ଟଙ୍କା ଓଭର ଡ୍ରାଫ୍ଟ ସୁବିଧା ଦିଆଯିବ।
୧୮ – ମଡେଲ ଟେନାସି (ଭଡାଟିଆ) ଆଇନ ତିଆରି କରାଯାଇ ସବୁ ରାଜ୍ୟ ସରକାରଙ୍କ ଅନୁମତି ପାଇଁ ପଠାଯିବ। ରେଣ୍ଟ।ଲ ହାଉସିଙ୍ଗ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ କୋଟି ୯୫ ଲକ୍ଷ ଘର ତିଆରି ହେବ।
୧୯- ଜାତୀୟ ରାଜପଥ ପାଇଁ ଏକ ବିସ୍ତୃତ ପୁନର୍ଗଠନ କାର୍ଯ୍ୟ ଆରମ୍ଭ ହେବ। ଦ୍ୱିତୀୟ ‘ଭାରତ ମାଳା’ କାର୍ଯ୍ୟକ୍ରମ ପାଇଁ ରାଜ୍ୟମାନଙ୍କୁ ରାସ୍ତା ଯୋଡ଼ା କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସାହାଯ୍ୟ ଯୋଗାଇ ଦିଆଯିବ।ପ୍ରଧାନମନ୍ତ୍ରୀ ରାସ୍ତା ଯୋଜନା ଅନ୍ତର୍ଗତ ୧୨୫ ହଜାର କିମି ରାସ୍ତାର ଉନ୍ନତିକରଣ କରାଯିବ।
୨୦- ସରକାରୀ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ବଢ଼ାଇବା ପାଇଁ ୭୦ ହଜାର କୋଟିର ରିକ୍ୟାପିଟାଲାଇ ଲଜେସନ ବ୍ୟବସ୍ଥା କରାଯିବ। ଯେଉଁ ଅଣ ବ୍ୟାଙ୍କିଙ୍ଗ ସଂସ୍ଥାର ସ୍ୱାସ୍ଥ୍ୟ ଭଲ ଅଛି ସେମାନେ ଏଣିକି ବ୍ୟାଙ୍କରୁ ଋଣ ନେଇ ଚାଲିବେ।