ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁବାଇରେ ଓଡ଼ିଆ ଖାଦ୍ୟର ପସରା ମେଲାଇଛି ଖାଦ୍ୟ ମହୋତ୍ସବ ‘ହାଣ୍ଡିଶାଳ’।

ବିଦେଶ ମାଟିରେ ଓଡ଼ିଆ ଖାଦ୍ୟର ମହକ। ଓଡ଼ିଆ ଖାଦ୍ୟ ଯେତେ ସୁଆଦିଆ ସେତେ ଟେଷ୍ଟି। କେଉଁଠି ମାଛ ବେସର ତ ଆଉ କେଉଁଠି ମାଟି ହାଣ୍ଡି ମାଂସର ମହକ। କେଉଁଠି ସୁଆଦିଆ ଛେନା ପୋଡ଼ ତ ବାରିପଦାର ମୁଢ଼ି ମାଂସର ବାସ୍ନା। ଏଭଳି କିଛି ଦେଖିବାକୁ ମିଳିଛି ସୁଦୂର ଦୁଆଇରେ। ସୁଦୂର ଦୁବାଇରେ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ହୋଇଛି ‘ହାଣ୍ଡିଶାଳ-୨୦୨୦’। ଓଡ଼ିଆ ଖାଦ୍ୟର ସ୍ବତନ୍ତ୍ରତାକୁ ସୁଦୂର ୟୁଏଇରେ ପହଞ୍ଚାଇବାକୁ ୟୁଏଇର ‘ଓଡ଼ିଆ ସମାଜ’ ୬ ବର୍ଷ ଧରି ଏହି ଖାଦ୍ୟ ମହୋତ୍ସବ ହାଣ୍ଡିଶାଳର ଆୟୋଜନ କରି ଆସୁଛି।  ଏଥିରେ ରାଜ୍ୟର ଲୋକପ୍ରିୟ ଓଡିଆ ଖାଦ୍ୟ ମୁଖ୍ୟ ଆକର୍ଷଣ ଥିଲା।

ଏହି ଖାଦ୍ୟ ମହୋତ୍ସବରେ ମୋଟ୍‌ ୩୦ଟି ଷ୍ଟଲ ପଡ଼ିଛି। ପ୍ରତିଟି ଷ୍ଟଲରେ ରହିଛି ଓଡ଼ିଶାର ପାରମ୍ପରିକ ଖାଦ୍ୟ। ଏହାକୁ ଖାଇବା ପାଇଁ ପ୍ରବାସୀ ଓଡ଼ିଆଙ୍କ ସମେତ ବିଦେଶୀଙ୍କ ଭିଡ଼ ଜମିଛି।

ପ୍ରବାସୀ ଓଡ଼ିଆମାନେ ସବୁବେଳେ ଓଡ଼ିଆ ଖାଦ୍ୟ ପାଉ ନଥିବା ବେଳେ ଏଭଳି କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ଖୁସିର ସମ୍ଭାର ଆଣି ଦେଇଛି।

ୟୁଏଇରେ ରହୁଥିବା ଓଡ଼ିଆମାନେ ଓଡ଼ିଆ ଖାଦ୍ୟ ଖାଇବା ସହ ସମସ୍ତେ ନିଜର ଅନୁଭୂତିର ଆଦାନ ପ୍ରଦାନ କରିଥିଲେ।

ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ(ବାଣିଜ୍ୟ) ନୀଲୁ ରୋହରା ଖାଦ୍ୟ ମହୋତ୍ସବ ହାଣ୍ଡିଶାଳର ଉଦ୍‌ଘାଟନ କରିଥିଲେ।

ପ୍ରତିବର୍ଷ ଷ୍ଟଲ ସଂଖ୍ୟା ବଢ଼ୁଥିବାରୁ ଆୟୋଜକମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଖାଦ୍ୟ ମହୋତ୍ସବ ମାଧ୍ୟମରେ ବିଦେଶ ମାଟିରେ ସବୁ ଓଡ଼ିଆଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବାର ଭିନ୍ନ ପ୍ରୟାସ ବୋଲି ଆୟୋଜକ କହିଛନ୍ତି।

Comment