ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ହାତ କହୁଣୀରେ ଫଳିଯାଉଛି। ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ପିଲାଙ୍କ ଭିତରେ ଏଭଳି ଏକ ଅଜଣା ରୋଗ ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଗଲାଣି। ସ୍ଥାନୀୟ ଡାକ୍ତରୀ ଟିମ୍ ବି ଫେଲ୍ ମାରିଲେଣି। ବାଧ୍ୟ ହୋଇ ରୋଗାଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ କଟକ ବଡ ମେଡିକାଲ ପଠାଯାଇଛି। ଏମାନେ ପୁଷ୍ଟିହୀନତାର ଶିକାର ବୋଲି ଡାକ୍ତର କହୁଛନ୍ତି। ଏହି ପିଲାମାନଙ୍କ ପାଖରେ ‘ଭିଟାମିନ୍-ଏ ଓ ଇ’ ର ଘୋର୍ ଅଭାବ ରହିଥିବା ଡାକ୍ତରୀ ଚିଠାରୁ ଜଣାପଡିଛି। ଏ ଚିତ୍ର ହେଉଛି କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବୈଦ୍ୟେଶ୍ୱର ଅଞ୍ଚଳର।

ଏସ୍‌ସିବିରେ ଡାକ୍ତର ଚିକିତ୍ସା କରି ଏହାକୁ ‘ସାଇନୋଡ୍ରମା’ ବୋଲି କହିଛନ୍ତି। ଶରୀରରେ ଭିଟାମିନର ଅଭାବ ହେଲେ ଏଭଳି ରୋଗ ହୋଇଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ବେଙ୍ଗର ଉପର ଚମଡ଼ା ଯେଭଳି ବିରିବିରି ହୋଇଥାଏ ଏହି ରୋଗର ଲକ୍ଷଣ ଠିକ୍ ସେହିଭଳି। ଏହି ରୋଗରେ ଆକ୍ରାନ୍ତ ହେଲେ ଆଖି ଓ ଚମଡ଼ା ଶୁଖିଲା ପଡିଯିବା ସହିତ ଅନ୍ଧାରକଣା ପ୍ରଭାବ ଦେଖିବାକୁ ମିଳେ। ତେବେ ଡାକ୍ତରୀ ଭାଷାରେ ଏହାର ନାମ ‘ସାଇନୋଡ୍ରମା’ କୁହାଯାଉଥିବା ବେଳେ ବାସ୍ତବରେ ଅପପୁଷ୍ଟି  ବୋଲି ସ୍ପଷ୍ଟ ହୋଇଛି। ଅପପୁଷ୍ଟି ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ବାଙ୍କୀରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରାୟ ୩୦ରୁ ଅଧିକ ପିଲା ଏଭଳି ରୋଗରେ ଆକ୍ରାନ୍ତ ହେବା ସରକାରଙ୍କ ଅପପୁଷ୍ଟି ରୋକିବା ଅଭିଯାନ ପ୍ରତି ଆଙ୍ଗୁଳି ଉଠାଇଛି।

ଗତ କିଛି ମାସ ହେଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ସାଇନୋଡ୍ରମା ରୋଗର ଲକ୍ଷଣ ଦେଖାଯାଉଛି। ଏନେଇ ଅଭିଭାବକମାନେ ଅଭିଯୋଗ କରିବାରୁ ଡାକ୍ତରୀ ଟିମ୍ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ସୁବର୍ଣ୍ଣପୁର, ବୈଦ୍ୟେଶ୍ୱର ଡାକ୍ତରଖାନାରୁ ଡାକ୍ତରୀ ଟିମ୍‌ ଯାଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରିଛନ୍ତି।

Comment