ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀ ସାହିନବାଗ୍‌ରେ ଚାଲିଥିବା ଆନ୍ଦୋଳନକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଗତ ୩୦ ତାରିଖରେ ଧାରଣାସ୍ଥଳରେ ୪ ମାସର ଶିଶୁର ମୃତ୍ୟୁ ହେବାକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି। ଚାରି ମାସର ଶିଶୁ ଆନ୍ଦୋଳନରେ ସାମିଲ ହୋଇ ପାରିବ କି ବୋଲି ସୁପ୍ରିମକୋର୍ଟ ପାଲଟା ପ୍ରଶ୍ନ କରିଛନ୍ତି।

ଚାରି ମାସର ଶିଶୁର ମୃତ୍ୟୁ ହେବାକୁ ନେଇ ସାହସିକତା ପୁରସ୍କାର ପାଇଥିବା ଛାତ୍ର ଜୈନ ଗୁଣରତ୍ନ ସଦାବର୍ତ୍ତେ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ ଆଧାର କରି ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଛନ୍ତି।

କୋର୍ଟ ନିଜ ଆଡୁ ମାମଲା ରୁଜୁ କରିବାକୁ ନେଇ ଦୁଇ ଜଣ ମହିଳା ଓକିଲ ଆପତ୍ତି ଉଠାଇଛନ୍ତି। ସେମାନେ କହିଛନ୍ତି ଯେ, ଧାରଣାସ୍ଥଳକୁ ଆସୁଥିବା ପିଲାଙ୍କୁ ସ୍କୁଲରେ ଦୋଶଦ୍ରୋହୀ ଏବଂ ପାକିସ୍ତାନ କୁହାଯାଇ କଟାକ୍ଷ କରାଯାଉଛି। ଏହାର ପାଲଟା ଜବାବ ଦେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍‌ ଏ ବୋବ୍‌ଡେ କହିଥିଲେ ଯେ, ଚାରି ମାସର ଶିଶୁ ଆନ୍ଦୋଳନରେ ସାମିଲ ହୋଇପାରିବେ କି?

ଏପଟେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଥିଲେ, ‘‘ପିଲାଙ୍କୁ ଧାରଣାସ୍ଥଳକୁ ନେବା ଆଦୌ ଠିକ୍‌ ନୁହେଁ।’’

ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରି ସାହିନବାଗ୍‌ର ମହିଳା ଏବଂ ପିଲା ଗତ ଡିସେମ୍ବର ୧୫ରୁ ଧାରଣାରେ ବସିଛନ୍ତି। ରାସ୍ତା ଅବରୋଧ କରି ନାରାବାଜି ଦେଉଛନ୍ତି। ଗତ ୩୦ ତାରିଖରେ ଧାରଣା ଚାଲିଥିବା ବେଳେ ଜଣେ ୪ ମାସର ଶିଶୁର ମୃତ୍ୟୁ ହୋଇଥିଲା।

Comment