ନୀଳାମ୍ବର ରଥ
ଭୁବନେଶ୍ଵରରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ୍ ପକ୍ଷରୁ ପ୍ରକାଶିତ ଏକ ଅଫିସ୍ ଅର୍ଡରକୁ ନେଇ ଉଠିଛି ଝଡ଼। ୨୦ ଫେବ୍ରୁଆରିରେ ବାହାରିଥିବା ଏହି କାର୍ଯ୍ୟାଳୟ ଆଦେଶରେ କୁହାଯାଇଛି ଯେ ଡାକ୍ତରଖାନାର ଆଡମିନିଷ୍ଟ୍ରେସନ୍, ଏକାଡେମିକ୍ ଷ୍ଟେସନ୍, ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍, ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ୍ ଏବଂ ବିଭିନ୍ନ ବିଭାଗର ଏଚଓଡିମାନେ ଏଣିକି ମୁଖ୍ୟତଃ ହିନ୍ଦୀ ଭାଷାରେ ସବୁପ୍ରକାର ଯୋଗାଯୋଗ କରିବେ। ହିନ୍ଦୀରେ ଚିଠି ଲେଖିବେ, ହିନ୍ଦୀରେ ଉତ୍ତର ଦେବେ ଏବଂ ହିନ୍ଦୀରେ କଥାବାର୍ତ୍ତା ହେବେ। ଡେପୁଟି ଡାଇରେକ୍ଟର (ଆଡମିନ୍) ଜାରି କରିଥିବା ଏହି ଚିଠି ଏବେ ନିଆଁ ଲଗାଇ ଦେଇଛି।
ଆସନ୍ତୁ ଦେଖିନେବା କେଉଁ କେଉଁ କ୍ଷେତ୍ରରେ ହିନ୍ଦୀ ଭାଷାର କାରବାର ପାଇଁ ଏମ୍ସ୍ କର୍ତ୍ତୃପକ୍ଷ ଫତୁଆ ଜାରି କରିଛନ୍ତି।
- ସମସ୍ତ କର୍ମଚାର ହିନ୍ଦୀ ଭାଷାରେ ଦସ୍ତଖତ କରିବା ଆବଶ୍ୟକ
- ସମସ୍ତ ଫାଇଲ୍ର ନାଁ ଓ ବିଷୟ ହିନ୍ଦୀ ଭାଷାରେ ଲେଖାଯିବ
- ସମସ୍ତ ରେଜିଷ୍ଟରର ନାଁ ଓ ସବହେଡିଂ ହିନ୍ଦୀ ଭାଷାରେ ଲେଖାଯିବ ଏବଂ ତାହା ହିନ୍ଦୀ ଭାଷାରେ ପୂରଣ କରାଯିବ
- ଅନ୍ତତଃ ୩୦ପ୍ରତିଶତ ନୋଟିଂ ଓ ଡ୍ରାଫ୍ଟିଂ ହିନ୍ଦୀରେ କରାଯିବ
- ଅନ୍ତତଃ ୫୫ପ୍ରତିଶିତ ଚିଠି ପତ୍ର ହିନ୍ଦୀରେ ଲେଖାଯିବ
- ସମସ୍ତ ଦ୍ଵିଭାଷୀ ଫର୍ମ ହିନ୍ଦୀରେ ପୂରଣ କରାଯିବ
- ବିଭିନ୍ନ ଚିଠିର ଉତ୍ତର ହିନ୍ଦୀ ଭାଷାରେ ଦିଆଯିବ
- ବିଭିନ୍ନ ମିଟିଂ ବେଳେ ଯେତେଦୂର ସମ୍ଭବ ହିନ୍ଦୀ ଭାଷାରେ କଥାବାର୍ତ୍ତା କରାଯିବ ଏବଂ ମିଟିଂର ମିନିଟ୍ସ ହିନ୍ଦୀରେ ଲେଖାଯିବ
ଏମ୍ସ୍ କର୍ତ୍ତୃପକ୍ଷଙ୍କ ଏହି ଚିଠି କାହିଁକି? ଓଡ଼ିଶାରେ ଚାଲିଥିବା ଏମ୍ସ୍ରେ ସବୁ କାର୍ଯ୍ୟ ହିନ୍ଦୀ ଭାଷାରେ କରାଯିବ କାହିଁକି? ଆଜିର ଦିନରେ ସାରା ପୃଥିବୀ ସ୍ଥାନୀୟ ଭାଷାକୁ ଯୋଗାଯୋଗର ପ୍ରମୁଖ ଭାଷା ଭାବେ ଗୁରୁତ୍ଵ ଦେଉଥିବା ବେଳେ ହିନ୍ଦୀ ଭାଷାକୁ ସମସ୍ତଙ୍କ ଉପରେ ଲଦି ଦେବା ପାଇଁ ଏମ୍ସ୍ ଅଧିକାରୀଙ୍କ ଏହା ଏକ ଏକଚାଟିଆ ଉଦ୍ୟମ ବୋଲି ପ୍ରଶ୍ନ ଉଠିଛି। ଏମ୍ସ୍ରେ କାର୍ଯ୍ୟରତ ଅଣହିନ୍ଦୀ ଡାକ୍ତର ଓ କର୍ମଚାରୀମାନେ ଡରରେ ଏ ବାବଦରେ ମୁହଁ ଖୋଲୁନଥିବା ବେଳେ କିନ୍ତୁ ଡାକ୍ତରଖାନା ବାହାରେ ବିଶେଷକରି ରାଜନୈତିକ କ୍ଷେତ୍ରରେ ଝଡ଼ ଉଠିଛି।
