ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଚଉବନ ବର୍ଷ ତଳେ ବରେଲି ବଜାରରେ ସାଧନାଙ୍କ ହଜି ଯାଇଥିବା ଝୁମୁକା ଶେଷରେ ମିଳି ହିଁ ଯାଇଛି। ୧୯୬୬ରେ ରାଜ ଖୋସଲାଙ୍କ ନିର୍ଦ୍ଦେଶିତ ହିନ୍ଦୀ ସିନେମା ‘ମେରା ସାୟା’ର ସେହି ଗୀତ ‘ଝୁମକା ଗିରାରେ..ବରେଲି କି ବଜାର ମେ’ ସେତେବେଳେ ଖୁବ୍ ଚର୍ଚ୍ଚାରେ ଥିଲା ଓ ଆଜି ବି ଗୀତଟି ଲୋକପ୍ରିୟତା ହାସଲ କରି ଚାଲିଛି। ସେହି ଗୀତର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏବେ ବରେଲି ବଜାରରେ ସେହି ଝୁମୁକାର ଏକ ପ୍ରତୀକ ନିର୍ମାଣ କରାଯାଇଛି। ବରେଲିର ଏକ ପୋଲ ଉପରେ ଝୁମୁକା ଆକୃତିକୁ ଦେଖିବା ପାଇଁ ଏବେ ପ୍ରବଳ ଲୋକ ଭିଡ ଲକ୍ଷ୍ୟ କରାଯାଉଛି।

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଏନଏଚ ୪୨ଉପରେ ଥିବା  ଜିରୋ ପଏଣ୍ଟ ଠାରେ ଏହି ସୁଉଚ୍ଚ ଝୁମୁକାକୁ ଓହଳା ଯାଇଛି।  ସେହି ଝୁମୁକାର ପ୍ରତିରୂପକୁ ଦେଖିବା ସହ ଯେଉଁମାନେ ଏହି ସ୍ଥାନ ଦେଇ ଯାଉଛନ୍ତି ସେମାନେ ବିଭିନ୍ନ ଆଙ୍ଗଲରୁ ଫଟୋ ନେବାକୁ ଆଦୌ ଭୁଲୁ ନାହାନ୍ତି। ଆଉ ଝୁମୁକା ସହିତ ସେଲ୍ଫି ନେବା ତ ସାଧାରଣ କଥା।ଉଲ୍ଲେଖ କରାଯାଇପାରେ ଯେ ‘ମେରା ସାୟା’ ଚଳଚ୍ଚିତ୍ରର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଏହି ଝୁମୁକା ନିର୍ମାଣ କରାଯାଇଛି। କୁହାଯାଉଛି ଯେ ବରେଲି ଉନ୍ନୟନ ନିଗମ ପାଖରେ ଏହି ପ୍ରତୀକାତ୍ମକ ଝୁମୁକା ତିଆରି କରିବା ପାଇଁ ଅର୍ଥର ଅଭାବ ଥିଲା। ତେଣୁ କାର୍ଯ୍ୟ ଆଗେଇ ପାରୁନଥିଲା। ତେବେ ସେହି ସହରର ଜଣେ  ବରିଷ୍ଠ ଚିକିତ୍ସକ ଡକ୍ଟର କେଶବ ସାହାଯ୍ୟର ହାତ ବଢ଼େଇଥିଲେ। ତାଙ୍କରି ସାହାଯ୍ୟରେ ନିର୍ମିତ ଝୁମୁକାର ନିକଟରେ ଲୋକାର୍ପଣ କରାଯାଇଛି।ବରେଲିର ପୋଲିସ ଡ଼ିଆଇଜି ରାଜେଶ ପାଣ୍ଡ୍ୟାଙ୍କ କହିବା ଅନୁଯାୟୀ ତାଙ୍କର ସେଠି ଯୋଗଦେବା ପରେ ବନ୍ଧୁ ଓ ଶୁଭେଛୁ ସବୁବେଳେ ହାସ୍ୟ ଛଳରେ ପଚାରୁଥାନ୍ତି ଝୁମୁକା ମିଳିଲା କି ନାହିଁ। ଏବେ ସେହି ପ୍ରଶ୍ନ ଆଉ କେହି ପଚାରିବେ ନାହିଁ ବୋଲି ପାଣ୍ଡେ ସ୍ମିତହାସ୍ୟର ସହ କହିଛନ୍ତି। ଲକ୍ଷ୍ନୌ-ଦିଲ୍ଲୀ ୪୨ ନମ୍ବର ରାଜପଥ ଉପରେ ବରେଲି ସହର ଅବସ୍ଥିତ। ଏହାର ପ୍ରବେଶ ମାର୍ଗ ଉପରେ ହିଁ ଏହି ଝୁମୁକା ଶୋଭା ପାଉଛି।

ସ୍ମରଣଯୋଗ୍ୟ ଯେ,ସେତେବେଳର ବଲିଉଡ ଅଭିନେତ୍ରୀ ସାଧନାଙ୍କ ଏହି ‘ଝୁମକା ଗିରା’ ଗୀତରେ ସୁନୀଲ ଦତ୍ତ ଅଭିନୟ କରିଥିଲେ। ଆଶା ଭୋଂସଲେ ଏହି ଲୋକପ୍ରିୟ ଗୀତଟିକୁ ଗାଇଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଦନ ମୋହନ ଓ ଗୀତର ବୋଲ ଲେଖିଥିଲେ ରାଜା ମେହଦୀ ଅଲି ଖାଁ।

Comment