ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏସ୍‌ଟି, ଏସ୍‌ସି ଓ ଓବିସି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ଆଜି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାୟଗଡ଼ାରେ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ସହରରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି।

ସେହିପରି ବିଭିନ୍ନ ସଂଗଠନ ପକ୍ଷରୁ ସ୍ଥାନୀୟ କପିଳାସ ଛକଠାରେ ଟାୟାର ଜାଳି ରାସ୍ତାରୋକ କରି ଓ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ କରିବା ସହ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିଲା। ଫଳରେ ରାୟଗଡ଼ା ସହରରେ ଅଖଚକ ସମ୍ପୂର୍ଣ ବନ୍ଦ ରହିଛି।

ସଂଖ୍ୟାଲଘୁ ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି ଯେ, ସମସ୍ତ ମୌଳିକ ସୁବିଧାରୁ ସେମାନଙ୍କୁ ବଞ୍ଚିତ କରାଯାଉଛି। ଦଳିତ ସମାଜ, ଆମ୍ବେଦକର ପାର୍ଟି, ବିଏସ୍‌ପି, ଆଦିବାସୀ ମହାସଂଘ, ସୁନ୍ନି ମୁସଲିଂ ଜାମାତ୍ ଭଳି ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଚାଲୁ ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

Comment