ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟାନ୍‌ସର ସହ ଲଢ଼ୁଛନ୍ତି ଅଭିନେତ୍ରୀ ରାଜେଶ୍ୱରୀ। ଆଜି ବିଶ୍ୱ କର୍କଟ ଦିବସ ଅବସରରେ ତାଙ୍କ ସଂଘର୍ଷର କାହାଣୀ ଜାଣିବାକୁ ତାଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍‌।

ଭବିଷ୍ୟତକୁ ନେଇ ସେ ନିଶ୍ଚିତ ନୁହଁନ୍ତି, ହେଲେ ମନରେ ଅସୁମାରୀ ସ୍ୱପ୍ନ ଓ ଆଶା। ଜୀବନ ଜିଇଁବାର ଇଚ୍ଛା ଓ ଅନ୍ୟକୁ ଜୀବନ ବଞ୍ଚାଇବାର ରାହା ଦେଖାଇବାର ସ୍ୱପ୍ନ। କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇବି ହାର ମାନି ନାହାନ୍ତି ସେ ବରଂ ଆଗଠାରୁ ବେଶୀ ଶକ୍ତିଶାଳୀ ହୋଇଛନ୍ତି। ଲଢ଼ିବାର ଓ ଲଢ଼େଇ କରିବାର ସାହସ ପାଇଛନ୍ତି ସେ। ସେ ହେଉଛନ୍ତି ଓଡ଼ିଆ ଟେଲି ସିରିଏଲ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର।

ରାଜେଶ୍ୱରୀ ଟେଲି ଜଗତର ଜଣେ ଜଣାଶୁଣା ଖଳ ଅଭିନେତ୍ରୀ। ଟିଭି ପରଦାରେ ନିଜ ଅଭିନୟ ମାଧ୍ୟମରେ କେତେବେଳେ ସେ ହସାଉଥିଲେ ତ କେତେବେଳେ କନ୍ଦାଉଥିଲେ। ସେ ପ୍ରଥମେ ଆଙ୍କ୍‌ରିଂ ଜରିଆରେ ଗ୍ଲାମର ଦୁନିଆକୁ ପ୍ରବେଶ କରିଥିଲେ ମଧ୍ୟ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି।

ସେ ଗତବର୍ଷ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଥିଲେ ଯେ ସେ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଅଛନ୍ତି। ବର୍ତ୍ତମାନ ସେ କ୍ୟାନ୍‌ସରର ଚତୁର୍ଥ ଷ୍ଟେଜ୍‌ରେ ଅଛନ୍ତି। ତଥାପି ରାଜେଶ୍ୱରୀ ସକରାତ୍ମକ ଭାବେ ହସି ହସି କ୍ୟାନ୍‌ସର ସହ ଲଢ଼େଇ ଜାରି ରଖିଛନ୍ତି।

‘‘ମୁଁ ଛୁଆବେଳୁ ସତ୍ୟକୁ ଗ୍ରହଣ କରିବା ଶିଖିଛି। ଯେତେବେଳେ ମୁଁ ଜାଣିଲି ମତେ କ୍ୟାନ୍‌ସର ହୋଇଛି, ମୁଁ କିଛି ସେକେଣ୍ଡ ପାଇଁ ସ୍ତବ୍ଧ ହୋଇଯାଇଥିଲି ସତ ହେଲେ ପରେ ଏହି ସତ୍ୟକୁ ଗ୍ରହଣ କରି ନେଇଥିଲି। କ୍ୟାନସର ହୋଇଛି ଯଦି ଟ୍ରିଟ୍‌ମେଣ୍ଟ ବି କରିବି’’, ଉତ୍ସାହର ସହ ଓଡ଼ିଶାଲାଇଭ୍‌କୁ କହିଛନ୍ତି ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର।

‘‘ଚତୁର୍ଥ ଷ୍ଟେଜରେ କ୍ୟାନ୍‌ସର ହୋଇଛି ବୋଲି ମୁଁ ଜାଣିବାକୁ ପାଇଲି। ଏ କଥା ଶୁଣି ମୋ’ ପରିବାର କାଳେ ଦୁଃଖରେ ଭାଙ୍ଗିଯିବ ସେଥିପାଇଁ ମୁଁ ମୋ ସ୍ୱାମୀ ଓ ପରିବାରକୁ ଆଗ କହିଲି। ମତେ କିଏ ସାନ୍ତ୍ୱନା ଦେବା ଆଗରୁ ମୁଁ ସମସ୍ତଙ୍କୁ ସାନ୍ତ୍ୱନା ଦେଲି ଯେ, ବ୍ୟସ୍ତ ହୁଅନି, ବମ୍ବେ ଯାଇ ଟ୍ରିଟ୍‌ମେଣ୍ଟ କରିବି ଏବଂ ଠିକ୍‌ ବି ହେବି। ଯଦି କଷ୍ଟ ଆସିଛି ତାକୁ ଦୃଢ଼ତାର ସହ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି’’, କହିଛନ୍ତି ରାଜେଶ୍ୱରୀ।

