ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ-ଗଜପତି ସୀମାନ୍ତ ଖେମୁଣ୍ଡିଖୋଲ ନିକଟ ତପ୍ତପାଣି ଘାଟିରେ ବିକ୍ରାନ୍ତ ନାମକ ଏକ ଘରୋଇ ବସ୍‌ ଏକ ସଂକୀର୍ଣ୍ଣ ପୋଲ ଉପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପୋଲ ଉପରେ ଏକ ଟ୍ରକକୁ ଓଭରଟେକ କରିବାକୁ ଯାଇ ବସ୍‌ଟି ପୋଲ ଉପରେ ଝୁଲି ରହିଥିଲା। ଏହି ବସ୍‌ରେ ଯାତ୍ରା କରୁଥିବା ୫୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗଜପତି ଜିଲ୍ଲା ଜିରାଙ୍ଗରୁ ବ୍ରହ୍ମପୁର ଅଭିମୁଖେ ଆଜି ‘ବିକ୍ରାନ୍ତ’ ନାମକ ଏକ ବସ୍‌ ୫୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିଲା। ବସ୍‌ଟି ଏକ ଟ୍ରକ୍‌କୁ ଓଭରଟେକ କରିବାକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତେବେ ବସ୍‌ଟି ପୋଲ ତଳକୁ ନଖସି ପାର୍ଶ୍ୱରେ ଅଟକି ରହିଯାଇଥିଲା ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ଉକ୍ତ ପୋଲଟି ରାଜପଥଠାରୁ ଅତି ସଂକୀର୍ଣ୍ଣ ଥିବାରୁ ସେଠାରେ ଅନେକ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଖବର ପାଇ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ପାଟପୁର ପୋଲିସ, ସାନଖେମୁଣ୍ଡି ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ସୁରକ୍ଷିତ ଭାବରେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

Comment