ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀରେ ବମ୍ପର ବିଜୟ ପରେ କୁହାଯାଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ଜାତୀୟ ରାଜନୀତିରେ ଦବଦବା ବଢ଼ିବ। ଏପରିକି ବିରୋଧୀ ଦଳର ସବୁଠାରୁ ବଡ଼ ଚେହେରା ଭାବରେ ସେ ଆବିର୍ଭାବ ହୋଇ ପାରନ୍ତି ବୋଲି ମଧ୍ୟ କୁହାଯାଉଛି। ରାଜନୀତି ବିଷେଶଜ୍ଞଙ୍କ ମତରେ ଭାବୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜନୀତିରେ ଲମ୍ବା ରାସ୍ତା ପଡ଼ିଛି ଓ ସେ ଜାତୀୟ ସ୍ତରରେ ଉଭା ହେବା ଅସମ୍ଭବ ନୁହେଁ। ତେବେ ବିଶେଷଜ୍ଞମାନେ ଏକଥା ବି କହୁଛନ୍ତି ଯେ କେଜରିୱାଲଙ୍କୁ ଜାତୀୟ ନେତା ଭାବେ ଉଦୟ ହେବା ପାଇଁ ସମୟ ଲାଗିବ।

ଦିଲ୍ଲୀ ରାଜନୀତିର ଯେଉଁମାନେ ଭିତିରିଆ ଖବର ରଖୁଛନ୍ତି ସେମାନଙ୍କ ମତ ହେଉଛି ଯେ କେଜରୀଙ୍କୁ ଜାତୀୟ ସ୍ତରର ନେତା ହେବାକୁ ହେଲେ ତାଙ୍କୁ ତାଙ୍କର ପ୍ରଭାବ ବିସ୍ତାର କରିବାକୁ ହେବ। କେବଳ ଦିଲ୍ଲୀରେ ନିଜକୁ ସୀମିତ ନ କରି ତାଙ୍କୁ ଅନ୍ୟ ରାଜ୍ୟର ରାଜନୀତିରେ  ମଧ୍ୟ ଦଖଲ ଦେବାକୁ ହେବ।

ବର୍ତ୍ତମାନ ଆମ ଆଦ୍‌ମୀ ପାର୍ଟିକୁ ନିର୍ବାଚନ କମିଶନ ଏକ ଆଞ୍ଚଳିକ ଦଳ ଭାବରେ ମାନ୍ୟତା ଦେଇଛି। ଆପ୍‌ ୨୦୧୭ରେ ପଞ୍ଜାବ ବିଧାନସଭାରେ  ବିରୋଧୀ ଦଳର ମାନ୍ୟତା ପାଇଛି। ଆମ ଆଦ୍‌ମୀ ପାର୍ଟିକୁ ଜାତୀୟ ଦଳ ହେବାର ଆକାଂକ୍ଷାକୁ ବଡ଼ ଧକ୍କା ଦେଇଥିଲା ଗୋଆ ନିର୍ବାଚନ ଓ ଗତ ଦୁଇଟି ଲୋକସଭା ଉପନିର୍ବାଚନ। ଏହି ନିର୍ବାଚନରେ ଆପ୍‌ର ପ୍ରାର୍ଥୀମାନେ ହରିଯାଇଥିଲେ।

ଆମ୍‌ ଆଦ୍‌ମୀ ପାର୍ଟିକୁ ୨୦୧୪ ଲୋକସଭା ନିର୍ବାଚନରେ ୪ଟି ଆସନ ମିଳିଥିବା ବେଳେ ୨୦୧୯ରେ ମାତ୍ର ଗୋଟିଏ ଲୋକସଭା ଆସନ ହାସଲ ହୋଇଥିଲା। ମଜା କଥା ହେଲା ୨୦୧୯ ଲୋକସଭା ନିର୍ବାଚନରେ ଦିଲ୍ଲୀର ଭୋଟରମାନେ କେଜରୀଙ୍କୁ ଫୁ କରି ଦେଇଥିଲେ। ଯଦି ଆମେ ଆଉ ଟିକିଏ ପଛକୁ ଫେରି ଦେଖିବା, ୨୦୧୪ରେ ଅରବିନ୍ଦ କେଜରିୱାଲ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କ ସହ ବାରଣାସୀରେ ଲଢ଼ି ତିନି ଲକ୍ଷ ଭୋଟ ବ୍ୟବଧାନରେ ହାରି ଯାଇଥିଲେ।

ବାସ୍ତବ କଥା ହେଉଛି ଦିଲ୍ଲୀ ନଗର ନିଗମ ନିର୍ବାଚନରେ ବିଜେପି ହାତରେ ହାରିଯିବା ପରେ ପ୍ରକୃତରେ ଆପ୍‌ ତାର ରଣନୀତି ବଦଳାଇବାକୁ ଆରମ୍ଭ କଲା। କେନ୍ଦ୍ର ସରକାରଙ୍କ ସହ ଅଧିକ ବୟାନବାଜି ନକରି ପୁଣି ଥରେ ଦଳ ଦିଲ୍ଲୀର ସର୍ବାଙ୍ଗୀନ ବିକାଶକୁ ପ୍ରସଙ୍ଗ କରିବା ସହ ଦଳ ପକ୍ଷରୁ ସେ ଦିଗରେ ଧ୍ୟାନ ଦେବା  ଆରମ୍ଭ ହେଲା।

ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଜଣେ ରାଜନୀତି ବିଭାଗର ପ୍ରଫେସରଙ୍କ କହିବା କଥା ଯେ ଏବେ ଯେଉଁ ସଫଳତା କେଜରୀଙ୍କୁ ମିଳିଛି ତାହା ପୂରାପୁରି ସ୍ଥାନୀୟ। ସେ ସର୍ବ ଭାରତୀୟ ସ୍ତରରେ ଏହିଭଳି ସଫଳତା ହାସଲ କରିପାରିବେ ସେ କଥା ଏବେଠାରୁ କହିବା ସମ୍ଭବ ନୁହେଁ। ତାଙ୍କ ମତରେ ଆମ୍‌ ଆଦ୍‌ମୀ ପାର୍ଟିର କୌଣସି ବୁନୟାଦି କାର୍ଯ୍ୟକ୍ରମ ନାହିଁ ଯାହାକି ଦଳକୁ ଏକ ସର୍ବ ଭାରତୀୟ ଚେହେରା ଦେଇପାରିବ।

ଆସୋସିଏସନ ଫର ଡେମୋକ୍ରଟିକ ରାଇଟ୍ସର ସଂସ୍ଥାପକ କହିଛନ୍ତି ଯେ, ଜାତୀୟ ସ୍ତରର ରାଜନୀତିରେ  ପହଞ୍ଚିବା ଭିନ୍ନ ପ୍ରକାର କଥା ଓ ଏଥିପାଇଁ ଅରବିନ୍ଦ କେଜରିୱାଲଙ୍କୁ ବହୁତ କିଛି କରିବା ପାଇଁ ହେବ।

Comment