ବାହାରୁ ମାଡ଼ ପଡ଼ିବା ଫଳରେ ଏମ୍ସ୍ କର୍ତ୍ତୃପକ୍ଷ ଶନିବାର ଦିନ ସଫେଇ ଦେଇଛନ୍ତି। ଏମ୍ସ୍ ଡାଇରେକ୍ଟର କହିଛନ୍ତି ଯେ ଅଫିସିଆଲ୍ ଲାଙ୍ଗୁଏଜ୍ ଆକ୍ଟ ୧୯୬୩ ଏବଂ ଅଫିସିଆଲ୍ ଲାଙ୍ଗୁଏଜ୍ ରୁଲସ୍ ୧୯୭୬ ଅଧୀନରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ହିନ୍ଦୀ ଭାଷାର ବ୍ୟବହାର ଲାଗି ନିର୍ଦ୍ଦେଶ ରହିଛି। ତେଣୁ ଏହି ଅଫିସ୍ ଅର୍ଡର ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ସେ କହିଛନ୍ତି ଯେ, ରୋଗୀମାନଙ୍କ ଫର୍ମ ପୂରଣ ଓଡ଼ିଆ ଏବଂ ଇଂରାଜୀରେ କରାଯାଉଛି। ଏହାସହ ଡାକ୍ତରୀ ଏବଂ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ପାଠ ପଢ଼ାଯାଉଛି। ଅର୍ଥାତ୍ ସ୍ଥାନୀୟ ଭାଷା ପ୍ରତି ଏହା ପଛରେ କୌଣସି ବିଦ୍ଵେଷ ଭାବ ନାହିଁ ବୋଲି ନିର୍ଦ୍ଦେଶିକା ନିଜକୁ ବଞ୍ଚାଇବାକୁ ଯାଇ କହିଛନ୍ତି।
ଦିନେ ସାରା ଭାରତକୁ ପ୍ରଶାସନିକ ସ୍ତରରେ ଗୋଟିଏ ଭାଷାରେ ବାନ୍ଧି ରଖିବା ପାଇଁ ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷାର ମାନ୍ୟତା ଦିଆଯାଇଥିଲା। ତେଣୁ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ହିନ୍ଦୀ ଭାଷାର ବ୍ୟବହାର ଲାଗି ନିୟମ କରାଯାଇଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ଦେଖାଗଲା ଯେ ଦେଶର ବିଭିନ୍ନ ପ୍ରାନ୍ତରେ ହିନ୍ଦୀକୁ ଏକ ସର୍ବଜନଗ୍ରାହ୍ୟ ଭାଷା ଭାବେ ଗ୍ରହଣ କରିବା ସମ୍ଭବପର ହେଲା ନାହିଁ। ବିଶେଷକରି ଦକ୍ଷିଣ ଭାରତରେ ହିନ୍ଦୀ ଭାଷାର ସରକାରୀ ପ୍ରୟୋଗକୁ ନେଇ ପ୍ରବଳ ବିରୋଧ ଏପରିକି ଆନ୍ଦୋଳନ ଦେଖିବାକୁ ମିଳିଥିଲା। ତେଣୁ କେନ୍ଦ୍ର ସରକାରଙ୍କର ହିନ୍ଦୀକୁ ସର୍ବଭାରତୀୟ ଭାଷା କରିବାର ଯୋଜନା ଫସର ଫାଟିଗଲା।
