ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନ କଲେ ରାଜ୍ୟ ସରକାର।

ସରକାରୀ ଚାକିରିଆ ପରିବାରଙ୍କ ପାଇଁ ଖୁସି ଖବର। କାର୍ଯ୍ୟକାଳ ଭିତରେ ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ହୋଇଯାଏ ତାହାଲେ ତାଙ୍କ ପରିବାରର ଜଣକୁ ରାଜ୍ୟ ସରକାର ନିଯୁକ୍ତି ଦେବେ। ‘ଗ୍ରୁପ୍‌-ଡି’ ବର୍ଗରେ ଏହି ନିଯୁକ୍ତି ଦିଆଯିବ। ଏଥିପାଇଁ ୫୦ ପ୍ରତିଶତ ପଦବୀ ସଂରକ୍ଷିତ ରଖାଯିବ।

ସବୁ ବର୍ଗର ସରକାରୀ କର୍ମଚାରୀଙ୍କ ପରିବାରକୁ ଏହି ସୁବିଧା ମିଳିବ। ଏଥିପାଇଁ ରାଜ୍ୟ କ୍ୟାବିନେଟ୍‌ ଶୁକ୍ରବାର ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନ ପ୍ରସ୍ତାବରେ ମୋହର ମାରିଛି।

ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିଥିଲା। କ୍ୟାବିନେଟ୍‌ରେ ମୋଟ ୯ଟି ପ୍ରସ୍ତାବ ଉପରେ ମୋହର ମରାଯାଇଥିଲା। ସେଥି ମଧ୍ୟରୁ ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ-୨୦୨୦ ସଂଶୋଧନ ପ୍ରସ୍ତାବ ହେଉଛି ଅନ୍ୟତମ।

ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ-୧୯୯୦ର ନିୟମ ଅନୁଯାୟୀ ପୂର୍ବରୁ କେବଳ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଉଥିଲା। ଏଥିରେ ସଂଶୋଧନ କରାଯାଇଛି। କେବଳ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ଗ୍ରୁପ୍‌-ଡିରେ ଉଦ୍ଦିଷ୍ଟ ଥିବା ୧୦ ପ୍ରତିଶତ ପଦବୀକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି।

Comment