ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧରେ ଦିଲ୍ଲୀ ସାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଆନ୍ଦୋଳନକାରୀମାନେ ଆନ୍ଦୋଳନ ବେଳେ ରାସ୍ତା ଅବରୋଧ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି।

ଏହାସହ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସକୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି ସୁପ୍ରିମକୋର୍ଟ। ରାସ୍ତା ଉପରେ ବସି ଆନ୍ଦୋଳନ କରୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସିଏଏକୁ ବିରୋଧ କରି ଦିଲ୍ଲୀ ସାହିନବାଗ ଅଞ୍ଚଳର ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ରାସ୍ତା ଅବରୋଧ କରି ପ୍ରତିବାଦ କରୁଥିଲେ। ଦୀର୍ଘ ଦିନ ଧରି ଏହି ଆନ୍ଦୋଳନ ଚାଲିଥିବାରୁ ଏହା ଉପରେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରିଥିଲେ ବିଚାରପତି ଏସ୍‌ କେ କାଉଲ ଏବଂ କେ ଏମ୍‌ ଜୋସେଫ୍‌ଙ୍କୁ ନେଇ ଖଣ୍ଡପୀଠ।

‘‘ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିପାରିବେ ନାହିଁ। ଏହାସହ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇବା ଠିକ୍‌ ନୁହେଁ। କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆନ୍ଦୋଳନ କରିବା କଥା। ଆନ୍ଦୋଳନ ଯୋଗୁଁ ଅନ୍ୟମାନେ ପ୍ରଭାବିତ ହେବା ଆଦୌ ଯୁକ୍ତିଯୁକ୍ତ ନୁହେଁ’’, କହିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ।

Comment