ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଜନନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରିବା ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ଦୁଇଟି ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ମଧ୍ୟରୁ ଗୋଟିଏ କଟକରେ ଓ ଅନ୍ୟଟି ପଶ୍ଚିମ ଓଡ଼ିଶାରେ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୫ ତାରିଖ ହେଉଛି ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏଥି ସହିତ ବିଜେଡି ଓଡ଼ିଶାରେ କ୍ଷମତାରେ ରହିବାର କୋଡ଼ିଏ ବର୍ଷ ବି ପାଳନ କରିବା ପାଇଁ ସ୍ଥିର କରିଛନ୍ତି ସରକାର। ଏହି କାର୍ଯ୍ୟକ୍ରମ ଦୁଇଟି ସ୍ତରରେ ହେବ।

ସରକାରଙ୍କ ପକ୍ଷରୁ ଗୋଟିଏ କାର୍ଯ୍ୟକ୍ରମ କରାଯିବା ବେଳେ ଦଳ ପକ୍ଷରୁ ଅନ୍ୟଟି ପାଳିତ ହେବ। ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ରୂପେ ପାଳନ ହେଉଥିବାରୁ ଏଥିପାଇଁ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ସମ୍ମିଳନୀ କରାଯିବ। ତା’ସହିତ ବିଗତ କୋଡ଼ିଏ ବର୍ଷ ମଧ୍ୟରେ ସରକାର ଯେତେ ସବୁ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରିଛନ୍ତି ତାହାକୁ ନେଇ ଏକ କର୍ମଶାଳା ମଧ୍ୟ  ଅନୁଷ୍ଠିତ ହେବ। ଖବର ମିଳିଛି ଯେ ଏହି ଦିନ କିଛି ହିତାଧିକାରୀଙ୍କୁ ସାହାଯ୍ୟ ଘୋଷଣା କରାଯିବ।

ବିଜେଡି ସରକାରର ଦୁଇ ଦଶନ୍ଧି ପୂରଣ ହେଇଥିବାରୁ ଏହି ସମୟ ମଧ୍ୟରେ ଲୋକଙ୍କ ପାଇଁ କଣ ସବୁ କରାଯାଇଛି ତାହାର ପ୍ରଦର୍ଶନ କରିବା ପାଇଁ ସରକାର ସ୍ଥିର କରିଛନ୍ତି।

ବିଜେଡି ଏହି ଉତ୍ସବ ପାଳନ କରୁଥିବା ବେଳେ ବିରୋଧୀ ଦଳ ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି। ବିଜେପି କହିଛି ରାଜ୍ୟର ୩୮ ପଞ୍ଚାୟତରେ ହାଇସ୍କୁଲ ନାହିଁ। ମାତ୍ର ୪୧ ପ୍ରତିଶତ ଲୋକଙ୍କ ପାଖରେ ବିଜୁଳି ପହଞ୍ଚିଛି। ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ଯେ, ସଫଳତା ପ୍ରଦର୍ଶନ ଧର୍ମକୁ ଆଖି ଠାର ମାରିବା ଭଳି।
ତେଣେ କଂଗ୍ରେସ ନେତା ଓ ଦଳର ମୁଖପାତ୍ର ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଗମ୍ଭୀର ସମସ୍ୟା ଥିବା ବେଳେ ଲୋକେ ବିଜେଡିକୁ ଭୋଟ ଦେଇ ଚାଲିଛନ୍ତି। ଏହି ଉତ୍ସବ ପାଳନର କୌଣସି ଅର୍ଥ ନାହିଁ ବୋଲି କାନୁନଗୋ କହିଛନ୍ତି।

ବିଜେଡି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ତୃଣମୂଳ ସ୍ତରରେ କୋଡ଼ିଏ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ପାଳନ କରାଯିବ ଓ ସ୍ଥାନୀୟ ନେତାଙ୍କୁ ଏଥିରେ ସାମିଲ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ମେଗା କାର୍ଯ୍ୟକ୍ରମ ସମ୍ପର୍କରେ ଦଳର ନେତା  ମାନଙ୍କ ସହ ଆଲୋଚନା କରିଥିବା କୁହାଯାଉଛି।

Comment