ଅନ୍ୟପକ୍ଷରେ ଆଜି ଦୁନିଆ ବଦଳୁଛି। ବିଶେଷକରି ସ୍ଥାନୀୟ ଭାଷାକୁ ଯୋଗାଯୋଗର ସର୍ବଶ୍ରେଷ୍ଠ ବା ମୋଷ୍ଟ ଇଫେକ୍ଟିଭ୍ ମିଡିୟମ୍ ଭାବେ ଗ୍ରହଣ କରାଯାଉଛି। ତା’ଛଡ଼ା ଓଡ଼ିଶା ଭଳି କ୍ଷେତ୍ରରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ ଭାବେ ଘୋଷଣା କରିବା ଏକ ବୁଦ୍ଧିମାନର କାମ ଭଳି ମନେ ହେଉନାହିଁ। ଏମ୍ସ୍ କର୍ତ୍ତୃପକ୍ଷ ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରାଇବା ଭଳି ଅବସ୍ଥା ସୃଷ୍ଟି ହୋଇଛି। ଶାସକ ବିଜେଡ଼ିର ପୁରୀ ସାଂସଦ ଏହି ଘଟଣାକୁ ଦିଲ୍ଲୀରେ ଉଠାଇବେ ବୋଲି ଧମକ ଦେବା ପରେ ତାଙ୍କ ସହିତ ଅନେକ ସ୍ଵର ଯୋଡ଼ି ହୋଇଯାଇଛି।
ବିରୋଧୀ ବିଜେପି ଏହି ଘଟଣାକୁ ନେଇ ସାପ ମରିବନି କି ବାଡ଼ି ଭାଙ୍ଗିବନି ଭଳି ମନ୍ତବ୍ୟ ଦେଇଛି। ଦଳର ଜଣେ ବରିଷ୍ଠ ନେତା ଏମ୍ସ୍ର ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ତେବେ ସେ ମଧ୍ୟ ନବୀନଙ୍କୁ ତୀର ମାରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଗ୍ରାମୀଣ ଓ ଗୃହ ନିର୍ମାଣ ଯୋଜନାରେ ହିତାଧିକାରୀଙ୍କ ସମ୍ପର୍କରେ ଯେଉଁ ଚିଠି ପଞ୍ଚାୟତ ଅଫିସ୍ରେ ମରାଯାଉଛି ତାହା ଏପର୍ଯ୍ୟନ୍ତ ଓଡ଼ିଆ ନ ହୋଇ ଇଂରାଜୀରେ କିପରି ଲେଖାଯାଉଛି।
ଓଡ଼ିଆ ଏକ ପ୍ରାଚୀନ ଭାଷା। କେନ୍ଦ୍ର ସରକାରଙ୍କ ବିଧି ବ୍ୟବସ୍ଥା ଭିତରେ ଏହା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ହେଲେ ବାସ୍ତବରେ ଦେଖିବାକୁ ଗଲେ ଓଡ଼ିଆ ଭାଷାର ଉଚିତ୍ ବ୍ୟବହାର ହେଉନାହିଁ। ସରକାରୀସ୍ତରରେ ଓଡ଼ିଆ ଭାଷାର ଯେଉଁଭଳି ବ୍ୟବହାର ହେବା କଥା ତାହା ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଯଦିଓ ସରକାରୀ ଫାଇଲ୍ ଚାଷରେ ଓଡ଼ିଆ ଭାଷାର ପ୍ରୟୋଗ ଲାଗି ଉଦ୍ୟମ ଆରମ୍ଭ ହୋଇଛି କିନ୍ତୁ ତାହା ବ୍ୟାପକ ହେବା ପାଇଁ ଯେଉଁ ମାନସିକତା ଦରକାର ଓଡ଼ିଶାର ସରକାରୀ ଅଫିସର ଓ କର୍ମଚାରୀମାନଙ୍କ ଭିତରେ ଏପର୍ଯ୍ୟନ୍ତ ତାହା ଦେଖିବାକୁ ମିଳିନାହିଁ।
