ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଚାରି ଦୋଷୀ? ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ଆବେଦନ ଖାରଜ ହେବା ପରେ ଏହି ପ୍ରଶ୍ନ ଏବେ ସବୁ ବର୍ଗର ଲୋକଙ୍କ ମନରେ ଉଠିଛି। ନିର୍ଭୟା ଦୋଷୀଙ୍କ ବିରୋଧରେ ତୃତୀୟ ଡେଥ୍‌ ୱାରେଣ୍ଟ ଜାରି କରିବାକୁ ତିହାର୍‌ ଜେଲ୍‌ କର୍ତ୍ତୃପକ୍ଷ ପଟିଆଲା ହାଉସ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନକୁ କୋର୍ଟ ଆଜି ଖାରଜ କରି ଦେଇଛନ୍ତି।

ପଟିଆଲା ହାଉସ୍‌ କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି। ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କୁ ନ୍ୟାୟିକ ବିକଳ୍ପ ପାଇଁ ଫେବ୍ରୁଆରି ୧୧ ଯାଏଁ ସମୟ ଦେଇଛନ୍ତି।

ତିହାର ଜେଲ୍‌ କର୍ତ୍ତୃପକ୍ଷ ସିଆର୍‌ପିସି ଧାରା ୪୧୩ ଏବଂ ୪୧୪ ଅନୁଯାୟୀ ଫାଶୀ ତାରିଖ ନିର୍ଦ୍ଧାରଣ କରିବାକୁ ପଟିଆଲା ହାଉସ୍‌ କୋର୍ଟ ଯାଇଥିଲେ।

ଏପଟେ ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କେନ୍ଦ୍ରର ଆବେଦନ ଉପରେ ଶୁଣାଣି ଘୁଞ୍ଚିଛି। କେନ୍ଦ୍ରର ଆବେଦନ ଉପରେ ୧୧ ତାରିଖରେ ଶୁଣାଣି ହେବ ବୋଲି ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ନେଇଛନ୍ତି।

୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲା। ପୂର୍ବରୁ କେନ୍ଦ୍ରର ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଫେବ୍ରୁଆରି ୫ରେ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କୁ ୭ ଦିନ ସମୟ ଦେଇଥିଲେ। ସପ୍ତାହକ ଭିତରେ ଯାହାବି ଆଇନଗତ ପ୍ରକ୍ରିୟା ବାକି ରହିଛି ତାହା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କୋର୍ଟ ମନା କରିଦେଇଥିଲେ। କୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍‌ କରିଛନ୍ତି କେନ୍ଦ୍ର ସରକାର।

ନିର୍ଭୟା କାଣ୍ଡର ତିନି ଦୋଷୀ ଅକ୍ଷୟ ଠାକୁର, ବିନୟ ଶର୍ମା ଏବଂ ମୁକେଶ ଶର୍ମାର ଦୁଇଟି ଯାକ ବିକଳ୍ପ ଶେଷ ହୋଇଛି। ଏହି ତିନି ଦୋଷୀ କ୍ୟୁରେଟିଭ୍‌ ପିଟିସନ ଏବଂ ରାଜକ୍ଷମା ଆବେଦନ କରିଥିଲେ। ଏସବୁକୁ କୋର୍ଟ ଖାରଜ କରି ଦେଇଛନ୍ତି। ଏବେ କେବଳ ଅନ୍ୟତମ ଦୋଷୀ ପବନ ଗୁପ୍ତା ପାଖରେ ବିକଳ୍ପ ରହିଛି। ଫେବ୍ରୁଆରି ୧୧ ତାରିଖ ଭିତରେ ସେ କ୍ୟୁରେଟିଭ୍‌ ପିଟିସନ ଆବେଦନ କରିବା ସହ ରାଜକ୍ଷମା ଆବେଦନ କରିବାକୁ ପଡ଼ିବ।

ଜାନୁଆରି ୨୨ ତାରିଖରେ ୪ ଦୋଷୀଙ୍କୁ ତିହାର ଜେଲ୍‌ରେ ଫାଶୀ ଦେବାକୁ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ୍‌ କୋର୍ଟ। ହେଲେ ଫାଶୀ ପୂର୍ବରୁ ଜଣେ ଦୋଷୀ ରାଜକ୍ଷମା ଆବେଦନ କରିଥିଲା। ରାଷ୍ଟ୍ରପତିଙ୍କ ପାଖରେ ଏହା ଦୀର୍ଘ ଦିନ ଧରି ପଡ଼ି ରହିବାରୁ ୨୨ରେ ଫାଶୀ ଦିଆଯାଇ ପାରି ନଥିଲା।

ପରେ କୋର୍ଟ ଫାଶୀ ପାଇଁ ଫେବ୍ରୁଆରି ୧କୁ ତାରିଖ ନିର୍ଦ୍ଧାରଣ କରିଥିଲେ। ହେଲେ ଦୁଇ ଜଣ ଦୋଷୀ କ୍ୟୁରେଟିଭ୍‌ ପିଟିସନ ଆବେଦନ କରିବାକୁ ଫାଶୀ ଘୁଞ୍ଚିଥିଲା। ହେଲେ କୋର୍ଟ ପରବର୍ତ୍ତୀ ଫାଶୀ ତାରିଖ ଘୋଷଣା କରି ନଥିଲେ।

Comment