ସେ ଓଡ଼ିଶାଲାଇଭ୍‌କୁ ଆହୁରି ମଧ୍ୟ କହିଛନ୍ତି, ‘‘ନିଜ ପାଇଁ ନ ହେଉ ନିଜ ପରିବାର ଓ ସ୍ୱାମୀ ପାଇଁ ବଞ୍ଚିବା ଦରକାର। ଜୀବନ ମରଣ ଆମ ହାତରେ ନାହିଁ ଏବଂ ମୁଁ କେବେ ଭାବିନି ବି ମୁଁ କେତେ ଦିନ ବଞ୍ଚିବି। ହେଲେ ଯେତିକି ଦିନ ବଞ୍ଚିବି ଖୁସିରେ ବଞ୍ଚିବି।’’

କ୍ୟାନ୍‌ସର ହେବା ପୂର୍ବର ଜୀବନଶୈଳୀ ଓ କ୍ୟାନ୍‌ସର ହେବା ପରର ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା ରାଜେଶ୍ୱରୀଙ୍କ ପାଇଁ। କ୍ୟାନ୍‌ସର ପୂର୍ବରୁ ସୁଟିଂର ବ୍ୟସ୍ତତା ଭିତରେ ଓ ଖାଦ୍ୟପେୟର ଅନିୟମିତତା, ଶୋଇବାର ସମୟସୀମାରେ ବହୁତ ଫରକ ଥିଲା। ହେଲେ ବର୍ତ୍ତମାନ ଖାଦ୍ୟପେୟ ଉପରେ ବେଶି ଧ୍ୟାନ, ଠିକ୍‌ ସମୟରେ ଶୋଇବା ଓ ଉଠିବା ଉପରେ ଧ୍ୟାନ ଦେବାକୁ ପଡ଼ୁଛି।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ମତେ କ୍ୟାନ୍‌ସର ହୋଇଛି ବୋଲି ବି ମୁଁ ଚିନ୍ତିତ ନାହିଁ। ମତେ ଆଗକୁ କାମ କରିବାର ଅଛି। ମୋର ଲକ୍ଷ୍ୟ ଆକ୍ଟିଂ କରିବା। ଏବେ ବି ମୁଁ ଆକ୍ଟିଂ କରିବି ଓ ଆଗକୁ ବଢ଼ିବି। ଜୀବନ ସଂଘର୍ଷମୟ। ସଂଘର୍ଷ ଓ ଚାଲେଞ୍ଜ ଭିତରେ ଆମକୁ ଆଗକୁ ବଢ଼ିବାର ଅଛି।’’

‘‘ମୁଁ ମୃତ୍ୟୁର ପାହାଚରେ ଛିଡ଼ା ହୋଇଛି, କିନ୍ତୁ ମୁଁ ବଞ୍ଚିବାକୁ ଚାହୁଁଛି। ଜୀବନ ବହୁତ ମୂଲ୍ୟବାନ। ଭଗବାନ ଆମକୁ ଗୋଟେ ଜୀବନ ଦେଇଛନ୍ତି ବଞ୍ଚିବା ପାଇଁ। ଏଇ ଜୀବନ ଆମକୁ ବଞ୍ଚିବା ଦରକାର’’ କହିଛନ୍ତି ରାଜେଶ୍ୱରୀ।

ସେ ଓଡ଼ିଶାଲାଇଭ୍‌ ମାଧ୍ୟମରେ ନିଜ ଦର୍ଶକମାନଙ୍କୁ କହିଛନ୍ତି, ‘‘ସବୁବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିହାତି ଜରୁରୀ। ଆମେ ଯାହା ବି ଖାଉଛୁ ସବୁଥିରେ ଭେଜାଲ ମିଶୁଛି। ସେଥିପାଇଁ ସବୁବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ।’’

Comment