ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ରାଜ୍ୟର ବିଭିନ୍ନ ଥାନାରେ ଜାମିନବିହୀନ ଗିରଫ ପରୱାନା ତଥା ନନ୍ ବେଲେବୁଲ୍ ୱାରେଣ୍ଟ୍(ଏନବିଡବ୍ଲ୍ୟୁ) ମାଳମାଳ ସଂଖ୍ୟାରେ ଗଦା ହୋଇପଡିଛି। ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ ହୋଇପାରୁନଥିବାରୁ କୋର୍ଟରେ ବିଚାର ପ୍ରକ୍ରିୟାରେ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ଡିଜି ଶ୍ରୀଅଭୟ ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ କରିବା ଓ ଅଭିଯୁକ୍ତଙ୍କ ଗିରଫଦାରୀ ଉପରେ ଗୁରୁତ୍ୱ ଦେଇଛନ୍ତି।

ଡିଜି ଶ୍ରୀଅଭୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଏନବିଡବ୍ଲ୍ୟୁ ଧରପଗଡ଼ ଜାରି ରହିଛି। ରାଜ୍ୟବ୍ୟପୀ ଚାଲିଥିବା ଏହି ଅଭିଯାନରେ ଗତ ୯ ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ୫୧୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି। ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପୋଲିସ୍ ଆଗରେ ରହି ୭୩୩ଜଣଙ୍କୁ ଗିରଫ କରିଥିଲାବେଳେ କୋରାପୁଟ ଜିଲ୍ଲା ପୋଲିସ୍ ୪୧୭ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ସେହିପରି କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୨୦୦ରୁ ଅଧିକ ଲେଖାଏଁ ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ ହୋଇଥିବା ଜଣାଯାଇଛି।

ଏଡିଜି କହିଛନ୍ତି, ‘‘ଗତ ୨୭ ତାରିଖ ଦିନ ଧରପଗଡ଼ ଅଭିଯାନ ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ ୩୯ହଜାର ୨୫୪ଟି ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ ନହୋଇ ପଡିରହିଥିଲା। ୨୭ରୁ ଗତକାଲି ଯାଏଁ ଚାଲିଥିବା ଏହି ଅଭିଯାନରେ ୫୧୨୧ଟି ଜାମିନବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଥିବା ବେଳେ ୪ହଜାର ୩୩୩ଟି ଏନବିଡବ୍ଲ୍ୟୁ ଅନ୍ୟ ଉପାୟରେ ସମାଧାନ କରାଯାଇଛି। ତଥାପି ରାଜ୍ୟରେ ଏବେ ସୁଦ୍ଧା ୩୧ ହଜାର ୪୮୨ଟି ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ ହୋଇପାରି  ନାହିଁ।’’

Comment