ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଟି ହସ୍ପିଟାଲ ଦାବିରେ କାଲି ମଧ୍ୟ ବନ୍ଦ ରହିବ ବରଗଡ଼। ଆସନ୍ତାକାଲି ବରଗଡ଼ ବନ୍ଦ ପାଇଁ ନାଗରିକତା ଏକତା ମଞ୍ଚ ପକ୍ଷରୁ ଆହ୍ଵାନ ଦିଆଯାଇଛି। ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସିଟି ହସ୍ପିଟାଲ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ସିଟି ହସ୍ପିଟାଲ ଦାବିରେ ଆଜି ବରଗଡ଼ ବନ୍ଦ ଡାକରା ଦିଆଯାଇଥିଲା। ଏନେଇ ଆଜି ସ୍ଥାନୀୟ ଲୋକମାନେ ମୁଖ୍ୟ ହସ୍ପିଟାଲ ସାମ୍ନାରେ ବସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଧାରଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ହଟାଇବାକୁ ଉଦ୍ୟମ କରିବାରୁ ପୁଲିସ ସହ ଲୋକମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ବରଗଡ଼ ସହରଠାରୁ ୧୦ କିମି ଦୂର ଟୁକୁର୍ଲାକୁ ନୂତନ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ପରେ  ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଠପ୍‌ ହୋଇପଡ଼ିଛି। ତେଣୁ ପୁରୁଣା ହସ୍ପଟାଲକୁ ସିଟି ହସ୍ପିଟାଲ ମାନ୍ୟତା ଦେଇ କାର୍ଯ୍ୟକ୍ଷମ କରିବାକୁ ସହରବାସୀ ଦାବି କରୁଛନ୍ତି।

Comment