ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର ଆଜି ଚତୁର୍ଥ ଦିନରେ ଗଣିତ ପରୀକ୍ଷା ହୋଇଛି। ଏହି ପରୀକ୍ଷାରେ ୧୮୮ ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ସ୍କ୍ୱାଡ୍ ହାତରେ ଧରାପଡ଼ି ମାଲପ୍ରାକ୍ଟିସ୍‌(ଏମ୍‌ପି)ରେ ବୁକ୍ ହୋଇ ପରୀକ୍ଷାରୁ ବାଦ୍‌ ପଡ଼ିଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ବିଜ୍ଞାନ ପରୀକ୍ଷାରେ ୫୨ ଜଣ ପରୀକ୍ଷାର୍ଥୀ ଓ ସଂସ୍କୃତ ମଧ୍ୟମା ବିଜ୍ଞାନ ପରୀକ୍ଷାରେ ୩ ଜଣ ପରୀକ୍ଷାର୍ଥୀ କପି କରିଥିବା ବେଳେ ଧରାପଡ଼ି ଏମ୍‌ପିରେ ବୁକ୍ ହୋଇ ପରୀକ୍ଷାରୁ ବାଦ୍‌ ପଡ଼ିଛନ୍ତି।

ପରୀକ୍ଷାର୍ଥୀମାନେ ୯ଟା ୨୦ରୁ ପରୀକ୍ଷାକେନ୍ଦ୍ର ଭିତରୁ ପ୍ରବେଶ କରିବା ପରେ ୯ଟା ୪୫ରେ ଉଭୟ ପ୍ରଶ୍ନପତ୍ର ଓ ଉତ୍ତରଖାତା ବୁକ୍‌ଲେଟ୍ ଦେବାକୁ କୁହାଯାଇଥିଲା। ସକାଳ ୧୦ଟାରୁ ଅବ୍‌ଜେକ୍‌ଟିଭ୍ ପରୀକ୍ଷା ଆରମ୍ଭ ହୋଇ ୧୧ଟାରେ ଶେଷ ହେବାକୁ ଥିଲା। ସେହିପରି ସବ୍‌ଜେକ୍‌ଟିଭ୍ ପରୀକ୍ଷା ୧୧ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟାରେ ସାରିବାକୁ କୁହାଯାଇଥିଲା। କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ୍ ସମୟ ଦେବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା।

ଆଜି ମାଟ୍ରିକ୍ ଗଣିତ ପରୀକ୍ଷା ରହିଥିବାରୁ ସକାଳ ୧୦ଟାରୁ ଅବ୍‌ଜେକ୍‌ଟିଭ୍ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୧୫ରେ ଶେଷ ହୋଇଥିଲା ଏବଂ ସବ୍‌ଜେକ୍‌ଟିଭ୍ ପରୀକ୍ଷା ୧୧ଟା୧୫ରୁ ଆରମ୍ଭ ହୋଇ ୧୨ଟା ୪୫ରେ ଶେଷ ହୋଇଥିଲା। ଆସନ୍ତା ୨୮ ତାରିଖ ଶୁକ୍ରବାର ଦିନ ମାଟ୍ରିକ୍‌ର ବିଜ୍ଞାନ ପରୀକ୍ଷା ରହିଛି।

Comment