ଭାଷା ଯୋଗାଯୋଗର ଏକ ପ୍ରଧାନ ମାଧ୍ୟମ। ଭାଷା ମଧ୍ୟ ଗୋଟିଏ ଜାତିର ଅସ୍ମିତାର ପରିଚୟ। ତେଣୁ ଘରଠାରୁ ସରକାରୀ କାଗଜପତ୍ର ପର୍ଯ୍ୟନ୍ତ ଏବଂ ବଜାରଠାରୁ ଡିଜିଟାଲ୍ ମିଡିଆ ପର୍ଯ୍ୟନ୍ତ ଯେତେବେଳେ ଓଡ଼ିଆ ଭାଷାର ବ୍ୟାପକ ପ୍ରୟୋଗ ହେବ ସେତେବେଳେ ଆମେ କହିପାରିବା ଯେ ଆମର ଭବିଷ୍ୟତ ପିଢ଼ି ଆମ ଭାଷାକୁ ନେଇ ଗର୍ବ କରିବ।
ଓଡ଼ିଆ ଭାଷାର ଡିଜିଟାଲ୍ ପ୍ରୟୋଗ କ୍ଷେତ୍ରରେ ଏଠାରେ ଆଲୋଚନା କଲେ ହୁଏତ ଅପ୍ରାସଙ୍ଗିକ ହେବ ନାହିଁ। ଆଜି ବିଭିନ୍ନ ଡିଜିଟାଲ୍ ଚ୍ୟାନେଲ୍ ଏବଂ ସୋସିଆଲ୍ ମିଡିଆରେ ଓଡ଼ିଆ ଭାଷାରେ ବ୍ୟାପକ ବ୍ୟବହାର ଆରମ୍ଭ ହୋଇଛି। ଦିନେ ଓଡ଼ିଆ ଭାଷାରେ କାଁ ଭାଁ ୱେବସାଇଟଟିଏ ଦେଖିବାକୁ ମିଳୁଥିଲା। ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଆ ଭାଷାରେ ୪୦ରୁ ୫୦ଟି ନ୍ୟୁଜ୍ ପୋର୍ଟାଲରେ କଣ୍ଟେଣ୍ଟ ପ୍ରକାଶିତ ହେଉଛି।
ସେହିପରି ଡେଲିହଣ୍ଟ, ଜିଓ ନ୍ୟୁଜ୍ ଭଳି କଣ୍ଟେଣ୍ଟ ଆଗ୍ରିଗେସନ୍ ପ୍ଲାଟଫର୍ମ ମୋବାଇଲ୍ ଆପ୍ ମାଧ୍ୟମରେ ଓଡ଼ିଆ ଭାଷାର ଚ୍ୟାନେଲଗୁଡ଼ିକୁ ପ୍ରସାରିତ କରୁଛନ୍ତି। କିନ୍ତୁ ଦୁଃଖର କଥା ହେଲା ଯେ ଏପର୍ଯ୍ୟନ୍ତ ଗୁଗୁଲ୍ ଓ ଫେସବୁକ୍ ଭଳି ଆଗଧାଡ଼ିର ଡିଜିଟାଲ୍ ଓ ସୋସିଆଲ୍ ପ୍ଲାଟଫର୍ମ ଓଡ଼ିଆ ଭାଷାକୁ ସେମାନଙ୍କର ସ୍ଵୀକୃତିପ୍ରାପ୍ତ ବା ଅଫିସିଆଲ୍ ଲାଙ୍ଗୁଏଜ୍ ଭାବେ ଗ୍ରହଣ କରିନାହାନ୍ତି। ଏହାଫଳରେ ଡିଜିଟାଲ୍ ମିଡିଆର ବ୍ୟାପକ ପ୍ରୟୋଗ ଓ ପ୍ରସାର କ୍ଷେତ୍ରରେ ଓଡ଼ିଆ ଭାଷାକୁ ଯେଉଁ ଗୁରୁତ୍ଵ ମିଳିବା କଥା ତାହା ମିଳିପାରୁନାହିଁ।
ତେଣୁ ଆଜି ଯେଉଁମାନେ ଏମ୍ସ୍ର ‘କେବଳ ହିନ୍ଦୀ’ ଫତୁଆ ବିରୋଧରେ ସ୍ଵର ଉଠାଇଛନ୍ତି ସେମାନଙ୍କୁ ଏ ଲେଖକର ଅନୁରୋଧ ଯେ ସେମାନେ ଆଉ ଗୋଟିଏ ପାଦ ଆଗକୁ ଯାଇ ଡିଜିଟାଲ୍ ଓ ସୋସିଆଲ୍ ମିଡିଆରେ ଓଡ଼ିଆ ଭାଷାର ପ୍ରୟୋଗ କ୍ଷେତ୍ରରେ ଯେଉଁ ପ୍ରତିବନ୍ଧକ ରହିଛି ତାହା ହଟାଇବା ପାଇଁ ଲାଗିପଡ଼ନ୍ତୁ। ଏ ଦିଗରେ ରାଜ୍ୟର ନବୀନ ସରକାର ଓ କେନ୍ଦ୍ରରେ ମୋଦି ସରକାର ଚାହିଁଲେ ନିଶ୍ଚିତ ଭାବରେ କିଛିଟା ହସ୍ତକ୍ଷେପ କରିପାରିବେ। କାରଣ ଓଡ଼ିଆ ଏକ ସାଧାରଣ ଭାଷା ନୁହେଁ; ଏହା ଏକ ପ୍ରାଚୀନ ତଥା ଭାରତର ସ୍ଵୀକୃତିପ୍ରାପ୍ତ ଶାସ୍ତ୍ରୀୟ ଭାଷା।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ)